‘ଆତଙ୍କୀ’ ଶବ୍ଦଟିର ସଂଜ୍ଞା ନିରୂପଣ ଜରୁରୀ

ନୂଆଦିଲ୍ଲୀ: ଆତଙ୍କ ସୃଷ୍ଟିକାରୀ ବ୍ୟକ୍ତିକୁ ଯଦି ଆତଙ୍କୀ ଆଖ୍ୟା ଦିଆଯାଏ, ତେବେ କେବଳ ମୁସଲିମ ଲୋକମାନେ ହିଁ ସମାଜରେ ଆତଙ୍କ ସୃଷ୍ଟି କରନ୍ତି ବୋଲି ଲୋକଙ୍କ ମନରେ ରହିଥିବା ଭ୍ରାନ୍ତ ଧାରଣା ଦୂର ହେବା ଜରୁରୀ । କେନ୍ଦ୍ର ସରକାର ଅଥବା ସୁପ୍ରିମକୋର୍ଟ ‘ଆତଙ୍କୀ’ ଶବ୍ଦଟିର ସଂଜ୍ଞା ନିରୂପଣ କରି ସମାଜକୁ ଜଣାନ୍ତୁ । ଦେଶ ଭିତରେ ଆତଙ୍କ ସୃଷ୍ଟି କରୁଥିବା ଲୋକଙ୍କ ଧର୍ମ, ଜାତି, ବର୍ଣ୍ଣ ଓ ସଂପ୍ରଦାୟ ପ୍ରତି ଦୃଷ୍ଟି ଦିଆଯିବା ଦରକାର ନାହିଁ । ଆତଙ୍କୀ’ର ଗୋଟିଏ ପରିଚୟ ହେଉଛି ସେ ସମାଜରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି କରୁଥିବା ଗୋଟିଏ ଦୁଷ୍ଟ ଚରିତ୍ର । ତାକୁ ଧରି ଉଚିତ ଦଣ୍ଡ ବିଧାନ ଉଭୟ ସରକାର ଓ ନ୍ୟାୟାଳୟଙ୍କର କାର୍ଯ୍ୟ ।

ବେଙ୍ଗାଲୁରୁ ଏମ୍‌ଆଇଟି’ର ଜଣେ ପ୍ରଫେସର ଜଣେ ମୁସଲିମ ଛାତ୍ରଙ୍କୁ ଶ୍ରେଣୀକକ୍ଷରେ ଅନ୍ୟ ପିଲାଙ୍କ ଉପସ୍ଥିତିରେ ‘ଆତଙ୍କବାଦୀ’ କହି ପରେ ନିଲମ୍ବିତ ହେବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଜଣେ ଶିକ୍ଷାବିତ ‘ଆତଙ୍କୀ’ର ସଂଜ୍ଞା ନିରୂପଣ କରିବାକୁ ଯାଇ ଘୋର ବିବାଦରେ ଫସିଗଲେ । ଜଣେ ଉଚ୍ଚଶିକ୍ଷା ଲାଭ କରିଥିବା ଅଧ୍ୟାପକ ଆତଙ୍କୀ’ର ସଂଜ୍ଞା ନିରୂପଣ କରିପାରୁ ନଥିବାବେଳେ ସାଧାରଣ ପାଠଶାଠ ପଢ଼ିଥିବା ଲୋକମାନେ ଆତଙ୍କୀ’ ଶବ୍ଦକୁ ଶୁଣି ଭୟରେ କଳାକାଠ ପଡ଼ିଯିବେ ।

ପାଟିରୁ ଶବ୍ଦଟିଏ ବାହାରି ଯିବାପରେ ଯେତେ କ୍ଷମା ମାଗିଲେ କ’ଣ ହେବ? ଦେଶ ଭିତରେ ଆତଙ୍କ ସୃଷ୍ଟି କରୁଥିବା ଲୋକ ଭିତରେ ଆମେମାନେ କାହାକୁ ଗଣିବା, ତାହା ଆମ ସମସ୍ତଙ୍କ ପାଇଁ ବିରାଟ ପ୍ରଶ୍ନ । ସମୟ ସମୟରେ ସାମାନ୍ୟ ଘଟଣାକୁ କେନ୍ଦ୍ର କରି ଥାନାରେ ପୁଲିସ ଅଭିଯୁକ୍ତକୁ ପିଟିପିଟି ଲହୁଲୁହାଣ କରିଦେଉଛି । ସେତେବେଳେ ମାଡ଼ ମାରୁଥିବା ପୁଲିସ କର୍ମଚାରୀ ଆମ ଦୃଷ୍ଟିରେ ଜଣେ ଆତଙ୍କୀ । ରାସ୍ତାଘାଟରେ କାନଫଟା ଏୟାରହର୍ଣ୍ଣ ବଜାଇ ବାଇକ ଚଲାଉଥିବା ଉତୁପାତିଆ ଯୁବକ ଆମ ପାଇଁ ଜଣେ ଆତଙ୍କୀ ନୁହେଁ କି? ଶୂନଶାନ ରାସ୍ତାରେ ଧୀରଭାବରେ ଚାଲିଚାଲି ଯାଉଥିବା ଲୋକଟିର ଅତି ନିକଟରେ ପହଂଚି ବାଇକରୁ କାନଫଟା ସାଇରନ୍‌ ବଜାଇଲେ, ଲୋକଟି ଛାନିଆରେ ବେହୋସ ହୋଇଯିବାର ସମ୍ଭାବନା ଅଛି । ଅସାମାଜିକ ଲୋକଟିଏ ହାତରେ ଖଣ୍ଡା ଧରି ରାସ୍ତାରେ ବୁଲାଇ ବୁଲାଇ ଅନ୍ୟମାନଙ୍କୁ ଡରାଇବା କ’ଣ ଆତଙ୍କୀ’ ପଦବାଚ୍ୟ ନୁହେଁ । ଏ କ୍ଷେତ୍ରରେ ପଥଚଲା ଲୋକଟି ପାଇଁ କାନଫଟା ହର୍ଣ୍ଣ ବଜାଇଥିବା ଯୁବକଟି ଜଣେ ଆତଙ୍କୀ ନୁହେଁ କି? ଆଜିକାଲି ଆତଙ୍କୀ’ ଶବ୍ଦଟି ସାଧାରଣ ଶବ୍ଦ ହୋଇଯାଇଛି । ଏହାର ସଂଜ୍ଞା ନିରୂପଣ କରା ନଗଲେ, ଆଗାମୀ ଦିନରେ ରକ୍ତପାତର ସମ୍ଭାବନା ରହିଛି ।