ଇସ୍ରାଏଲ ସୈନିକଙ୍କ କଟାମୁଣ୍ଡ ଲକ୍ଷାଧିକ ଟଙ୍କା!

ନୂଆଦିଲ୍ଲୀ: ହମାସ ଆତଙ୍କୀ ସଂଗଠନର କଦର୍ଯ୍ୟ ଚେହେରା ବର୍ଣ୍ଣନା କରିଛନ୍ତି ଜଣେ ଇସ୍ରାଏଲ ନାଗରିକ । ସଂପୃକ୍ତ ନାଗରିକଙ୍କ ପୁୂଅ ଇସ୍ରାଏଲ ସେନାବାହିନୀରେ କାମ କରୁଥିଲେ । ଗାଜାରେ ହମାସ ବିରୋଧରେ ଯୁଦ୍ଧ କରୁଥିଲା ବେଳେ ଅକସ୍ମାତ ଧରା ପଡ଼ିଯାଇଥିଲେ ତାଙ୍କର ୧୯ ବର୍ଷୀୟ ପୁଅ ଆଦିର ତାହର । ଜଣେ ହମାସ ଆତଙ୍କୀ କ୍ଷତାକ୍ତ ଆଦିରଙ୍କ ପ୍ରତି ସାମାନ୍ୟ ସହାନୁଭୂତି ଦେଖାଇ ନଥିଲା ।

ନିଷ୍ଠୁର ଆତଙ୍କୀ ନିରସ୍ତ୍ର ଆଦିରଙ୍କ ମୁଣ୍ଡକୁ କାଟି ଦେଇଥିଲା । ଉକ୍ତ କଟାମୁଣ୍ଡକୁ ପ୍ରାୟ ୮ ଲକ୍ଷ ୩୨ ହଜାର ଟଙ୍କାରେ ବିକିବାକୁ ଉଦ୍ୟମ କରିଥିଲା । ଅକ୍ଟୋବର ୭ ତାରିଖ ଦିନ ଇସ୍ରାଏଲ ସୈନିକ ଆଦିର ଗାଜାରେ ହମାସ ଉପରକୁ ଗ୍ରେନେଡ୍‌ ଫିଙ୍ଗିବା ପରେ ମରଣ ଜନ୍ତାରେ ପଡ଼ି ଯାଇଥିଲା ।

ଦକ୍ଷିଣ ଇସ୍ରାଏଲରେ ହମାସ୍‌ ହାତରେ ପ୍ରାଣ ହରାଇଥିବା ୧୨୦୦ ଇସ୍ରାଏଲ ସୈନ୍ୟ ଓ ନାଗରିକଙ୍କ ଭିତରୁ ଆଦିର ଜଣେ । ମୃତ ଆଦିରଙ୍କ ବାପା ଡେଭିଡ୍‌ ତାହର ଗୋଟିଏ ଚାନେଲ ଆଗରେ କାନ୍ଦ କାନ୍ଦ ହୋଇ ପୁଅ ପ୍ରତି କରାଯାଇଥିବା ବର୍ବରତାପୂର୍ଣ୍ଣ କାହାଣୀକୁ ବଖାଣିଥିଲେ ।