୪୦ ଛୁଇଁଲେ ଭାରତର ବାର୍ବି କ୍ୟାଟ୍ରିନା

୨୦୦୦ ମସିହାରେ ମୂଳ ବ୍ରିଟିଶ ୧୭ ବର୍ଷୀୟା କିଶୋରୀ ତାଙ୍କର କିଛି ଘନିଷ୍ଠ ସାଙ୍ଗ ସହିତ ଭାରତକୁ ବୁଲି ଆସିଥିଲେ । ମୁମ୍ବାଇର ଗୋଟିଏ ଫେଶନ ସୋ’ ଦେଖୁଥିଲା ବେଳେ ଜଣେ ଚଳଚ୍ଚିତ୍ର ନିର୍ମାତାଙ୍କ ନଜର ଉକ୍ତ କିଶୋରୀଙ୍କ ଉପରେ ପଡ଼ିଲା । ବାସ୍‌ ପ୍ରଥମ ଦେଖାରେ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିବାର ଅଫର ମିଳିଗଲା । ତା’ପରେ ଅଭିନୟ ପରେ ଅଭିନୟ ଅଫର । ସ୍ୱଦେଶ ଫେରିବାକୁ ସମୟ ମିଳିଲାନି । ବାସ୍‌, ଭାରତରେ ବିବାହ କରି ସବୁଦିନ ପାଇଁ ରହିଗଲେ । ସେହି ସୁନ୍ଦରୀ ହେଉଛନ୍ତି ଆମର ପ୍ରିୟ କ୍ୟାଟ୍ରିନା କୈଫ ।

ଚଳଚ୍ଚିତ୍ର ଜଗତରେ ତିଷ୍ଠିବା ପାଇଁ କ୍ୟାଟ୍ରିନାଙ୍କୁ କଡ଼ା ସଂଘର୍ଷ କରିବାକୁ ପଡ଼ିଛି । ବାପା କ’ଣ ଅନୁଭବ କରିବାକୁ ସୁଯୋଗ ପାଇନାହାନ୍ତି କ୍ୟାଟ୍ରିନା । କ୍ୟାଟ୍ରିନାଙ୍କ ସମେତ ୬ ଜଣ ପିଲାଙ୍କୁ ଛାଡ଼ି ପଳାୟନ କଲେ ବାପା । ଏକାକିନୀ ମା’ ୬ଟି ପିଲାଙ୍କ ମୁହଁରେ ଆହାର ଦେବା ପାଇଁ ଦେଶକୁ ଦେଶ ବୁଲି ନାନା ପାଇଟି କରୁଥିଲେ । ପିଲାଦିନୁ କୌଣସି ସୁଖ ସୁବିଧାର ଆନନ୍ଦ ପାଇନଥିଲେ କ୍ୟାଟ୍ରିନା । ଅଭାବ କାରଣରୁ ସ୍କୁଲ ମାଡ଼ିନାହାନ୍ତି ସେ । ୧୪ ବର୍ଷ ବୟସରେ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇ ଜିତିବା ପରେ ତାଙ୍କର ସଫଳତାର ଅଭିଯାନ ଆରମ୍ଭ ହେଲା ।

୧୯୮୩ ମସିହା ଜୁଲାଇ ୧୬ ତାରିଖରେ ହଂକଂର ଭିକ୍ଟୋରିଆରେ ଜନ୍ମଲାଭ କରିଥିଲେ କ୍ୟାଟ୍ରିନା । ତାଙ୍କ ବାପାଙ୍କ ନାମ ମହମ୍ମଦ କୈଫ । ମହମ୍ମଦଙ୍କ ପୂର୍ବଜ କାଶ୍ମୀର ବାସିନ୍ଦା । ମହମ୍ମଦଙ୍କ ବଂଶଧର ଆମେରିକା ଯାଇ ସେଠାରେ ବ୍ୟବସାୟ କରୁଥିଲେ । କ୍ୟାଟ୍ରିନାଙ୍କ ମା’ ସୁଜେନ ଟରକୋଟ୍‌ ପେଶାରେ ଜଣେ ଆଇନଜୀବୀ ଓ ସାମାଜିକ କର୍ମୀ ।

ବିବାହ ପରେ ମହମ୍ମଦ ଓ ସୁଜେନ ହଂକଂ ପଳାଇ ଆସିଲେ । ନୂଆ ସ୍ଥାନରେ ପେଟପାଟଣା ପାଇଁ କଡା ସଂଘର୍ଷ । ତା’ରି ଭିତରେ ଗୋଟିଏ ପରେ ଗୋଟିଏ ପିଲାଙ୍କର ଜନ୍ମ । ଗୋଟିଏ ପଟେ ପରିବାର ସଂଖ୍ୟା ବଢୁଛି, ଅନ୍ୟପଟେ ପିଲାଙ୍କ ମୁହଁରେ ଦୁଇଓଳି ଦାନା ଦେବାର ବିଫଳତା ।

ପରିବାର ପ୍ରତିପୋଷଣକୁ କେନ୍ଦ୍ର କରି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ଉପୁଜିଲା । ପରିଣାମ ସ୍ୱରୂପ ଦୁହିଁଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଗଲା । ମହମ୍ମଦ ଆପଣା ବାଟରେ ପଳାଇଲେ । ପେଟର ଭୋକ ନିକଟରେ ପିଲାଙ୍କୁ ପାଠ ପଢ଼ାଇବାର ସ୍ୱପ୍ନ ମାଟିରେ ମିଶିଗଲା । ତଥାପି ଘରୋଇ ଶିକ୍ଷକ ନିଯୁକ୍ତ କରି ମା’ ସୁଜେନ ସବୁ ପିଲାଙ୍କୁ ଚାଟଶାଳୀ ପାଠ ପଢ଼ାଇ ପାରିଥିଲେ । କୁହନ୍ତୁ ତ! ଏମିତି ଏକ ଗରିବ ପରିବାରର କନ୍ୟା କ୍ୟାଟ୍ରିନା ଆଜି ବଲିଉଡର ଆଗଧାଡ଼ିର ନାୟିକା ହେବା କ’ଣ ସହଜ?