ବାଲ୍ୟ ବିବାହ ନିଷିଦ୍ଧ ଆଇନ ଅସହାୟ !

ଆମ ଦେଶରେ ବାଲ୍ୟ ବିବାହ ଏକ ପରମ୍ପରା ଭାବେ ରହି ଆସିଥିବାବେଳେ ବ୍ରିଟିଶ ଶାସନ ଅମଳରେ ….

ଆମ ଦେଶରେ ବାଲ୍ୟ ବିବାହ ଏକ ପରମ୍ପରା ଭାବେ ରହି ଆସିଥିବାବେଳେ ବ୍ରିଟିଶ ଶାସନ ଅମଳରେ ୧୯୨୯ ମସିହାରେ ଏହାକୁ ନିଷିଦ୍ଧ କରାଯାଇଥିବାବେଳେ ସ୍ୱାଧୀନ ଭାରତରେ ପୁନର୍ବାର ୨୦୦୬ ମସିହାରେ ଏହାକୁ ନିଷିଦ୍ଧ କରାଯିବା ସତ୍ୱେ ଦେଶରେ ଏବେ ବି ଏହା ଚିନ୍ତାଜନକ ସ୍ଥିତିରେ ରହିଛି। ଉଲ୍ଳେଖଯୋଗ୍ୟ ଯେ, ଆମ ଦେଶରେ ଝିଅଙ୍କ ବିବାହ ଯୋଗ୍ୟ ବୟସ ୧୮ ଏବଂ ପୁଅଙ୍କ ବିବାହ ଯୋଗ୍ୟ ବୟସ ୨୧ବର୍ଷ ଧାର୍ଯ୍ୟ କରାଯାଇଥିବା ସତ୍ୱେ ଦେଶରେ ଏବେ ବି ୨୦ ରୁ ୨୪ବର୍ଷ ମଧ୍ୟରେ ପ୍ରତି

୪ଜଣରେ ଜଣେ ଯୁବତୀ ବାଲ୍ୟ ବିବାହ କରୁଥିବା ୟୁନିସେଫ ରିପୋର୍ଟରେ କୁହାଯାଇଛି। ୨୦୨୩ରେ ୟୁନିସେଫ଼ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଉଛି ଯେ, ବିଶ୍ୱରେ ୬୪କୋଟି ବାଳିକା ବାଲ୍ୟ ବିବାହ ଘଟଣା ଘଟିଥିବାବେଳେ ଭାରତରେ କେବଳ ଏହାର ଏକ ତୃତୀୟାଂଶ ବିବାହ ସମ୍ପନ୍ନ ହୋଇଛି। ୨୦୦୬ ମସିହାରେ ବାଲ୍ୟ ବିବାହ ନିଷେଧ ପାଇଁ ପାର୍ଲିଆମେଂଟରେ ପ୍ରଣୟନ କରାଯାଇଥିବା ଆଇନ ଉଲଂଘନ ପାଇଁ କଠୋର ଦଣ୍ଡବ୍ୟବସ୍ଥା ଥିବା ସତ୍ୱେ ଏହାର ପ୍ରଭାବ ଲୋକଙ୍କ ଉପରେ ପଡିଥିବା ମନେହୁଏ ନାହିଁ, ବାଲ୍ୟ ବିବାହକୁ ରୋକିବାରେ ଆଇନର ଅସହାୟ ହୋଇ ପଡିଥିବା କହିଲେ ହୁଏତ ଅତିରଂଜିତ ହୋଇନପାରେ। ଉଲ୍ଲେଖଯୋଗ୍ୟ ଯେ, ଦେଶରେ ବାଲ୍ୟ ବିବାହର ମୂଳୋତ୍ପାଟନ ପାଇଁ କେନ୍ଦ୍ର ସରକାରଙ୍କ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନର ପ୍ରଥମ ବାର୍ଷିକୀ
ଉତ୍ସବ ଚଳିତ ମାସରେ ପାଳିତ ହେବାକୁ ଯାଉଛି।

