କେତେଦିନ ତଳେ ମାସର ଦ୍ୱିତୀୟ ରବିବାର ସନ୍ଧ୍ୟାରେ ଆମ ରାଜ୍ୟର ସର୍ବପ୍ରାଚୀନ ସାରସ୍ୱତ ଅନୁଷ୍ଠାନ ଲେଖକ ସାମ୍ମୁଖ୍ୟ ଓଡିଶାର ମାସିକ ଅଧିବେଶନରେ ବୌଦ୍ଧିକ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଆଲୋଚନାର ଶୀର୍ଷକ ଥିଲା “ମଂଚନାଟକ ଏବେବି ବଂଚିଛି’ ।
ବନ୍ଧୁଗଣ! ଶୀର୍ଷକଟି ଶୁଣିବା ପରେ ଯେକେହି ଭାବିବେ ମଂଚନାଟକ ତେବେ କ’ଣ ମରିଯାଇଛି ବୋଲି ଲୋକେ ଧରି ନେଇଥିଲେ ଏବଂ ଏହା ମୁମୂର୍ଷୁ ଅବସ୍ଥାରେ ଅଛି ବା ଆଇସିୟୁ’ରେ ଭେଂଟିଲେଟରରେ ଅଛି। ଅନୁମାନଟି ଅନେକାଂଶରେ ସତ୍ୟ ଭଳି ପ୍ରତୀୟମାନ ହୁଏ । ଏହାର ଅନେକ କାରଣ ଥାଇପାରେ । ସେଥିମଧ୍ୟରୁ ଆମେ ଏହି ସ୍ତମ୍ଭରେ ସମ୍ୟକ ଆଲୋଚନା କରିବା । ଏଠାରେ ମଂଚନାଟକ ଭାବରେ ଯାତ୍ରା ବା ଅପେରାକୁ ସାମିଲ କରାଯାଇନାହିଁ। ମଂଚନାଟକ ବା ଥିଏଟର, ଯାହାକି ଅତୀତରେ କେବଳ ଏକ ମନୋରଞ୍ଜନର ମାଧ୍ୟମ ବା କଳାତ୍ମକ ନାଟ୍ୟଶୈଳୀ ଭାବେ ବିବେଚିତ ହେଉ ନଥିଲା, ବରଂ ମଂଚନାଟକ ଓଡିଶାର ସାମୂହିକ ଜୀବନଶୈଳୀ, ସଂସ୍କୃତି, ଜନସଚେତନତା, ସାମାଜିକ ଘଟଣାବଳୀର ପ୍ରତିଫଳନ ଓ ଆତ୍ମସ୍ୱରୂପର ଏକ ଜୀବନ୍ତ ଦସ୍ତାବିଜ ଭାବେ ପରିଗଣିତ ହେଉଥିଲା । ବିଭିନ୍ନ ସ୍ଥାନରେ ଥିବା ରଙ୍ଗମଂଚଗୁଡିକ, ବିଶେଷତଃ କଟକ ଏବଂ ପୁରୀରେ ଥିବା ଜନତା ଓ ଅନ୍ନପୂର୍ଣ୍ଣା ରଙ୍ଗମଂଚ ଦର୍ଶକମାନଙ୍କ ଦ୍ୱାରା ସନ୍ଧ୍ୟାରେ ଭରପୂର ହୋଇଯାଉଥିଲା, ଏପରିକି କାଳୀଚରଣ ପଟ୍ଟନାୟକଙ୍କ ନାଟକ “ଭାତ’ ଜନତା ଓ ଅନ୍ନପୂର୍ଣ୍ଣା ରଙ୍ଗମଂଚରେ ଦୀର୍ଘ ଚାରି ମାସ ଧରି ପ୍ରଦର୍ଶିତ ହୋଇଥିଲା।
