ସୁକମାରେ ସାଥୀ ଯବାନଙ୍କ ଗୁଳିରେ ୪ ସିଆରପିଏଫ ଯବାନ ନିହତ

ଛତିଶଗଡ଼: ଛତିଶଗଡ଼ ସୁକମାରେ ଏକ ବଡ଼ ଅଘଟଣ ଘଟିଯାଇଛି । ସୁକମାରେ ସାଥୀ ଯବାନଙ୍କ ଗୁଳିରେ ୪ ଜଣ ଯବାନଙ୍କ ମୃତ୍ୟୁ ହୋଇଯାଇଛି । ତେବେ ଅନ୍ୟ ୧୩ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଏହି ଅଘଟଣ ସୁକମା ଜିଲ୍ଲାର ମରାଇଗୁଡ଼ା ଥାନା ଅଞ୍ଚଳରେ ଥିବା ସିଆରପିଏଫ୍ ୫୦ ନମ୍ବର ବାଟାଲିୟନ ଠାରେ । ତେବେ ପୋଲିସ୍ ଏବେ ଏହି ଘଟଣାର ତଦନ୍ତ କରୁଛି । କିପରି ଏକାବେଳରେ ୪ ଜଣଙ୍କ ଠାରେ ଗୁଳି ବାଜିଲା ତାକୁ ନେଇ ଖୋଳତାଡ଼ ଚଳାଇଛି । ତେବେ ଯାହା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ତାହା ହେଉଛି ଗତକାଲି ରାତିରେ ଯବାନ-ଯବାନଙ୍କ ମଧ୍ୟ କୌଣସି କଥାକୁ ନେଇ ଜୋରଦାର୍ ବଚସା ହୋଇଥିଲା । ଏହାର କିଛି ସମୟରେ ଜଣେ ଯବାନ ନିଜ ବନ୍ଧୁକରୁ ଅତର୍କିତ ଭାବରେ ଗୁଳି ଚାଳନା କରିଥିଲେ । ଏହି ଗୁଳି ଚାଳନାରେ ୭ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିଲା । ଆହତଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ୪ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ୍ ପହଞ୍ଚିଛି ଓ ଘଟଣାର ତଦନ୍ତ ଚଳାଇଛି । ଏସବୁରୁ ଏହା ସ୍ପଷ୍ଟ ରୂପରେ ଜଣାପଡ଼ୁଛି ଯେ, ପରସ୍ପର ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ଗୁଳି ଫୁଟାଫୁଟି ହୋଇଛନ୍ତି । ଯାହାଫଳରେ ୪ ଜଣ ମୃତ୍ୟୁବରଣ କରିଛନ୍ତି ।