ଅନୁଷ୍କା ଶର୍ମା: ଈର୍ଷାରୁ ମଡେଲିଂ, ଚଳଚ୍ଚିତ୍ର

ଅଭିନେତ୍ରୀ ଅନୁଷ୍କା ଶର୍ମା । ବୟସ ୩୫ । କ୍ୟାରିୟର ହେଉ, ବ୍ୟକ୍ତିଗତ ଜୀବନ ହେଉ ଅବା ପରିବାର- ପ୍ରତିଟି କ୍ଷେତ୍ରରେ ଗୋଟିଏ ଚର୍ଚ୍ଚିତ ନାମ । ଗଡ଼ଫାଦର ବିନା ଚଳଚ୍ଚିତ୍ର ଜଗତରେ ପାଦ ଦେଇ ସଫଳତା ସାଉଁଟିଲେ । ତିନିଖାନ୍‌ ଅର୍ଥାତ୍‌ ଶାହରୁଖ, ସଲମାନ ଓ ଅମୀରଙ୍କ ସହ ଚଳଚ୍ଚିତ୍ର କରିବାର ସୁଯୋଗ ପାଇଥିବା ଅଭିନେତ୍ରୀଙ୍କ ଭିତରୁ ଅନୁଷ୍କା ଜଣେ । କ୍ୟାରିୟରର ଶୀର୍ଷରେ ଥିଲାବେଳେ କ୍ରିକେଟର ବିରାଟ କୋହଲିଙ୍କୁ ବିବାହ । ଝିଅ ଭାମିକା ପାଇଁ ଚଳଚ୍ଚିତ୍ରଠାରୁ ଦୂରେଇ ଗଲେ ଓ ନିଜର ପ୍ରଯୋଜନା ସଂସ୍ଥାକୁ ଛାଡ଼ିଦେଲେ।

ସମୟ ଏମିତି ବି ଆସିଲା, ବିରାଟଙ୍କ ଖରାପ ପ୍ରଦର୍ଶନ ପାଇଁ କ୍ରିକେଟ ପ୍ରେମୀମାନେ ଅନୁଷ୍କାଙ୍କୁ ଦାୟୀ କଲେ । ଜୀବନର ଏମିତି ଉଠାପକା ଖେଳ ଭିତରେ ଅନୁଷ୍କାଙ୍କର କିଛି ରୋମାଂଚକ ଖବର ଉପସ୍ଥାପନା। ୧୫ ବର୍ଷ ବୟସରେ ମଡେଲିଂ: ଅନୁଷ୍କାଙ୍କ ଜନ୍ମ ୧୯୮୮ ମେ’ ପହିଲାରେ । ବାପା ଅଜୟ କୁମାର ଶର୍ମା ସେନା ଅଧିକାରୀ ଓ ମା’ ଅସୀମା ଶର୍ମା ଗୃହିଣୀ । ଅନୁଷ୍କା ବେଙ୍ଗାଲୁରୁରେ ପଢ଼ା ଆରମ୍ଭ କଲେ । ସେନା ଅଧିକାରୀଙ୍କ ଝିଅ ହୋଇଥିବାରୁ ସେ କେବେ ହାରକୁ ପସନ୍ଦ କରନ୍ତିନି । ଅଭିନୟ ପ୍ରତି ତାଙ୍କର ରୁଚି ନଥିଲା । ମାତ୍ର ତାଙ୍କ ଘର ନିକଟରେ ଜଣେ ଝିଅ ମଡେଲିଂ କରୁଥିଲେ । ସେହି ଝିଅଟିର ଫଟୋ ଗୋଟିଏ ଖବର କାଗଜରେ ଛପା ଯାଇଥିବାରୁ ଝିଅଟି ସେହି କାଗଜଟିକୁ ଧରି ସମସ୍ତଙ୍କୁ ଦେଖାଇଥିଲେ । ତାକୁ ଦେଖି ଅନୁଷ୍କାଙ୍କ ମନରେ ସାମାନ୍ୟ ଈର୍ଷା ଜାଗି ଉଠିଥିଲା । ସେ ମଧ୍ୟ ମଡେଲିଂ ପାଇଁ ଆଗ୍ରହ ପ୍ରକାଶ କଲେ । ତାଙ୍କ ଆଗ୍ରହକୁ ସମର୍ଥନ କଲେ ମା’ ଅସୀମା।

ମା’ ଅସୀମା ତାଙ୍କୁ ଧରି ଫେଶନ ଡିଜାଇନର ପ୍ରସାଦ ବିଦାପାଙ୍କ ନିକଟକୁ ଗଲେ । ଅନୁଷ୍କା କେତେ ବର୍ଷ ବୟସରେ ମଡେଲିଂ କରିପାରିବେ ବୋଲି ତାଙ୍କୁ ପଚାରିଲେ । ଅନୁଷ୍କାଙ୍କୁ ଦେଖିବା ମାତ୍ରେ ବିଦାପା କହିଲେ, ଅପେକ୍ଷା କରିବେ କ’ଣ? ଏବେଠାରୁ ମଡେଲିଂ କରୁ । ବିଦାପା ତାଙ୍କୁ ଆଗାମୀ ପ୍ରୋଜେକ୍ଟ ପାଇଁ ବୁକ୍‌ କଲେ । ବାସ୍‌ ଆରମ୍ଭ ହେଲା ମଡେଲିଂ କ୍ୟାରିୟର।

ଅନୁଷ୍କା ଭଲ ପାଠ ପଢୁଥିଲେ । ମଡେଲିଂ କରୁଥିଲେ ମଧ୍ୟ ପଢ଼ାକୁ ଅବହେଳା କରୁ ନଥିଲେ । ପରୀକ୍ଷା ପାଖେଇ ଆସିଲେ ମଡେଲିଂ ବନ୍ଦ କରି ଦେଉଥିଲେ । ଦଶମ ଶ୍ରେଣୀରେ ୯୨% ନମ୍ବର ରଖିଥିଲେ । ଗ୍ରାଜୁଏଟ୍‌ ପାସ୍‌ କରିବା ପରେ ମଡେଲିଂ ପାଇଁ ମୁମ୍ବାଇ ଚାଲିଗଲେ।

ମୁମ୍ବାଇ ତାଙ୍କ ଜୀବନର ଗତିପଥକୁ ବଦଳାଇ ଦେଲା । ଆଲୁଅର କୁହୁକ ଖେଳ ଭିତରେ ଗୋଟିଏ ଚରିତ୍ରରୁ ସେ ଆଜି ଚର୍ଚ୍ଚିତ ବେହେରା । ବିରାଟ କୋହଲି ଭଳି ସ୍ୱାମୀ ତାଙ୍କ ପାଇଁ କେତେ ଭାଗ୍ୟବାନ, ସେ କଥା ଏକା ଅନୁଷ୍କା ଜାଣନ୍ତି।