ଗୁରୁଙ୍କ ପ୍ରତିଶୋଧ ନେବେ ପାଣ୍ଡିଆନ୍‌

ଗୁରୁ ପ୍ୟାରିମୋହନ ମହାପାତ୍ରଙ୍କ ମୁଖ୍ୟମନ୍ତ୍ରୀ ହେବାର ଆଶା ଆଶାରେ ରହିଗଲା । କିନ୍ତୁ ତାଙ୍କ ଶିଷ୍ୟ ଭିକେ ପାଣ୍ଡିଆନ୍‌ ଅବଶ୍ୟ ମୁଖ୍ୟମନ୍ତ୍ରୀ ହୋଇଯିବେ । ରାଜ୍ୟର କିଛି ରାଜନୈତିକ ବିଶାରଦ ଏଭଳି ମତାମତ ପ୍ରଦାନ କରିଛନ୍ତି । ସେମାନଙ୍କ ମତରେ ଗୁରୁଙ୍କଠାରୁ ଗୋଟିଏ ପାଦ ଆଗରେ ଅଛନ୍ତି ପାଣ୍ଡିଆନ । ଗୁରୁ ପ୍ୟାରିମୋହନ ନବୀନଙ୍କୁ ରାଜନେତାଙ୍କ ଭିତରେ ଗଣୁ ନଥିଲେ । ସବୁବେଳେ ହାକିମଗିରି କରୁଥିଲେ । ପ୍ୟାରିମୋହନଙ୍କ ସାମ୍ନାରେ ବାଧ୍ୟ ପିଲାଟି ଭଳି ବସୁଥିଲେ ନବୀନ ପଟ୍ଟନାୟକ ।
ତା’ରି ଭିତରେ ନବୀନ ସୁଯୋଗ ଉଣ୍ଡୁଥାନ୍ତି କେମିତି ପ୍ୟାରିମୋହନଙ୍କ କବଳରୁ ମୁକ୍ତ ହେବେ । ଯୋଗକୁ ବିଲେଇ କପାଳକୁ ଶିକା ଛିଣ୍ଡିଲା, ପ୍ୟାରିମୋହନ ନିଜକୁ ଅଧିକ ବୁଦ୍ଧିଆ ଭାବି ଗୋଟି ଚଳାଇଲେ; ମାତ୍ର ବିଜେଡିର କିଛି ବରିଷ୍ଠ ତାଙ୍କୁ ନବୀନଙ୍କ ଆଗରେ ବଳି ପକାଇଦେଲେ ।

ଚତୁର ଶିଷ୍ୟ ପାଣ୍ଡିଆନ ପ୍ୟାରିମୋହନଙ୍କ ଭୁଲଟିକୁ ଠାବ କରିନେଲେ । ବାସ୍‌, ପ୍ୟାରିମୋହନଙ୍କ ତଡ଼ା ଖାଇବା ପରେ ନବୀନଙ୍କ ନିକଟତର ହେବା ପାଇଁ ଗୋଟି ଚଳାଇଲେ । ଖୁବ୍‌ କମ୍‌ ଦିନ ଭିତରେ ନବୀନଙ୍କ ଗଳାର ହାର ହୋଇଗଲେ ।

ମଉକା ଦେଖି ନବୀନଙ୍କ ଦୁର୍ବଳତାଟିକୁ ମୁଠାଇ ଧରିଲେ । ଏବେ ନବୀନଙ୍କୁ ଚେକ୍‌ କରି ଆଗକୁ ପାଦ ବଢ଼ାଇବା ପାଣ୍ଡିଆନଙ୍କ ପକ୍ଷେ ସହଜ ହୋଇଯାଇଛି । ଯେତେ ଉଦ୍ୟମ କଲେ ମଧ୍ୟ ନବୀନ ପଟ୍ଟନାୟକଙ୍କ କେଶାଗ୍ରକୁ ଛୁଇଁ ପାରିବେନି ।

କ୍ଷମତାସୀନ ମନ୍ତ୍ରୀ, ବିଧାୟକ ଓ ସାଂସଦମାନଙ୍କର ସବୁ ଦୋଷ ଦୁର୍ବଳତା ଓ ଅପରାଧିକ କାରନାମା ପେଡ଼ି ହାତରେ ଧରି ପାଣ୍ଡିଆନ୍‌ ବିଜେଡିକୁ ଦଖଲ କରିବା ପାଇଁ ଉଦ୍ୟତ ।
ପାଣ୍ଡିଆନଙ୍କ ଆଦେଶକୁ ମୁଣ୍ଡପୋତି ମାନିବା ଛଡ଼ା ବିଜେଡିର ତୁଙ୍ଗନେତାଙ୍କ ପାଖରେ ଆଉ କିଛି ରାସ୍ତା ନାହିଁ । ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କୁ ଘେରାବନ୍ଦୀ ଭିତରେ ରଖି ପାଣ୍ଡିଆନ ଆପଣା ଖେଳ ଖେଳୁଛନ୍ତି ।