ଆଉ ଅସହାୟ ନୁହଁନ୍ତି ଗହମୀ ଲୋହାର

ଦୁର୍ଦ୍ଦିନର ଦୁଃଖ ଦୂରକଲା ଡିଏମ୍ଏଫ୍ ବୃଦ୍ଧାଶ୍ରମ

ଯୋଡ଼ା: ଜୀବନର ଯାତ୍ରା ସମସ୍ତଙ୍କ ପାଇଁ ସହଜ ନଥାଏ। ସମୟ ଓ ପରିସ୍ଥିତି କେତେବେଳେ ଯେ କାହାର ଫୁଲଭରା ରାସ୍ତାକୁ କଣ୍ଟକିତ କରିପକାଏ, କେହି ଠଉରାଇ ପାରନ୍ତିନି। ଏଇ ଯେମିତି ଚମ୍ପୁଆ ଅଞ୍ଚଳର ଗହମୀ ଲୋହାର। ବାହାଘରର କିଛି ବର୍ଷ ଭିତରେ ସ୍ୱାମୀ ଆରପାରିକୁ ଚାଲିଗଲେ। କଷ୍ଟେ ମଷ୍ଟେ ଦି ଝିଅଙ୍କ ବାହାଘର ସାରିଲେ। ଗୋଟିଏ ବୋଲି ପୁଅ, ସେ ପୁଣି ବେରୋଜଗାର। ମାଆକୁ ପାଖରେ ରଖି ଖାଇବା ପିଇବାକୁ ଦେବା ତା ପକ୍ଷେ ସମ୍ଭବ ହେଲାନି। ଏପରିସ୍ଥଳେ ରାଇଗୁଡ଼ି ଗାଁର ଏକ ଭଡ଼ାଘରେ ଦୁର୍ଦ୍ଦିନରେ ଦିନ କାଟୁଥିଲେ 60 ବର୍ଷ ବୟସ୍କା ଗହମୀ। ହେଲେ ଏବେ ତାଙ୍କର ଦୁଃଖର ଦିନ ଦୂର ହୋଇଛି। ଯୋଡ଼ାସ୍ଥିତ ଡିଏମ୍ଏଫ୍ ବୃଦ୍ଧାଶ୍ରମ ପାଲଟିଛି ତାଙ୍କର ନୂଆ ଘର।

ଗତବର୍ଷ ଡିସେମ୍ବରରେ ସେ ଏହି ବୃଦ୍ଧାଶ୍ରମକୁ ଆସିଛନ୍ତି। ଅସୁବିଧାରେ ଥିବାର ଖବର ପାଇ ଚମ୍ପୁଆ ରାଇଗୁଡ଼ି ସ୍ଥିତ ଭଡ଼ାଘରୁ ତାଙ୍କୁ ଉଦ୍ଧାରକରି ଏଠାକୁ ଅଣାଯାଇଥିଲା। ସେବେଠାରୁ ସେ ଏଇଠି ଅଛନ୍ତି। ଜନ୍ମକଲା ପୁଅ କି ଝିଅ କେହି ପାଖରେ ନାହାନ୍ତି ସତ ମାତ୍ର, ପରିବାରର ପ୍ରକୃତ ଖୁସି ଏଠାରେ ଅନ୍ୟ ଅନ୍ତେବାସୀଙ୍କ ସହ ରହି ସେ ପାଇଛନ୍ତି। ନିକଟରେ 5ଟି ସଚିବ ଭିକେ ପାଣ୍ଡିଆନ୍ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମ୍ଏଫ୍) ଦ୍ୱାରା ପରିଚାଳିତ ଏହି ବୃଦ୍ଧାଶ୍ରମ ପରିଦର୍ଶନରେ ଆସିଥିଲେ। ଏହି ଅବସରରେ ସେ ସମସ୍ତ ଅନ୍ତେବାସୀଙ୍କୁ ଭେଟିବା ସହ ସେମାନଙ୍କଠୁ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ। ଅନ୍ତେବାସୀଙ୍କ ସହ ମଧ୍ୟାନ୍ନ ଭୋଜନ ବେଳେ 5ଟି ସଚିବଙ୍କ ଠିକ୍ ବାମ ପାଖରେ ବସି ଖାଇଥିଲେ ଗହମୀ। ଏତିକି ବେଳେ ଦୁହିଁଙ୍କ ମଧ୍ୟରେ ବୃଦ୍ଧାଶ୍ରମ, ଘର ପରିବାର ଓ ଅନ୍ୟାନ୍ୟ ବିଷୟରେ ଆଲୋଚନା ଆରମ୍ଭ ହୋଇଯାଇଥିଲା। ବୃଦ୍ଧାଶ୍ରମରେ ସମସ୍ତ ପ୍ରକାର ସୁବିଧା ଠିକଭାବେ ମିଳୁଛି ନା ନାହିଁ, ଖାଇବାକୁ କେତେଥର ଦେଉଛନ୍ତି, ସପ୍ତାହକୁ ଆମିଷ ଖାଦ୍ୟ କେତେଥର ମିଳୁଛି, ଡାକ୍ତର ଦେଖିବାକୁ ଆସୁଛନ୍ତି ନା ନାହିଁ ଏହିପରି ଗୋଟିଏ ପରେ ଗୋଟିଏ ପ୍ରଶ୍ନ କରିଥିଲେ 5ଟି ସଚିବ। ସବୁ ପ୍ରଶ୍ନର ଉତ୍ତର ତାଙ୍କୁ ଦେଇଥିଲେ ଗହମୀ। ଏହାପରେ ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ବହୁ କଥା ସଚିବ ପଚାରିଥିଲେ। ପୁଅ ଝିଅ ଦେଖିବାକୁ ଆସୁଛନ୍ତି ନା ନାଇଁ, ସେ ନିଜେ ମଝିରେ ମଝିରେ ସେମାନଙ୍କ ପାଖକୁ ବୁଲିବାକୁ ଯାଉଛନ୍ତି ନା ନାହିଁ ଜାଣିବାକୁ ଚାହିଁଥିଲେ। ତରତରରେ ପ୍ରଶ୍ନର ଉତ୍ତର ସାରିଦେଇ ଏହିଠାରେ ହିଁ ତାଙ୍କୁ ଭଲ ଲାଗୁଛି ଓ ତାଙ୍କୁ ନୂଆ ପରିବାର ମିଳିଛି ବୋଲି କହିଥିଲେ ଗହମୀ। ଅସହାୟ ଗହମୀ ବୃଦ୍ଧାଶ୍ରମରେ ବେଶ୍ ଖୁସିରେ ଥିବା ଜାଣି ଆସ୍ୱସ୍ତ ବ୍ୟକ୍ତ କରିଥିଲେ 5ଟି ସଚିବ।