ନାଟ୍ୟକାରମାନେ ମଧ୍ୟ ବଳିଷ୍ଠ ପଟ୍ଟଭୂମି ବା ପ୍ଲଟ୍, ପ୍ରଭାବଶାଳୀ ଚରିତ୍ର ଚିତ୍ରଣ ଏବଂ ସ୍ମରଣୀୟ ସଂଳାପ ମାଧ୍ୟମରେ ଦର୍ଶକମାନଙ୍କୁ ଆକୃଷ୍ଟ କରୁଥିଲେ । ନାଟକଗୁଡିକ ସାମାଜିକ ସମସ୍ୟା, ବ୍ୟକ୍ତିଧର୍ମ, ଦେଶପ୍ରେମ, ନୈତିକତା, ରାଜନୈତିକ ସମସ୍ୟା, ତ୍ୟାଗ ଭକ୍ତି, ସେବା ଉପରେ ପର୍ଯ୍ୟବେସିତ ହୋଇ ଦର୍ଶକମାନଙ୍କ ମନ ଜିଣିପାରୁଥିଲା। ବିଶେଷତଃ, ଷାଠିଏ ଓ ସତୁରି ଦଶକରେ ମଂଚନାଟକର ଖୁବ୍ ଲୋକପ୍ରିୟତା ପରିଲକ୍ଷିତ ହେଉଥିଲା।
ଏଥର ଆସନ୍ତୁ ବିଷୟବସ୍ତୁଟିର ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା । ସର୍ବପ୍ରଥମେ ଆମକୁ ମନେରଖିବାକୁ ହେବ ଯେ ଓଡିଆ ମଞ୍ଚନାଟକର ମୂଳ ଉତ୍ସ ହେଉଛି ଲୋକନାଟ୍ୟ ପରମ୍ପରା, ଯେଉଁଥିରେ କି ଆମେ ପାଇଥାଉ ମଂଚନାଟକ, ଯାତ୍ରା, ପାଲା, ଦାସକାଠିଆ, ଭାରତ ଲୀଳା, ସୁଆଙ୍ଗ ଓ ଆହୁରି ଅନେକ କିଛି । ଏହି ନାଟ୍ୟ ପରମ୍ପରା ମାଧ୍ୟମରେ ପୌରାଣିକ କଥା, ଭକ୍ତିରସ, ସାମାଜିକ ପ୍ରଥା ଇତ୍ୟାଦି ସଙ୍ଗୀତ ନୃତ୍ୟ ଓ ସରଳ ମନଛୁଆଁ ସଂଳାପ ମାଧ୍ୟମରେ ପର୍ଯ୍ୟବେସିତ ହୋଇ ଦର୍ଶକମାନଙ୍କୁ ଆକୃଷ୍ଟ କରୁଥିଲା। ଗଭୀର ଭାବନା, ପ୍ରଭାବୀ ସଂଳାପ, ଆକର୍ଷଣୀୟ ପରିପାଟୀ, ଆଲୋକ ଓ ମଂଚସଜ୍ଜା ଇତ୍ୟାଦି ଦର୍ଶକମାନଙ୍କୁ ବାନ୍ଧି ରଖିବାରେ ସହାୟକ ହେଉଥିଲା।
ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ ଓଡିଶାରେ ମଂଚନାଟକର ଲୋକପ୍ରିୟତା ଅନୁଭୂତ ହୋଇଥିଲା ପ୍ରଥମ ଓଡିଆ ନାଟକ ‘ବାବାଜୀ’ ମାଧ୍ୟମରେ । ଜଗମୋହନ ଲାଲାଙ୍କ “ବାବାଜୀ’ ନାଟକ ୧୮୭୭ ମସିହାରେ ରଚିତ ହୋଇ ମଂଚସ୍ଥ ହୋଇଥିଲା ଏବଂ ଦର୍ଶକମାନଙ୍କ ମଧ୍ୟରେ ଖୁବ୍ ଆଦୃତି ଲାଭ କରିଥିଲା। ଦେଶ ସ୍ୱାଧୀନତାର ପୂର୍ବବର୍ତି ଅବସ୍ଥାରେ ମଂଚନାଟକ ଅନେକ ଗୁରୁତ୍ୱପୂର୍ଣ୍ଣ ବାର୍ତା ପ୍ରଦାନ କରି ଦେଶପ୍ରେମ, ଜାଗ୍ରତ କରିବା ସହ ସମାଜରେ ସଂସ୍କାର ଆଣିବାରେ ସାମର୍ଥ୍ୟ ପ୍ରଦର୍ଶନ କରୁଥିଲା। ସାମାଜିକ କୁସଂସ୍କାର, ଅନ୍ଧବିଶ୍ୱାସ, ନାରୀ ସ୍ୱାଧୀନତା, ଯୌତୁକ ନିରୋଧ, ନିରକ୍ଷରତା ଓ ଜମିଦାର ଉଚ୍ଛେଦ, ଶୋଷଣ, ବିରୋଧ ଆଦି ବିଷୟବସ୍ତୁକୁ ମଂଚନାଟକରେ ପରିବେଷଣ କରାଯାଉଥିଲା।
