ମହିଳା ପୁଲିସଙ୍କୁ ନ୍ୟାୟ ଦେଇପାରୁନି ରାଜ୍ୟ ପୁଲିସ

ଭୁବନେଶ୍ୱର: ରାଜ୍ୟ ପୁଲିସ ପ୍ରଶାସନ ତାଙ୍କର ଜଣେ ମହିଳା କର୍ମଚାରୀଙ୍କୁ ନ୍ୟାୟ ଦେଇପାରିଲାନି । ୟା’ଠାରୁ ବଳି ଲଜ୍ଜାକର ଘଟଣା ଆଉ କ’ଣ ହୋଇପାରେ? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନରେ ନ୍ୟାୟ ନପାଇ ଜଣେ ମହିଳା ପୁଲିସ କର୍ମଚାରୀ ରାଜ୍ୟ ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଗଂଜାମରେ କାର୍ଯ୍ୟରତ ଜଣେ ମହିଳା ଏସ୍‌ଆଇ ତାଙ୍କ ଉପରିସ୍ଥ ଅଧିକାରୀଙ୍କ ଦୁଷ୍କର୍ମର ଶିକାର ହୋଇ ରାଜ୍ୟ ପୁଲିସ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ନିଜ ବିଭାଗର ଜଣେ ମହିଳା କର୍ମଚାରୀଙ୍କୁ ନ୍ୟାୟ ଦେବା ବଦଳରେ ଘଟଣାକୁ ଚପାଇ ଦେବା ପାଇଁ ଉଦ୍ୟମ କରାଗଲା । ଅନ୍ୟ ଉପାୟ ନପାଇ ପୀଡ଼ିତା ଏସଆଇ ଜଣକ ରାଜ୍ୟ ମାନବିକ ଅଧିକାର କମିଶନଙ୍କ ଦ୍ୱାରସ୍ଥ ହେଲେ । ଦୁଷ୍କର୍ମ ଅଭିଯୁକ୍ତ ଥାନାଧିକାରୀ ରମେଶ ପ୍ରଧାନଙ୍କୁ ଫିରିଙ୍ଗିଆ ଥାନାକୁ ବଦଳି କରାଗଲା । ରମେଶ ଏବେ ସେହିଠାରେ କାମ କରୁଛନ୍ତି ।

ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ପାଇ କାମଚଳା ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀ ରାଜ୍ୟ କ୍ରାଇମ ବ୍ରାଂଚକୁ ତଦନ୍ତ ଦାୟିତ୍ୱ ଦେଇଛନ୍ତି । ଅଭିଯୁକ୍ତ ରମେଶ ପ୍ରଧାନଙ୍କ ବିରୋଧରେ ପ୍ରମାଣ ମିଳିଲେ, ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।