ମୋଦୀଙ୍କୁ ଗାଳି କରି ଫସିଲେ ରାହୁଲ

ରାଜସ୍ଥାନ ନିର୍ବାଚନ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିର୍ବାଚନ କମିଶନଙ୍କ ଦୃଷ୍ଟିରେ ଅପରାଧୀ ପାଲଟି ଯାଇଛନ୍ତି । ଶନିବାର ସୁଦ୍ଧା ଜବାବ ଦାଖଲ କରିବାକୁ ନିର୍ବାଚନ କମିଶନ ରାହୁଲଙ୍କୁ ଆଦେଶ ଦେଇଛନ୍ତି ।

ନିର୍ବାଚନ କମିଶନ ଆଉ ନିରପେକ୍ଷ ହୋଇ ରହିନାହିଁ, ଏ ବିଷୟ କାହାକୁ ଅଛପା ନାହିଁ । ମାତ୍ର ରାଜନୀତିରେ ଜିଭକୁ ସଂଯତ କରିବା ଜରୁରୀ । ଥରେ ଶବ୍ଦ ହୁଡ଼ି ଅଦାଲତି ଚେଙ୍କ ପାଇବା ପରେ ମଧ୍ୟ ସୁଧୁରିଲେନି ରାହୁଲ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ‘ପକେଟମାର’ ଓ ‘ଦୁର୍ଭାଗ୍ୟ’ ଶବ୍ଦ ପ୍ରୟୋଗ କରି ରାହୁଲ ନିର୍ବାଚନ କଟକଣା ଉଲ୍ଲଙ୍ଘନ ମାମଲାରେ ଫସିଛନ୍ତି । ବୁଧବାର ବିଜେପି ପକ୍ଷରୁ ଅଭିଯୋଗ ପାଇବା ପରେ ନିର୍ବାଚନ କମିଶନ ରାହୁଲଙ୍କ ନିକଟରୁ ଜବାବ ସୁଆଲ ନୋଟିସ୍‌ ପଠାଇଛନ୍ତି ।

ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ମୋଦୀ ଉପସ୍ଥିତ ଥିବାରୁ ବିଶ୍ୱକପ୍‌ ଫାଇନାଲରେ ଭାରତ ଅଷ୍ଟ୍ରେଲିଆ ନିକଟରୁ ହାରିଲା ଦର୍ଶାଇ ରାହୁଲ ମୋଦୀଙ୍କୁ ଦେଶ ପାଇଁ ଦୁର୍ଭାଗ୍ୟ କହିଥିଲେ ।

ରାହୁଲ ପୁଣି କହିଥିଲେ ଯେ ମୋଦୀ ମଜାଳିଆ କଥା କହି ଦେଶବାସୀଙ୍କୁ ମୋହଗ୍ରସ୍ତ କରୁଥିବା ସମୟରେ ଅଦାନୀଙ୍କ ଭଳି ଶିଳ୍ପପତିମାନେ ଦେଶବାସୀଙ୍କ ପକେଟକୁ ଲୁଟନ୍ତି । ରାହୁଲଙ୍କ ସୂଚନା ମୁତାବକ ବିଗତ ୯ ବର୍ଷ ଭିତରେ ପ୍ରଧାନମନ୍ତ୍ରୀ ମୋଦୀ ଧନୀକଙ୍କୁ ୧୪ ଲକ୍ଷ କୋଟି ଟଙ୍କାର ଋଣଛାଡ଼ କରିଛନ୍ତି ।