ଏହି ପରିପ୍ରେକ୍ଷୀରେ ଜଗମୋହନ ଲାଲାଙ୍କ ନାଟକ ‘ବାବାଜୀ’, ରାମଶଙ୍କର ରାୟଙ୍କ “କାଂଚି କାବେରୀ’, କାଳୀ ଚରଣ ପଟ୍ଟନାୟକଙ୍କ “ଭାତ’ ମଂଚରେ ଅନେକ ଦିନ ଚାଲି ଦର୍ଶକଙ୍କୁ ମନୋରଞ୍ଜନ ପ୍ରଦାନ କରିବା ସହ ସାମାଜିକ ବ୍ୟବସ୍ଥାର ବାସ୍ତବତା ବିଷୟରେ ମଧ୍ୟ ସଚେତନ କରାଇଥିଲା। ଏହା କରିବା ଦ୍ୱାରା ସାହିତ୍ୟର ଯେଉଁ ଦ୍ୱେତ ଧର୍ମ ଯଥା- ନାନ୍ଦନିକତା ଓ ନୈତିକତା ପ୍ରଦାନ କରିବାରେ ଅପାର ସଫଳତା ହାସଲ କରିଥିଲା। ସ୍ୱାଧୀନତା ପରବର୍ତୀ କାଳରେ କାଳୀ ଚରଣ ପଟ୍ଟନାୟକଙ୍କ ପ୍ରଭାବଶାଳୀ ନାଟକ “ମୃଗୟା, ଶକୁନ୍ତଳା, ଚକ୍ରୀ, ରକ୍ତ ମନ୍ଦାର’, ଭଞ୍ଜ କିଶୋର ପଟ୍ଟନାୟକଙ୍କ ନାଟକ “ମାଣିକ ଯୋଡି, ଅଗ୍ନି ପରୀକ୍ଷା’ ମଂଚନାଟକକୁ ଲୋକପ୍ରିୟତାର ଶିଖର ଦେଶରେ ପହଂଚାଇବାରେ ସଫଳ ହୋଇଥିଲେ।
ବିଶ୍ୱଯୁଦ୍ଧ ପରବର୍ତୀ କାଳରେ ମଣିଷ ଯେତେବେଳେ ପରିଚୟ ସଙ୍କଟ ଓ ସ୍ଥିତିବାଦ ସମସ୍ୟାର ସାମ୍ନା କଲା ସେତେବେଳେ ପାଶ୍ଚାତ୍ୟ ନାଟ୍ୟକାର ଉଦ୍ଭଟ ନାଟକ ରଚନା କଲେ ଏବଂ ପରିଚୟ ସଙ୍କଟ, ଜୀବନର ଅର୍ଥହୀନତା ବିଷୟବସ୍ତୁ ଉପରେ ଅଧିକ ଗୁରୁତ୍ୱ ଦେଲେ। ପାଶ୍ଚାତ୍ୟ ନାଟକ ମାନଙ୍କ ମଧ୍ୟରୁ ଜାଁ ପଲ୍ ସାର୍ତଙ୍କ “ନୋ ଏକଜିଟ୍’, ଆଲ୍ୱଟ କ୍ୟାମୁଙ୍କ “କାଲିଗୁଲା’, କାଫକାଙ୍କ “ୱାଡେନ’, ଅଫ ଦି ଟୁମ୍ବ ଓ ସାମୁଏଲ ବେକେଟଙ୍କର “ୱେଟିଂ ଫର ଗୋଦୋ’, ଇଉଜିନ୍ ଆୟନେସକୋଙ୍କ “ଦି ଚେୟାରସ୍’, ଆର୍ଥର ଆଡାମୋଭଙ୍କ “ପିଙ୍ଗ୍ପଙ୍ଗ୍’, ହାରୋଲଡ ପିଟରଙ୍କ “ଦି ବାର୍ଥଡେ ପାର୍ଟି’, ଜାଁ ଜେନେଟଙ୍କ “ଦି ମେଡସ୍’, ଏଡୱାତ ଆଲବିଙ୍କ “ଜୁ ଷ୍ଟୋରୀ’ ଦର୍ଶକମାନଙ୍କୁ ଖୁବ୍ ପ୍ରଭାବିତ କରିଥିଲା। ଓଡିଶାରେ ମଧ୍ୟ ସ୍ଥିତିବାଦୀ ପ୍ରୟୋଗାତ୍ମକ ନାଟକର ଆୟମାରମ୍ଭ ହେଲା । ମନୋରଞ୍ଜନ ଦାସଙ୍କ “କାଠଘୋଡା, ଅରଣ୍ୟ ଫସଲ’, ବିଜୟ ମିଶ୍ରଙ୍କ “ଶବବାହକମାନେ, ହେ ସ୍ୱର୍ଗ ବିଦାୟ’ ଇତ୍ୟାଦି ରଚିତ ହୋଇ ସଫଳ ଭାବେ ମଂଚସ୍ଥ ହୋଇଥିଲା ଏବଂ ଦର୍ଶକୀୟ ଆଦୃତି ମଧ୍ୟ ସାଉଂଟିବାରେ ସଫଳ ହୋଇଥିଲା। ମୋଟ୍ ଉପରେ ମଂଚନାଟକର କ୍ରମବିକାଶ ଏବଂ ଉଚ୍ଚରଣ ଉପରେ ଯଦି ନଜର ପକାଇବା, ତେବେ ଏହି ବିକାଶଧାରାକୁ ତିନିଗୋଟି ପର୍ଯ୍ୟାୟଭୁକ୍ତ କରାଯାଇପାରେ । ପ୍ରଥମ ପର୍ଯ୍ୟାୟ ହେଲା ପ୍ରାକ୍ ସ୍ୱାଧୀନତା ଯୁଗ ଯେତେବେଳେ ମଂଚନାଟକଗୁଡିକ ମୁଖ୍ୟତଃ ଦେଶପ୍ରେମ, ସାମାଜିକ କୁସଂସ୍କାର, ନାରୀ ସ୍ୱାଧୀନତା, ଅର୍ଥନୈତିକ ବୈଷମ୍ୟ ଓ ଶୋଷଣ ଉପରେ ପର୍ଯ୍ୟବେସିତ ଥିଲା ଓ ସମାଜକୁ ସଂସ୍କାର ନିମିତ ଏକ ସକାରାତ୍ମକ ବାର୍ତା ପ୍ରଦାନ କରିବାରେ ସଫଳ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ମଂଚ ନାଟକଗୁଡିକ ଗଭୀର ଚରିତ୍ର ଚିତ୍ରଣ, ବଳିଷ୍ଠ ନିର୍ଦ୍ଦେଶନା ଓ ବାସ୍ତବଧର୍ମୀ ବିଷୟବସ୍ତୁ ଉପରେ ପର୍ଯ୍ୟବେସିତ ଥିଲା । ତୃତୀୟ ପର୍ଯ୍ୟାୟ ଆଧୁନିକ ଯୁଗରେ ପରୀକ୍ଷାମୂଳକ, ପ୍ରୟୋଗଧର୍ମୀ ନାଟକ ପ୍ରଦର୍ଶିତ ହେଲା । ଏହି ନାଟକଗୁଡିକ ଜଗତୀକରଣ, ପରିଚୟ ସଙ୍କଟ, ସ୍ଥିତିବାଦ ସମସ୍ୟା, ଏକାକୀପଣ, ନାରୀ ନିର୍ଯାତନା, ରାଜନୈତିକ ଅପରାଧ, ଦୁର୍ନୀତି, ଭ୍ରଷ୍ଟାଚାର ଭଳି ବିଷୟବସ୍ତୁ ଉପରେ କେନ୍ଦ୍ରୀଭୂତ ହେଲା । ଏହି ତିନିଗୋଟି ପର୍ଯ୍ୟାୟକୁ ଅବଲୋକନ କଲେ ଦେଖାଯାଏ ଯେ, ତୃତୀୟ ପର୍ଯ୍ୟାୟ ବେଳକୁ ଆସ୍ତେ ଆସ୍ତେ ମଂଚ ନାଟକର ଲୋକପ୍ରିୟତା ହ୍ରାସ ହେବାରେ ଲାଗିଲା। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ମଂଚନାଟକ ମନୋରଞ୍ଜନର ଏକ ପ୍ରମୁଖ ମାଧ୍ୟମ ଥିବା ବେଳେ ନବେଦଶକ ବେଳକୁ ଏହା ନିଷ୍ପ୍ରଭ ହେବାରେ ଲାଗିଲା।