ଆସନ୍ତା ୨୦୩୦ ମସିହା ସୁଦ୍ଧା ଦେଶକୁ ବାଲ୍ୟ ବିବାହ ମୁକ୍ତ ରାଷ୍ଟ୍ର ଘୋଷଣା ପାଇଁ କେନ୍ଦ୍ର ସରକାର ସଂକଳ୍ପ ଘୋଷଣା କରିଥିବା ସତ୍ୱେ ଏବେ ଦେଶରେ ବାଲ୍ୟ ବିବାହ ଘଟଣାମାନ ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରୁଛି। ଏହା ନିସନ୍ଦେହ ଯେ କେତେକ ସମ୍ପ୍ରଦାୟରେ ସାମାଜିକ ପରମ୍ପରା, ଦାରିଦ୍ର୍ୟ, ଆର୍ଥିକ ଦୂରାବସ୍ଥା, ନାବାଳିକା ଯୌନ ଶୋଷଣ, ଅଶିକ୍ଷା ଲିଙ୍ଗଗତ ଅସମାନତା, ଅଧାରୁ ପାଠଛଡା, ସଚେତନତାର ଅଭାବ ଏବଂ ଆଇନର ଦୁର୍ବଳ କାର୍ଯ୍ୟକାରିତା ଆଦି କାରଣ ଭାବେ ଉଭା ହୋଇଛି। କହିବା ଅଯର୍ଥାତ ହେବ ନାହିଁ ଯେ, ଦେଶରେ ବାଲ୍ୟ ବିବାହ ନିଷେଧ ଆଇନରେ କଠୋର ଦଣ୍ଡବିଧାନ ତଥା ଉଭୟ ଜେଲ ଓ ଜରିମାନା ବ୍ୟବସ୍ଥା ଥିବା ସତ୍ୱେ କେବଳ ଆଇନଗତ ସହାୟତାରେ ପରାମର୍ଶରେ ପରିଣତ ହୋଇଛି। ତେବେ ପଶ୍ଚିମବଙ୍ଗ ପରି କେତେକ ରାଜ୍ୟରେ ଶିକ୍ଷା ଓ ନଗଦ ଆର୍ଥୀକ ପ୍ରଦାନ ବିବାହକୁ କେତେକ କ୍ଷେତ୍ରରେ ବିଳମ୍ବିତ କରିଛି ସତ ମାତ୍ର ଯେଉଁଠାରେ ଦୁର୍ବଳ ଶିକ୍ଷାବ୍ୟବସ୍ଥା ଏବଂ ଯୁବତୀଙ୍କୁ ସମ୍ନାନଜନକ କର୍ମନିଯୁକ୍ତି ଯୋଗାଣର ଅଭାବ ଯୋଗୁ ଏହାର ଫିକା ପଡିଯାଇଥିବା କୁହାଯାଇପାରେ। ଆହୁରି ମଧ୍ୟ ଜୀବନ ଜୀବିକା ବିପର୍ଯ୍ୟାସ୍ତ, କାମଧନ୍ଦା ପାଇଁ ପରିବାର ସ୍ଥାନାନ୍ତର, ଶିକ୍ଷା ବାଧାପ୍ରାପ୍ତ ଆଦି ଯୋଗୁଁ ବାଲ୍ୟ ବିବାହକୁ ଉତ୍ସାହିତ କରିବାରେ ଜଳବାୟୁ ପରିବର୍ତନ ଏବେ ଏକ ବଳିଷ୍ଠ ଭାବେ ଉଭା ହୋଇଥିବା କୁହାଯାଇପାରେ। ବିଶେଷ କରି ଜଳବାୟୁ ପରିବର୍ତନ ଜନିତ ପ୍ରାକୃତିକ ବିପର୍ଯ୍ୟାୟ, ଅଧାରୁ ପାଠଛାଡ, ଆର୍ଥୀକ ଅସ୍ଥିରତା, ଜୀବନ-ଜୀବିକା ପାଇଁ ସ୍ଥାନାନ୍ତର ଆଦି ବାଲ୍ୟବିବାହକୁ ଉତ୍ସାହିତ କରୁଛି। ବାଳିକାଙ୍କୁ ଯୌନ ଶୋଷଣ ଯୋଗୁଁ ଲୋକ ଲଜ୍ୟା ସହ୍ୟ କରିନପାରି କେତେକ ଜୀବନ ହାରୁଥିବା ବେଳେ ପରିବାରର ସମ୍ନାନ ରକ୍ଷା ପାଇଁ ବୟସ ପୂର୍ବରୁ ଲୁଚାଚୋରାରେ ଅନ୍ୟତ୍ର ବିବାହ କରି ଦିଆଯାଇଛି। ଆମ ରାଜ୍ୟରେ ନାବାଳିକା ଚାଲାଣ ଏବେ ବଢିବାରେ ଲାଗିଛି। ପିତାମାତାଙ୍କୁ ଆର୍ଥୀକ ପ୍ରଲୋଭନ, ବିବାହ ପ୍ରଲୋଭନ ଦେଖାଇ ନାବଳିକାମାନଙ୍କୁ ଅନ୍ୟତ୍ର ବିକ୍ରି କିମ୍ବା ବିବାହ କରାଇ ଦେଉଥିବା ଅଭିଯୋଗ ହୁଏ। ଆମ ରାଜ୍ୟରେ ଦାରିଦ୍ର୍ୟ, ଅଶିକ୍ଷା ଏବେ ବାଲ୍ୟ ବିବାହାର ମୁଖ୍ୟ କାରଣ ପାଲଟିଥିବା କହିଲେ ଅତିରଂଜିତ ହୋଇନପାରେ। ଏହା ନିସନ୍ଦେହ ଯେ, ଦାରିଦ୍ର୍ୟ, ଶିକ୍ଷା, କର୍ମନିଯୁକ୍ତି କନ୍ୟା ସୁରକ୍ଷା ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ବାଲ୍ୟ ବବାହକୁ ରୋକିବା ସମ୍ଭବ ନୁହେଁ, ସେହିପରି ସାମାଜିକ

କଟକଣା, କୁସଂସ୍କାର, ବାଲ୍ୟବିବାହରେ ଦାମ୍ପତ୍ୟ ଜୀବନ ଏବଂ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ଆଦି ସମ୍ପର୍କରେ ବ୍ୟାପକ ସଚେତନା ଏବଂ ଆଇନର କାର୍ଯ୍ୟକାରିତା ଆବଶ୍ୟକ। ଅନ୍ୟଥା ୨୦୩୦ ସୁଦ୍ଧା
ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ କେବଳ ସ୍ୱପ୍ନରେ ରହିଯିବା ସାର ହେବ।