DMF_Kendujhar Old-Age_Home
DMF_Kendujhar Old-Age_Home

ସୂଚନାଯୋଗ୍ୟ, ଯୋଡ଼ା ସ୍ଥିତ ଏହି ବୃଦ୍ଧାଶ୍ରମକୁ 2021 ନଭେମ୍ବର 18 ତାରିଖରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ଯୋଗେ ଉଦଘାଟନ କରିଥିଲେ। ବର୍ତ୍ତମାନ ଏଠାରେ 47 ଜଣ ଅନ୍ତେବାସୀ ରହୁଛନ୍ତି। ସେମାନଙ୍କ ମଧ୍ୟରେ 25 ଜଣ ମହିଳା ଏବଂ 22 ଜଣ ପୁରୁଷ ଅଛନ୍ତି। ଘର ପରି ଏଠାରେ ସମସ୍ତଙ୍କର ଯତ୍ନ ନିଆଯାଉଛି। ସକାଳୁ ଚା’ ବିସ୍କୁଟ ପରେ ଜଳଖିଆ, ଏହାପରେ ମଧ୍ୟାନ୍ନ ଭୋଜନ, ସନ୍ଧ୍ୟାରେ ପୁଣି ଜଳଖିଆ ଏବଂ ରାତ୍ରିରେ ରାତ୍ରଭୋଜନର ବ୍ୟବସ୍ଥା ଏଠାରେ ରହିଛି। କୌଣସି ଅନ୍ତେବାସୀ ପ୍ରଥମ କରି ଏଠାକୁ ଆସିବା ମାତ୍ରେ, ତାଙ୍କର ପ୍ରଥମେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥାଏ। ପରେ ସେମାନଙ୍କୁ ପୋଷାକ, ବେଡ଼ସିଟ୍ ଇତ୍ୟାଦି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯୋଗାଇ ଦିଆଯାଏ। ଭଲ ଖାଦ୍ୟପେୟ ସାଙ୍ଗକୁ ସମସ୍ତ ଅନ୍ତେବାସୀ କିଭଳି ନିରୋଗ ରହିବେ ସେଥିପାଇଁ ସ୍ୱତନ୍ତ୍ର ଯୋଗ ଶିକ୍ଷକ ଏବଂ ଫିଜିଓଥେରାପିଷ୍ଟ ମଧ୍ୟ ନିୟୋଜିତ ଅଛନ୍ତି। ପ୍ରତି ସପ୍ତାହରେ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସହ ବ୍ଲଡ଼ପ୍ରେସର ଓ ସୁଗାର ଇତ୍ୟାଦି ପରୀକ୍ଷା ମଧ୍ୟ ହୋଇଥାଏ। ସେହି ଅନୁଯାୟୀ ସେମାନଙ୍କୁ ଔଷଧ ପତ୍ର ଦିଆଯାଏ। ମନୋରଞ୍ଜନ ପାଇଁ ସବୁ ହଲରେ ଟିଭି, ମ୍ୟୁଜିକ୍ ସିଷ୍ଟମର ବ୍ୟବସ୍ଥା ହୋଇଛି। ଏହାବାଦ ମାନସିକ ଅବସାଦ ଦୂର କରିବା ପାଇଁ ସମସ୍ତଙ୍କୁ ଏକାଠି ବସାଇ କାହାଣୀ ଶୁଣାଇବା ଓ ପୌରାଣିକ କଥାବସ୍ତୁ ଉପରେ ଚର୍ଚ୍ଚା କରାଇବାର ପ୍ରୟାସ ମଧ୍ୟ ହେଉଛି। ପୁସ୍ତକପ୍ରେମୀଙ୍କ ପାଇଁ ବିଭିନ୍ନ ପ୍ରକାରର ପୁସ୍ତକ ମଧ୍ୟ ରଖାଯାଇଛି। 5ଟି ସଚିବଙ୍କ ଗସ୍ତ ବେଳେ ଏହି ସ୍ଥାନରେ ଅଧିକ ଅନ୍ତେବାସୀଙ୍କ ପାଇଁ ରହଣୀ ବ୍ୟବସ୍ଥା ନେଇ ଆଲୋଚନା ହୋଇଛି ଏବଂ କିଭଳି ଆହୁରି ଉନ୍ନତମାନର ସୁବିଧା ଉପଲବ୍ଧ ହୋଇପାରିବ ସେନେଇ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ବୃଦ୍ଧାଶ୍ରମର ପରିଚାଳିକା ବିଜୟଲକ୍ଷ୍ମୀ ରାଉତ କହିଛନ୍ତି।