ମନି ଲଣ୍ଡରିଂ ମାମଲାରେ ଫସିଲେ ଅଭିନେତା ପ୍ରକାଶ ରାଜ

ଅଭିନେତା ପ୍ରକାଶ ରାଜଙ୍କ ନିକଟକୁ ନୋଟିସ୍‌ ପଠାଇଛି ଇଡି (ପ୍ରବର୍ତନ ନିର୍ଦ୍ଦେଶାଳୟ) । ସୂଚନା ମୁତାବକ ତିରୁଚିରାପଲ୍ଲୀ ସ୍ଥିତ ଗୋଟିଏ ଗହଣା ବ୍ୟବସାୟୀ ପ୍ରତିଷ୍ଠାନ ଲୋକଙ୍କ ନିକଟରୁ ପ୍ରାୟ ୧୦୦ କୋଟି ଟଙ୍କା ସଂଗ୍ରହ କରିଛି ସ୍ୱର୍ଣ୍ଣ ନିବେଶ ଯୋଜନା ମାଧ୍ୟମରେ । ଖୋଲା ବଜାରରୁ ବେଆଇନ ଉପାୟରେ ୧୦୦ କୋଟି ଟଙ୍କା ସଂଗ୍ରହ କରାଯାଇଛି ଦର୍ଶାଇ ଇଡି ସଂପୃକ୍ତ ଗହଣା ବ୍ୟବସାୟୀ ଓ ତାଙ୍କ ସହିତ ଅଭିନେତା ପ୍ରକାଶ ରାଜଙ୍କର ଭିତିରିଆ ସଂପର୍କ ଜାଣିବାକୁ ଚାହୁଁଛି ।

ଗହଣା ବ୍ୟବସାୟ ପ୍ରତିଷ୍ଠାନ ସହିତ ପ୍ରକାଶ ରାଜଙ୍କର ଭାଗିଦାରୀ ସଂପର୍କ ରହିଥିବା ସଂଦେହ କରିଛି ଇଡି । ଅଭିଯୁକ୍ତ ଗହଣା ପ୍ରତିଷ୍ଠାନର ନାମ ପ୍ରଣବ ଜୁଏଲର୍ସ । ନଭେମ୍ବର ୨୦ ତାରିଖରେ ଇଡି ଉକ୍ତ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢ଼ଉ କରି ନଗଦ ୨୩ ଲକ୍ଷ ୭୦ ହଜାର ଟଙ୍କା ଓ କିଛି ସୁନା ଗହଣାର ହିସାବ ପାଇ ନଥିଲା ।

ଅଭିନେତା ପ୍ରକାଶ ରାଜ ହିନ୍ଦୀ ଓ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଚର୍ଚ୍ଚିତ ଚେହେରା । ବେଶ କିଛିଦିନ ଧରି ବିଜେପି ବିରୋଧରେ ବୟାନବାଜି କରି ସେ ଦେଶରେ ହଇଚଇ କରୁଛନ୍ତି ।