ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରକୁ ରକେଟ୍‌

ପାକ୍‌ ମହିଳା ସୀମା ହୈଦର ଓ ଗ୍ରେଟର୍‌ ନୋଏଡ଼ାର ସଚିନଙ୍କ ପ୍ରେମ କାହାଣୀ ଏବେ ଭାରତ ଓ ପାକିସ୍ତାନର ପ୍ରତିଟି ଗଣମାଧ୍ୟମକୁ ରୋଚକ କରିଛି । ଚାରୋଟିି ପିଲାଙ୍କୁ ସାଙ୍ଗରେ ଧରି ଭାରତ ପଳାଇ ଆସିଛନ୍ତି ସୀମା । ତାହାକୁ କେନ୍ଦ୍ର କରି ପାକ୍‌ ଡକାୟତ ରାନୋ ଶାର ଭାରତକୁ କଡ଼ା ଚେତାବନୀ ଦେଇ କହିଥିଲା, ସୀମାକୁ ପାକିସ୍ତାନକୁ ପଠାଇ ଦିଆଯାଉ ନଚେତ୍‌ ପାକିସ୍ତାନ ମାଟିରେ କୌଣସି ହିନ୍ଦୁ ମନ୍ଦିର ସୁରକ୍ଷିତ ରହିବନି । ରବିବାର ଉକ୍ତ ଧମକର ପ୍ରତିଫଳନ ଦେଖିବାକୁ ମିଳିଛି ।

ପାକ୍‌ ନ୍ୟୁଜ ଚାନେଲ ଡନ୍‌ ମୁତାବକ ଡକାୟତର ଗୋଟିଏ ଗୋଠ ରବିବାର ଦିନ ସିନ୍ଧୁ ରାଜ୍ୟର କାଶମୋରା ଅଂଚଳରେ ଥିବା ଏକ ମନ୍ଦିରକୁ ରକେଟ୍‌ ମାଡ଼ କରିଛି । ଆକ୍ରମଣକାରୀ ଗୋସପୁର ପୁଲିସ ଷ୍ଟେସନ ଅନ୍ତର୍ଗତ ଏକ ପୂଜାସ୍ଥଳ ଓ ଆଖପାଖ ଇଲାକାକୁ ଟାର୍ଗେଟ୍‌ କରିଥିଲେ । ମନ୍ଦିର ଚାରିପାଖରେ ଥିବା ଘର ଉପରକୁ ଆଖିବୁଜା ଗୁଳିମାଡ଼ କରାଯାଇଥିଲା । ରକେଟ୍‌ ଓ ଗୁଳିମାଡ଼ ଖବର ଶୁଣିବା ମାତ୍ରେ ପାକ୍‌ ପୁଲିସ ଓ ଅର୍ଦ୍ଧସାମରିକ ସେନା ଘଟଣାସ୍ଥଳରେ ପହଂଚିଛନ୍ତି । ଏଠାରେ ଜଣାଇ ଦେଉଛୁ, ସୀମା ହୈଦରଙ୍କ ଘର ପାକିସ୍ତାନର ସିନ୍ଧୁ ପ୍ରଦେଶରେ ।

ରକେଟ୍‌ ମାଡର ଶିକାର ହୋଇଥିବା ହିନ୍ଦୁ ମନ୍ଦିରଟିର କ୍ଷୟକ୍ଷତି ସଂପର୍କରେ କୌଣସି ସୂଚନା ପ୍ରଦାନ କରାଯାଇନି । ଗୁଳିମାଡ଼ରେ କୌଣସି ହିନ୍ଦୁ ପରିବାର କ୍ଷତିଗ୍ରସ୍ତ ହୋଇଥିବାର ଖବର ପ୍ରସାରିତ ହୋଇନାହିଁ ।