ଡ୍ରଗ ଲିଙ୍କ: ଦୀପିକା ପାଦୁକୋନଙ୍କୁ ଏନସିବିର ସମନ

ମୁମ୍ବାଇ: ଡ୍ରଗ ଲିଙ୍କ ମାମଲାରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ସମନ ଜାରି କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)। ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁର ଏବଂ ରକୁଲ ପ୍ରୀତ ସିଂଙ୍କୁ ମଧ୍ୟ ସଂସ୍ଥା ପକ୍ଷରୁ ସମନ ପଠା ଯାଇଛି।

ସେପ୍ଟେମ୍ବର ୨୫ରେ ଦୀପିକାଙ୍କୁ ପଚରାଉଚରା ପାଇଁ ଡକାଯାଇଛି। ସେହିଭଳି ୨୬ ତାରିଖରେ ସାରା ଏବଂ ଶ୍ରଦ୍ଧାଙ୍କୁ ଜେରା କରିବ ବୋଲି ଏନସିବି ଜଣାଇଛି। ମୋଟ ୭ ଜଣଙ୍କୁ ଏନସିବି ପକ୍ଷରୁ ସମନ ଜାରି କରାଯାଇଥିବା ବେଳେ ସମସ୍ତଙ୍କୁ ୩ ଦିନ ମଧ୍ୟରେ ଜେରା କରାଯିବ। ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ମାମଲାର ଅନୁସନ୍ଧାନ କରୁଥିବା ଏନସିବି ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି। ବଲିଉଡର ଅନେକ ବଡ଼ ଅଭିନେତ୍ରୀ ଏଥିରେ ସାମିଲ ଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିଶ୍ମା ପ୍ରକାଶଙ୍କୁ ଡକାଇ ପଚରାଉଚରା କରିଥିଲା ଏନସିବି। ଦୀପିକା ଖୋଲାଖୋଲି ଭାବେ କରିଶ୍ମାଙ୍କ ସହ ଡ୍ରଗ୍ସକୁ ନେଇ ହ୍ବାଟ୍ସଆପ୍ ଚାର୍ଟ କରିଥିବା ଏନସିବି ଜାଣିବାକୁ ପାଇଥିଲା। କରିଶ୍ମାଙ୍କୁ ମାଲ୍ ଅଛି କି ନାହିଁ ବୋଲି ଚାଟରେ ପଚାରିଛନ୍ତି ଦୀପିକା ଏବଂ ଗଞ୍ଜେଇ ନୁହେଁ ବରଂ ଡ୍ରଗ୍ସ କଥା ପଚାରିଥିବା ଜଣାପଡିଥିଲା।

ଅନ୍ୟପଟେ ମାମଲାରେ ଅଭିଯୁକ୍ତ ଥିବା ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଉପରେ ଆଜି ଶୁଣାଣି ହୋଇପାରିନାହିଁ। ୮ ତାରିଖରେ ତାଙ୍କୁ ଗିରଫ କରାଯାଇଥିଲା ଏବଂ ୨୨ ତାରିଖ ଯାଏଁ ବିଚାର ବିଭାଗୀୟ ହେଫାଜତରେ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଯାହାକୁ ପରେ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ କୋର୍ଟ ବଢ଼ାଇଛନ୍ତି।