୨୦୨୨ରେ ନିରବି ଗଲା ‘ହେଇ ଅନାନି’

ବଂଚିବାକୁ ରାହା ପାଇଲା ଓଡ଼ିଆ ଚଳଚ୍ଚିତ୍ର ଦୁନିଆ….

ଚାଲିଯାଇଛି ୨୦୨୨ । ଆସୁଛି ୨୦୨୩ । ୟା’ ଭିତରେ ମନେ ପଡ଼ିଯାଉଛି ଅତୀତର ଘଟଣାବଳୀ । ମନ ଭିତରେ ସୃଷ୍ଟି ହେଉଛି ଅନେକ ସମ୍ଭାବନା । ଆଖି ଚାଲିଯାଉଛି ଟିକେ ପଛକୁ । ଟିକେ ଆଗକୁ ଠିକ୍‌ ଦିଗବଳୟକୁ । ଦୁଇବର୍ଷ ତଳେ ଏମିତି ଏକ ଘଡ଼ିରେ ଆସିଲା କରୋନା ମହାମାରୀ । ଦୁଇବର୍ଷ ଧରି ଘାଂଟିଲା । ଲୋକଙ୍କୁ ମାରିଲା । ବେପାର ଘାଟା କଲା । ଲୋକଙ୍କ ମୁହଁରୁ ଦାନା ଛଡ଼ାଇନେଲା । ସିନେମା ହଲ୍‌ରେ ତାଲା ଝୁଲିଲା । ଅଭିନେତା ଅଭିନେତ୍ରୀଙ୍କ ରୋଜଗାର ବନ୍ଦ ହେଲା । ପ୍ରଯୋଜକମାନେ ହାତ ବାନ୍ଧି ବସିଲେ । ସିନେମା ତିଆରି ହେଲା ନାହିଁ । ଷ୍ଟୁଡିଓ ଚଳଚଂଚଳ ହେଲାନି । ସବୁକିଛି ଖାଁ ଖାଁ ।

ହା ହୁତାଶନ ଭିତରେ ଗଡ଼ିଗଲା ଦୁଇବର୍ଷ । ୨୦୨୨ରେ ଲୋକମାନେ ଟିକେ ବଂଚିବାକୁ ସାହସ ଜୁଟାଇଲେ । ପ୍ରେକ୍ଷାଳୟ ଖୋଲିଲା । ଅଭିନେତା ଅଭିନେତ୍ରୀମାନେ ଅଂଟା ହଲାଇବାର ସୁଯୋଗ ପାଇଲେ । ସେପ୍ଟେମ୍ବର ୨ ତାରିଖରେ ପରଦାକୁ ଚମକାଇଲା ‘ଏଡିୟୁ ଗୋଦାର’ । ନଭେମ୍ବରରେ ଚମକିଲେ ବାବୁସାନ ଚଳଚ୍ଚିତ୍ର ‘ଦମନ’ରେ । ବଂଚିବାକୁ ରାହା ପାଇଲା ଓଡ଼ିଆ ଚଳଚ୍ଚିତ୍ର ଦୁନିଆ । ‘ଦମନ’ ଭଲ ବ୍ୟବସାୟ କରିଥିଲା । ଡିସେମ୍ବରରେ ମୁକ୍ତିଲାଭ କରିଛି ‘ପ୍ରତୀକ୍ଷା’ । ବଲିଉଡ୍‌ ଅଭିନେତା ଅନୁପମ ଖେରଙ୍କ ମୁହଁରେ ‘ପ୍ରତୀକ୍ଷା’ର ପ୍ରଶଂସା ସାମାନ୍ୟ ଘଟଣା ନୁହେଁ ।

