ସତ କହିବା ମହାପାପ: ‘୫ ବର୍ଷ ଖଟିବ, ୫୦ ବର୍ଷ ଖାଇବ’

ଭୁବନେଶ୍ୱର: ଟିଉସନ ସାର ଛାତ୍ରକୁ ପଢ଼ାଉଥିଲେ, ମିଛ କହିବା ମହାପାପ । କଥାଟି ଶୁଣି ମୋର ପିଲାଦିନର କଥା ମନେ ପଡ଼ିଗଲା । ମୋ ସାର ମୋତେ ଏମିତି ପଢ଼ାଇଥିଲେ । କଲେଜ ପାଠ ସାରି ପେଟ ପାଇଁ ଏ ଅଫିସ ସେ ଅଫିସ ବୁଲିବା ଭିତରେ ବାସ୍ତବ ଦୁନିଆର କଦର୍ଯ୍ୟ ଚେହେରା ଅନୁଭବ କଲି । ଅସଲ ଦୁନିଆରେ ସତ କହିଲେ ମଲ ।

ଗଣମାଧ୍ୟମରେ କାମ କରିବା ଭିତରେ ସବୁ ସରକାରୀ ଅଫିସ, ଘରୋଇ ସଂସ୍ଥା, କମ୍ପାନୀ, ଦୋକାନ ବଜାର, ବ୍ୟାଙ୍କ, ବୀମା ଅଫିସ ଯାଇଛି । ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, କୋର୍ଟକଚେରୀ ସବୁଠାରେ ମିଛକୁ ପ୍ରାଥମିକତା ଦିଆଯାଉଛି ।

ବାସ୍ତବ ଦୁନିଆରେ ପ୍ରତିଟି ମୁହୂର୍ତରେ ମିଛ କହିବା ଜରୁରୀ । ସତ କହିଲେ ଉପର ଅଧିକାରୀ ଅପମାନିତ ଅନୁଭବ କରିବେ । ମୋ କଥାର ସତ୍ୟତା ସମସ୍ତେ ଅନୁଭବ କରୁଛନ୍ତି; କିନ୍ତୁ ମୁହଁ ଖୋଲିବାକୁ ସାହସ କରିବେନି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିୟାନଙ୍କ କଥା ଓ କାମର ସତ୍ୟତାକୁ କେବେ ଅନୁଭବ କରିଛନ୍ତି? ଆଦର୍ଶ ବିଦ୍ୟାଳୟରେ କମ୍ପ୍ୟୁଟର ନାହିଁ, ଇଂଟରନେଟ୍‌ ନାହିଁ, ଶିକ୍ଷକ ଶିକ୍ଷୟିତ୍ରୀ ପଦବୀ ଖାଲି । କେତେକ ସଭାରେ ପାଣ୍ଡିୟାନ କହୁଛନ୍ତି, ‘ପାଂଚବର୍ଷ ପାଇଁ କାମ କରିବ, ୫୦ ବର୍ଷ ପାଇଁ ବସିକି ଖାଇବ ।’ ସରକାରଙ୍କ ଦୃଷ୍ଟିରେ ଏମିତି କି ଧନ୍ଦା ରହିଛି ଯାହାକୁ ୫ ବର୍ଷ ପାଇଁ କରିବାକୁ ପଡ଼ିବ, ୫୦ ବର୍ଷ କାଳ ବସି ବସି ଖାଇବାକୁ ପଡ଼ିବ ।