ସାଇତି ରଖନ୍ତୁ ଅଣ୍ଡାକୁ ମାସମାସ

ଅଣ୍ଡାରେ ଅଧିକ ପରିମାଣର ପ୍ରୋଟିନ୍‌ ରହିଥାଏ । ଅଧିକ ଥଣ୍ଡା ଅନୁଭୂତ ହେଉଥିଲେ ଅଣ୍ଡା ଖାଇଲେ ଶରୀର ଭିତରେ ଉଷ୍ମତା ଭରିଯାଏ । ଅଧିକାଂଶ ଲୋକ ବଜାରରୁ ଡଜନ ଡଜନ ଅଣ୍ଡା କିଣି ଘରକୁ ଆଣିଥାନ୍ତି । ମାତ୍ର ଅଣ୍ଡାକୁ ଭଲ ଭାବରେ ସାଇତି ରଖିବା ମାଲୁମ ନଥିବାରୁ କ୍ଷତିରେ ପଡ଼ିଥାନ୍ତି । ଅଣ୍ଡାକୁ ମାସମାସ ଧରି ସାଇତି ରଖିବାର କୌଶଳ ଆଜି ଜାଣନ୍ତୁ ।

ଆପଣ ଜାଣନ୍ତି, ତାଜା ଅଣ୍ଡା ପାଣିରେ ପକାଇବା ମାତ୍ରେ ବୁଡ଼ିଯାଏ, ଖରାପ ଅଣ୍ଡା ଭାସେ । ଅଣ୍ଡା ଭଲ ଅଛି କି ନା ଜାଣିବା ପାଇଁ ଗୋଟିଏ ପାତ୍ରରେ ଥଣ୍ଡା ପାଣି ସେଥିରେ ଅଣ୍ଡା ପକାଇ ପରଖି ନିଅନ୍ତୁ । ଦୋକାନରେ ଅଣ୍ଡା ଭଲ ଅଛି କି ନା’ ଜାଣିବାକୁ ଚାହୁଁଥିଲେ, ଅଣ୍ଡାକୁ ଧରି ହଲାନ୍ତୁ, ଶବ୍ଦ ଆସୁଥିଲେ ତାହା ଖରାପ ହୋଇଯାଇଛି ବୋଲି ଜାଣିବେ । ଘରେ ଫ୍ରିଜ ଥିଲେ, ଅଣ୍ଡାକୁ କିଣିବା ପରେ ସେଗୁଡ଼ିକୁ ମଝିଥାକରେ ସାଇତି ରଖନ୍ତୁ କାରଣ ସେଠାରେ ତାପମାତ୍ରା ସମ ପରିମାଣର ରହିଥାଏ ।

ଅଣ୍ଡାକୁ ଫ୍ରିଜର ଦରଜା ଭାଗରେ ରଖିଲେ, ଖରାପ ହୋଇଯିବାର ଆଶଙ୍କା ଅଧିକ । ଫ୍ରିଜ ନଥିଲେ ଗୋଟିଏ ଥଣ୍ଡା ମାଟିପାତ୍ର ଭିତରେ ଅଣ୍ଡାକୁ ସାଇତି ରଖିପାରିବେ । ମାଠିଆ ତଳଭାଗରେ କିଛି ଶୁଖିଲା ଘାସ ବିଛାଇ ତା’ ମଝିରେ ଅଣ୍ଡା ରଖିଲେ, ଅଣ୍ଡା ଅଧିକ ଦିନ ସୁରକ୍ଷିତ ରହିଥାଏ । ତା’ ନହେଲେ ଝୋଟରେ ତିଆରି ଅଖା ଭିତରେ କାର୍ଟୁନ ସହିତ ରଖିବା ଉଚିତ୍‌ ।