ଏହି ଯେଉଁ ପରିସ୍ଥିତି ସୃଷ୍ଟି ହେଲା, ଏହାର କାରଣ ସମ୍ବନ୍ଧରେ ସମ୍ୟକ ଆଲୋଚନା ହେବା ଆବଶ୍ୟକ । ଜଗତୀକରଣ ପଶ୍ଚାତ୍ ଇଂଟରନେଟ, ଓଟିଟି ମାଧ୍ୟମରେ ଘରେ ବୈଠକଖାନାରେ ବସି ନିଜର ମନୋରଞ୍ଜନ କରିବାକୁ ଲୋକେ ବେଶି ପସନ୍ଦ କଲେ ।
ଯେଉଁ କେତେଗୋଟି ପେସାଦାର ମଂଚନାଟକ ଅନୁଷ୍ଠାନ ଥିଲା ସେସବୁ ଆର୍ଥିକ ସମସ୍ୟା, ସରକାରୀ ଉଦାସୀନତା, ପ୍ରୋତ୍ସାହନ ଅଭାବରୁ ଶିଥିଳ ହୋଇଗଲେ ଏବଂ ନାଟକ ପ୍ରଦର୍ଶନ କରିବା ପାଇଁ ପ୍ରେକ୍ଷାଳୟ ଖର୍ଚ୍ଚ ବହନ କରିବାକୁ ମଧ୍ୟ ସେମାନେ ସାମର୍ଥ୍ୟ ହରାଇଲେ । ଆଜିର ଦିନରେ ଯେଉଁ ନାଟକ ସବୁ ଲେଖାହେଉଛି, ସେଗୁଡିକର ପ୍ଲଟ୍ ପ୍ରାୟତଃ ଦୁର୍ବଳ ହୋଇଥିବାରୁ ଦର୍ଶକମାନଙ୍କୁ ସେତେଟା ଆକୃଷ୍ଟ କରିପାରୁନାହିଁ । କେତେକ କ୍ଷେତ୍ରରେ ଆକର୍ଷଣୀୟ ମଂଚସଜ୍ଜା ଓ ବଳିଷ୍ଠ ନିର୍ଦ୍ଦେଶନାର ମଧ୍ୟ ଅଭାବ ପରିଲକ୍ଷିତ ହେଉଛି । ଅତୀତରେ ଯେଉଁ ମଂଚ ସମାଜ ଓ ସଂସ୍କୃତିର ସ୍ପନ୍ଦନ ରୂପେ ବିବେଚିତ ହେଉଥିଲା ଆଜି କେତେକ ପେସାଦାର ମଂଚ ବନ୍ଦ ହୋଇଯାଇଛି। ମଂଚ କଳାକାରମାନେ ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଛନ୍ତି। ତେବେ ସ୍ଥିତି ସୁଧାରିବା ନିହାତି ଆବଶ୍ୟକ।
ଆସନ୍ତୁ, ଆଜି ମଂଚନାଟକକୁ ଉଜ୍ଜୀବିତ ଏବଂ କ୍ରିୟାଶୀଳ କରିବାର ବିକଳ୍ପ ବିଷୟରେ ଆଲୋଚନା କରିବା । ଏକ ସୁସ୍ଥ ସମାଜ ଗଠନ ଦିଗରେ କଳା ଏବଂ ସାହିତ୍ୟର ଯେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏହା ଅନସ୍ୱୀକାର୍ଯ୍ୟ । ସୁତରାଂ, ସାହିତ୍ୟ ଓ କଳାକୁ ବଞ୍ଚାଇ ରଖିବାକୁ ବେସରକାରୀ ଏବଂ ସରକାରୀ ସ୍ତରରେ ନିରବଚ୍ଛିନ୍ନ ଉଦ୍ୟମ ହେବା ଆବଶ୍ୟକ। ମଂଚ ନାଟକର ପୁନରୁଦ୍ଧାର ସହ ଏହାକୁ ଦର୍ଶକମାନଙ୍କ ଶ୍ରଦ୍ଧା, ଆଦୃତି ପ୍ରଦାନ କରିବା ଏବଂ ସେମାନଙ୍କ ନିକଟତର କରିବା ପାଇଁ ନିମ୍ନଲିଖିତ ଦିଗଗୁଡିକ ଉପରେ ବିଚାର କରାଯାଇପାରେ । ନାଟ୍ୟକାର, ନିର୍ଦ୍ଦେଶକ, ପ୍ରଯୋଜକ, ଅଭିନେତାମାନଙ୍କୁ ନେଇ ଜିଲ୍ଲା ପ୍ରଶାସନର ସହାୟତା ଓ ପୃଷ୍ଠପୋଷକତାରେ ପ୍ରତି ଜିଲ୍ଲାରେ ପ୍ରତି ମାସରେ କର୍ମଶାଳା ଆୟୋଜନ କରାଗଲେ ସାଧାରଣ ଦର୍ଶକଙ୍କର ଆଗ୍ରହ ବୃଦ୍ଧିପାଇବ ।
ନାଟ୍ୟକାରମାନେ ଆତ୍ମବିଶ୍ଳେଷଣ କରି ଯୁଗୋପଯୋଗୀ କାଳଜୟୀ ନାଟକ ରଚନା କରି ନିଜ ଉଦ୍ୟମରେ ନାଟ୍ୟ ସଂସ୍ଥା ଗଠନ କରି ନାଟକ ନିୟମିତ ଭାବେ ମଂଚସ୍ଥ କରିବାର ଆବଶ୍ୟକତା ରହିଛି। ରାଜ୍ୟର ସଙ୍ଗୀତ ନାଟକ ଏକାଡେମୀ କଳାକାର ଭତା ବୃଦ୍ଧି ସାଙ୍ଗକୁ ନିୟମିତ ନାଟକ ମଂଚସ୍ଥ କରିବା ପାଇଁ ରିହାତି ଦରରେ ବା ମାଗଣାରେ ରବୀନ୍ଦ୍ରମଣ୍ଡପ, ଭଞ୍ଜକଳା ମଣ୍ଡପ ଇତ୍ୟାଦି ପ୍ରେକ୍ଷାଳୟ ଯୋଗାଇ ଦେବାର ପ୍ରାବଧାନ କରିବା ଆବଶ୍ୟକ। ରାଜ୍ୟରେ ଅଭିନୟ ଓ ନିର୍ଦ୍ଦେଶନାର ତାଲିମ ନେବାପାଇଁ ଏକ ଅନୁଷ୍ଠାନ ଗଠନ କରାଯାଉ । ରାଜ୍ୟରେ ଜାତୀୟ ଓ ଅନ୍ତର୍ଜାତୀୟ ମଂଚନାଟକ ମହୋତ୍ସବର ଆୟୋଜନ କରାଯାଇ ରିହାତି ଦରରେ ଟିକେଟ ଯୋଗାଇ ଦିଆଯାଉ । ଶ୍ରେଷ୍ଠ ମଂଚ ସଂଯୋଜକ, ନିର୍ଦ୍ଦେଶକ, ପ୍ରଯୋଜକ ଓ କଳାକାର ପୁରସ୍କାର ବିତରଣ ବ୍ୟବସ୍ଥା କରାଯାଉ।
ଭାଗବତ ଟୁଙ୍ଗୀ ଭଳି ପ୍ରତି ଗ୍ରାମରେ ନାଟ୍ୟଶାଳା ବା ଆଖଡାଘରର ପୁନରୁତ୍ଥାନ କରାଯାଉ। ସେହି ଆଖଡାଘର ଅଭିନେତା ଅଭିନେତ୍ରୀଙ୍କ ତାଲିମ ଶାଳା ଭାବେ କାମ କରିବ। ଓଡିଶା ଲେଖକ ସାମ୍ମୁଖ୍ୟ ସାରସ୍ୱତ ଆଲୋଚନାଚକ୍ରରେ ମୁଁ ଉପରୋକ୍ତ ବକ୍ତବ୍ୟ ରଖିବା ସହ ବକ୍ତାମାନଙ୍କ ଆଲୋଚନା ସହ ମଧ୍ୟ ଏକମତ ହେଲି। ପରିଶେଷରେ ମଂଚନାଟକ ଏବେ ବି ବଂଚିଛି ଓ ଆଗାମୀ ଦିନରେ ବଂଚି ରହିବ ବୋଲି ସର୍ବସମ୍ମତିକ୍ରମେ ମତ ପ୍ରକାଶ ପାଇଥିଲା।