‘ପ୍ରତୀକ୍ଷା’ର ହିନ୍ଦୀ ରିମେକ୍‌ରେ ଅନୁପମ ‘ବାପା’ ଚରିତ୍ରରେ ଅବତୀର୍ଣ୍ଣ ହେବେ ଶୁଣି ଓଡ଼ିଆଙ୍କ ଛାତି ଫୁଲିଯାଇଛି । ସୂର୍ଯ୍ୟ ଦେଓଙ୍କ ଲିଖିତ ‘କାଲି ପାଇଁ କାଲିର ସିନେମା’କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର-୨୦୨୦ରେ ‘ବେଷ୍ଟ୍‌ ବୁକ୍‌ ଅନ୍‌ ସିନେମା ସ୍ପେଶାଲ ମେନ୍‌ସନ୍‌ ସମ୍ମାନ’ ମିଳିବା ଆଉ ଏକ ଗୌରବ । ୨୦୨୨ ଶେଷଭାଗର ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ଠିଆ ହେବାକୁ ଉଦ୍ୟମ କଲାବେଳେ କାନରେ ପଡ଼ିଲାଣି ସରକାରଙ୍କ କୋଭିଡ୍‌ ପ୍ରୋଟୋକଲ୍‌ ।

୨୦୨୨ରେ ଓଡ଼ିଆ ଚଳଚ୍ଚିତ୍ର ଦୁନିଆରେ ପାଦ ଦେଇଛନ୍ତି ଦୀପନ୍ୱିତ ଦାସମହାପାତ୍ର । ‘ପ୍ରତୀକ୍ଷା’ରେ ତାଙ୍କର ଅଭିନୟକୁ ତାରିଫ କରିଛି ସାରା ଦେଶ । ୨୦୨୨ ମସିହାର ଶେଷ ଚାରିମାସ ଭଲରେ କଟିଛି । ତା’ରି ଭିତରେ ଆମକୁ ବାବୁସାନ୍‌-ତୃପ୍ତି-ପ୍ରକୃତିଙ୍କ ହାଇ ଭୋଲଟେଜ୍‌ ନାଟକ ଦେଖିବାକୁ ମିଳିଥିଲା ଯାହା କୌଣସି ଚଳଚ୍ଚିତ୍ର ଦୃଶ୍ୟଠାରୁ ଊଣା ନଥିଲା । ପୁଣି ଦେଖିବାକୁ ମିଳିଥିଲା ଅଭିନେତାରୁ ରାଜନେତାକୁ ଆଦରିଥିବା ଚରିତ୍ର ଅନୁଭବ ମହାନ୍ତି ଓ ତାଙ୍କର ଅଭିନେତ୍ରୀ ପତ୍ନୀ ବର୍ଷାଙ୍କର ପରସ୍ପରକୁ ଆକ୍ଷେପ ଓ ଚରିତ୍ର ସଂହାର ।

୨୦୨୨ରେ ଆମକୁ ଛାଡ଼ି ଚାଲିଯାଇଛନ୍ତି ଅଭିନେତା ମିହିର ଦାସ, ଅଭିନେତ୍ରୀ ଅନୀତା ଦାସ, ସାରସ୍ୱତ ସାଧିକା ବୀଣାପାଣି ମହାନ୍ତି, ଭଞ୍ଜ ସାହିତ୍ୟ ବିଶାରଦ ରଜତ କର, ନାଟ୍ୟକାର ରବୀନ୍ଦ୍ରନାଥ ଦାସ ଓ ପ୍ରଯୋଜକ ପ୍ରଦୀପ ଭୋଳ । ଓଡ଼ିଆ ସଙ୍ଗୀତ ସଂସାର ହରାଇଛି ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର, ଶାସ୍ତ୍ରୀୟ ସଙ୍ଗୀତ ଗୁରୁ ଦାମୋଦର ହୋତା, ଭଜନ ଗାୟକ ବନମାଳି ମିଶ୍ର, ତବଲା ବାଦକ ପଣ୍ଡିତ ଉମେଶ ଚନ୍ଦ୍ର କର, ଗାୟିକା ନିର୍ମଳା ମିଶ୍ର, ଲତା ଘୋଷ ଓ ନିର୍ଦ୍ଦେଶକ ସରୋଜ ପଟ୍ଟନାୟକ । ଓଡ଼ିଆ ଚଳଚ୍ଚିତ୍ର ଓ ଯାତ୍ରା ଜଗତକୁ ଅଲ୍‌ ବିଦା କରିଛନ୍ତି ରାଇମୋହନ । ତାଙ୍କର ରହସ୍ୟମୟ ମୃତ୍ୟୁ ଏବେ ମଧ୍ୟ ଆମକୁ ମନେପକାଇ ଦେଉଛି ‘ହେଇ ଅନାନି’ ।