ହୃଦଘାତରେ ଚାଲିଗଲେ ଟିଭି ଅଭିନେତା ସିଦ୍ଧାନ୍ତ ସୂର୍ଯ୍ୟବଂଶୀ

ଲୋକପ୍ରିୟ ଟିଭି ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କର ଦେହାନ୍ତ ହୋଇଯାଇଛି । ଶୁକ୍ରବାର ୪୬ ବର୍ଷୀୟ ସିଦ୍ଧାନ୍ତ ଜିମ୍‌ଖାନାରେ ପ୍ରାକ୍ଟିସ କରୁଥିବା ସମୟରେ ହୃଦଘାତର ଶିକାର ହୋଇଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା । ପ୍ରାୟ ୪୫ ମିନିଟ୍‌ ଧରି ତାଙ୍କର ଚିକିତ୍ସା ଚାଲିଥିଲା । ମାତ୍ର ଡାକ୍ତରମାନେ ତାଙ୍କୁ ବଂଚାଇ ପାରି ନଥିଲେ । ଟିଭି ଧାରାବାହିକ ‘କୁସୁମ’, ‘କସୌଟି ଜିନ୍ଦେଗୀ କି’, ‘କ୍ରିଷ୍ଣା ଅର୍ଜୁନ’, ‘ଜମିନ୍‌ ସେ ଆସମାନ୍‌ ତକ୍‌’, ‘କ୍ୟା ଦିଲ ମେ ହୈ’, ‘ଗୃହସ୍ଥି’ ଭଳି ବହୁ ଟିଭି ଧାରାବାହିକରେ ସେ ନିଖୁଣ ଅଭିନୟ କରିଛନ୍ତି । ଶେଷଥର ପାଇଁ ତାଙ୍କୁ ‘ଜିଦ୍ଦି ଦିଲ୍‌ ମାନେ ନା’ ଧାରାବାହିକରେ ଦେଖିବାକୁ ମିଳିଥିଲା । ଅନେକ ସମୟରେ ସିଦ୍ଧାନ୍ତ ସୋସିଆଲ ମିଡିଆରେ ଏକ୍ସସରସାଇଜ କରୁଥିବାର ଭିଡିଓ ସେୟାର କରି ସୁସ୍ଥ ଶରୀର ପାଇଁ ପ୍ରଶଂସକଙ୍କୁ ପରାମର୍ଶ ଦେଇଆସୁଥିଲେ ।

ସିଦ୍ଧାନ୍ତଙ୍କ ପରଲୋକରେ ଶୋକପ୍ରକାଶ କରି ଅଭିନେତା ଜୟ ଭାନୁଶାଲୀ ଲେଖିଥିଲେ, ‘ତମେ ବହୁତ ଜଲଦି ଚାଲିଗଲ’ । ୨୦୧୭ରେ ସିଦ୍ଧାନ୍ତ ମଡେଲ୍‌ ଓ ଫେଶନ କୋରିଓଗ୍ରାଫର ଅଲିସିୟା ରାଉତଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ସେ ଦ୍ୱିତୀୟ ଥର ପାଇଁ ଅଲିସିୟାଙ୍କୁ ବିବାହ କରିଥିଲେ । ତା’ ପୂର୍ବରୁ ୨୦୦୦ରେ ସେ ଇରା ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ । ୨୦୧୫ରେ ବିବାହ ବିଚ୍ଛେଦ ଘଟିଥିଲା । ପ୍ରଥମ ପତ୍ନୀଙ୍କ ଆଡୁ ତାଙ୍କର ଗୋଟିଏ କନ୍ୟା ସନ୍ତାନ ଅଛନ୍ତି । ଅଲିସିୟାଙ୍କୁ ବିବାହ କରିବା ପରେ ତାଙ୍କର ପୁଅଟିଏ ହୋଇଥିଲା ।
୧୯୭୫ ଡିସେମ୍ବର ୧୫ ତାରିଖରେ ମୁମ୍ବାଇରେ ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ ଜନ୍ମଲାଭ କରିଥିଲେ । ଜଣେ ମଡେଲ ଭାବେ କାମ କରୁକରୁ ସେ ଟିଭି ଧାରାବାହିକ ‘କୁସୁମ’ରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ।