ଜହ୍ନମାମୁଁଙ୍କ ପାଖକୁ ଚନ୍ଦ୍ରଯାନ-୩’ ପଠାଇଛନ୍ତି ମହିଳା ବୈଜ୍ଞାନିକ ଋତୁ କରିଧାଲ

ଚନ୍ଦ୍ରଯାନ-୩’କୁ ଚନ୍ଦ୍ର ନିକଟକୁ ପଠାଇଥିବା ବୈଜ୍ଞାନିକ ଟିମରେ ପ୍ରାୟ ୨୫% ମହିଳା ବୈଜ୍ଞାନିକ ଅଛନ୍ତି । ୬୧୫ କୋଟି ଟଙ୍କା ବ୍ୟୟରେ ଆରମ୍ଭ କରାଯାଇଥିବା ମିଶନ ଚନ୍ଦ୍ରଯାନ-୩’କୁ ସତର୍କତାର ସହିତ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ଭାର ମୁଣ୍ଡାଇଛନ୍ତି ମହିଳା ବୈଜ୍ଞାନିକ ଋତୁ କରିଧାଲ । ଋତୁ ଚନ୍ଦ୍ରଯାନ-୩ ମିଶନର ଜଣେ ନିର୍ଦ୍ଦେଶିକା ।

ଆଧୁନିକ ଭାରତରେ ମହିଳା ତା’ର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ କାହାର ଦୟାର ପାତ୍ର ହୋଇନି । ସବୁବେଳେ ଅଗ୍ନିପରୀକ୍ଷା ଦେଇଆସିଛି ୟେ ନାରୀଜାତି । ପୁରୁଷର ନାଲିଆଖି ସହିତ ଆଖି ମିଳାଇ ନାରୀକୁ ବହୁତ ଲଢେ଼ଇ କରିବାକୁ ପଡିଛି । ତଥାପି ନାରୀର ୟେ ଲଢେ଼ଇ ବନ୍ଦ ହୋଇନି ।
ହିନ୍ଦୁଧର୍ମର ପୋଥିପୁରାଣ ଓ ଧାର୍ମିକ ପୁସ୍ତକରେ ମହିଳାଙ୍କୁ ମା’ ଦୁର୍ଗା, ମା’ ପାର୍ବତୀ, ମା’ ଲକ୍ଷ୍ମୀ, ମା’ ସରସ୍ୱତୀ ଭାବେ ବଳିଷ୍ଠ ଓ ପ୍ରଭାବଶାଳୀ ଭୂମିକାରେ ଅବତୀର୍ଣ୍ଣ କରାଯାଇଛି । ସେହି ସମାଜର ବାସ୍ତବ ଚେହେରା ଅତି କଦର୍ଯ୍ୟ । ନାରୀଜାତିକୁ ଡାକ୍ତର, ଓକିଲ, ବୈଜ୍ଞାନିକ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବାଟରେ ବିରାଟ ପ୍ରତିବନ୍ଧକ ଏହି ସମାଜ ।

ମଣିଷ ଚନ୍ଦ୍ରରେ ଘର କରିବାକୁ ବାହାରିଛି, ହେଲେ ନାରୀକୁ ପଦାନତ କରି ରଖିବାର ଅଭିଳାଷକୁ ଛାଡ଼ିପାରିନି । ହିନ୍ଦୁଧର୍ମକୁ ଉଦାର ହୃଦୟ ଭାବେ ପ୍ରଚାର କରାଯାଉଛି; ସେଇ ସମାଜ ନାରୀକୁ ସହଜରେ ଶିକ୍ଷା, କ୍ଷମତା ଓ ସଂପତି ଅଧିକାର ଦେବାକୁ ନାରାଜ । ଯେତେବେଳେ ନାରୀ ସମାଜ ତା’ର ଅଧିକାର ଦାବି କରୁଛି, ପୁରୁଷ ସମାଜ ପ୍ରତିଶୋଧ ପରାୟଣ ହୋଇଯାଉଛି । ଏପରି କାହିଁକି? ପ୍ରତିକୂଳ ପରିବେଶ ସହିତ କଡ଼ା ସଂଘର୍ଷ କରି ଯୋଉ ମହିଳାମାନେ ସଫଳତାର ଶୀର୍ଷକୁ ଛୁଇଁ ପାରିଛନ୍ତି ସେମାନଙ୍କୁ ସଲାମ । ସମୟ ଆସିଗଲାଣି, ନାରୀଜାତିକୁ ଆଗକୁ ଯିବା ବାଟରେ ଅଗ୍ରଣୀ ଭୂମିକା ନେଉ ପୁରୁଷଜାତି ।