ଗଣତନ୍ତ୍ରକୁ ସଜାଡ଼ି ପାରିବନି ମାଓନୀତି

ଭାରତର ମୁକ୍ତି ସଂଗ୍ରାମକୁ ସଫଳ କରିଥିଲା ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତି । ସତ୍ୟ ଓ ଅହିଂସା ବଳରେ କଠିନରୁ କଠିନ ସମସ୍ୟାର ସରଳ ସମାଧାନ କରା ଯାଇପାରିବ ବୋଲି ଗାନ୍ଧୀ ବିଚାରଧାରା କହି ଆସୁଛି । କିନ୍ତୁ ମାଓ ଚିନ୍ତାଧାରା ସଂପୂର୍ଣ୍ଣ ଅଲଗା ।

ସମାଜର ନିଷ୍ପେସିତ ସର୍ବହରାଙ୍କ ପାଇଁ ଚୀନର ପ୍ରବୀଣ ରାଜନେତା ମାଓ ସେ ତୁଙ୍ଗ ପୁଞ୍ଜିପତି ଓ ଶାସକଙ୍କ ବିରୋଧରେ ଅସ୍ତ୍ର ଧାରଣ କରିବାକୁ ଆହ୍ୱାନ କରିଥିଲେ ।୧୯୭୦ ଦଶକରୁ ଭାରତର ରାଜନୀତିରେ କମ୍ୟୁନିଷ୍ଟ ଚିନ୍ତାଧାରାକୁ ଆପଣାଇଥିବା ଏକାଧିକ ସଂଗଠନ ସକ୍ରିୟ ରହିଛି ।

ସୋଭିଏତ ରୁଷ ଓ ଚୀନ ପ୍ରୋତ୍ସାହନ ପାଇ ଭାରତରେ ସିପିଆଇ, ସିପିଆଇଏମ, ସିପିଆଇ-ଏମ୍‌ଏଲ ଭଳି ବାମପନ୍ଥୀ ସଂଗଠନ ଭାରତର ରାଜନୀତିରେ ବଳିଷ୍ଠ ଭୂମିକା ଗ୍ରହଣ କରି ଆସୁଛନ୍ତି । ଭାରତର କେରଳ ଓ ପଶ୍ଚିମବଙ୍ଗକୁ କମ୍ୟୁନିଷ୍ଟ ଶାସକଙ୍କ ଗଡ଼ ବୋଲି କୁହାଯାଉଥିଲା । ଜ୍ୟୋତି ବସୁଙ୍କ ପରଲୋକ ପରେ ପଶ୍ଚିମବଙ୍ଗରେ କମ୍ୟୁନିଷ୍ଟ ପାର୍ଟି ଏକପ୍ରକାର ଦୁର୍ବଳ ହୋଇଗଲାଣି ।

ଆଗାମୀ ଦିନରେ ବାମପନ୍ଥୀଙ୍କ ହାତରୁ କେରଳ ଖସିଯିବାର ଆଶଙ୍କା କରାଯାଉଛି ।ତା’ ଭିତରେ ରକ୍ତର ଜବାବ ରକ୍ତରେ ଦେବାକୁ ପଣ କରିଥିବା ମାଓ ସଂଗଠନ ତା’ର ରକ୍ତମୁଖା ଆଭିମୁଖ୍ୟରୁ ଓହରିବାକୁ ନାରାଜ । ପୁଲିସ ଓ ଅର୍ଦ୍ଧସାମରିକ ବାହିନୀ ସହିତ ଜଙ୍ଗଲ ଭିତରେ ଲୁଚକାଳି ଖେଳିବାର ନିଶା ଛାଡ଼ିବାକୁ ନାରାଜ ।

ଆଦିବାସୀ ଲୋକଙ୍କୁ ହାତ ବାରିସି କରି ମାଓ ସଂଗଠନ ତା’ର ହୀନ ଉଦ୍ଦେଶ୍ୟ ପୂରଣ କରୁଥିଲା । କିନ୍ତୁ ଭାରତୀୟ ରାଜନୀତିରେ ବାମପନ୍ଥୀ ସଂଗଠନର ଦାରୁଣ ବିପର୍ଯ୍ୟୟ ମାଓ ସଂଗଠନକୁ ଆହୁରି ଦୁର୍ବଳ କରିଦେଲା । ସରକାରଙ୍କ ଆହ୍ୱାନରେ ବହୁ ମାଓନେତା ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଗଲେଣି । ତଥାପି କିଛି ମାଓନେତା ସେମାନଙ୍କର ହୀନ ବୁଦ୍ଧି ଛାଡ଼ି ପାରୁନାହାନ୍ତି ।

ନିକଟରେ ଓଡ଼ିଶାର କନ୍ଧମାଳ ଜିଲ୍ଲାରେ ପୁଲିସ-ମାଓବାଦୀଙ୍କ ଗୁଳି ବିନିମୟରେ ବରିଷ୍ଠ ମାଓନେତା ଦସୁରୁ ଓରଫ ଡୁଡୁ ମଣ୍ଡାରି ପ୍ରାଣ ହରାଇଛି । ଓଡ଼ିଶାର କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ନୟାଗଡ଼ ଡିଭିଜନର କମାଣ୍ଡର ଥିଲା । ଦସୁରୁ ଭଳି କିଛି ହାତଗଣତି ମାଓନେତା ଗଣତନ୍ତ୍ର ଶାସନ ପାଇଁ ଅଭିଶାପ ପାଲଟି ଯାଇଛନ୍ତି ।

ତେବେ ଯେ ପର୍ଯ୍ୟନ୍ତ ବଣଜଙ୍ଗଲରେ ବସବାସ କରୁଥିବା ଆଦିବାସୀ ଲୋକଙ୍କ ଆର୍ଥିକ ଓ ସାମାଜିକ ସ୍ଥିତି ସୁଦୃଢ଼ ନହୋଇଛି; ସେ ପର୍ଯ୍ୟନ୍ତ ମାଓବାଦୀଙ୍କୁ ଦମନ କରିବା ଅସମ୍ଭବ । ରାଜ୍ୟ ପ୍ରଶାସନର ଦୂରଦୃଷ୍ଟି ଅଭାବରୁ ଓଡ଼ିଶାର ଘଂଚ ଜଙ୍ଗଲରେ ନିପଟ ଆଦିବାସୀ ଇଲାକାକୁ କର୍ମସ୍ଥଳୀ ରୂପେ ବ୍ୟବହାର କରୁଛି ମାଓ ସଂଗଠନ ।