ଜାନୁଆରୀ ଶେଷ ସୁଦ୍ଧା କରୋନା ପିକ୍‌ରେ ରହିବ!

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡିବାରେ ଲାଗିଛି । ବିଶେଷଜ୍ଞଙ୍କ କହିଛନ୍ତି ଯେ, ଜାନୁଆରୀ ଶେଷ ଯାଏଁ ସଂକ୍ରମଣ ପିକ୍‌ରେ ରହିବ । ଅର୍ଥାତ ଦେଶରେ ଜାନୁଆରୀ ଶେଷ ସୁଦ୍ଧା ପ୍ରତିଦିନ ୪ରୁ ୮ଲକ୍ଷ ସଂକ୍ରମଣ ମାମଲା ଆସିପାରେ । ସେହିପରି ବିଶେଷଜ୍ଞ କହିଛନ୍ତି ଯେ, କଟକଣା ହେଲେ ତୃତୀୟ ଲହର ବିଳମ୍ବରେ ଆସିବ ଓ ଏହା ଅଧିକ ଦିନ ଯାଏଁ ରହିବ । ଏହାମଧ୍ୟରେ ଦେଶରେ ମଧ୍ୟ ଦୈନିକ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି ।

ଅନ୍ୟପକ୍ଷରେ ଆଇଆଇଟି କାନପୁରର ପ୍ରଫେସର କହିଛନ୍ତି ଯେ, ଚଳିତ ମାସରେ ମୁମ୍ବାଇ-ଦିଲ୍ଲୀରେ ସଂକ୍ରମଣ ପିକରେ ରହିବ । ସେହିପରି ଓମିକ୍ରନ୍‌ ଦ୍ୱାରା ହିଁ ତୃତୀୟ ଲହର ଜାରିରହିବ ଏବଂ ଏହା ବୃଦ୍ଧି ପାଇବ । ପ୍ରଫେସର ଆହୁରି ମଧ୍ୟ କହିଛନ୍ତି ମାର୍ଚ୍ଚ ମାସ ପରେ ଦେଶରେ କରୋନାର ତୃତୀୟ ଲହର ରହିବ ନାହିଁ । ଅନ୍ୟପକ୍ଷରେ ସେ କହିଛନ୍ତି ଯେ, ମାର୍ଚ୍ଚ ମାସ ଶେଷ ବେଳକୁ ପ୍ରତିଦିନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ରୁ ୨୦ ହଜାର ମଧ୍ୟରେ ରହିବ । ସେହିପରି ସେ କହିଛନ୍ତି ଯେ, ତୃତୀୟ ଲହରରେ ଲୋକମାନଙ୍କୁ ଅଧିକ ସଂଖ୍ୟାରେ ହସ୍ପିଟାଲ ଯିବାକୁ ପଡିନପାରେ ଏବଂ ଅକ୍ସିଜେନ, ବେଡ ଭଳି ସଙ୍କଟ ଦେଖାଯିବ ନାହିଁ । ସୂଚନାଯୋଗ୍ୟ ଯେ, ଦେଶରେ ଏବେ ଦୈନିକ ସଂକ୍ରମଣ ୧ ଲକ୍ଷ ଉପରେ ରହୁଛି ।