ମହାତ୍ମା ଦତ୍ତାତ୍ରେୟ କହୁଛନ୍ତି ହେ ରାଜନ୍ ! ମୋର ବିଂଶତମ ଗୁରୁ ହେଉଛନ୍ତି – ବୁଢ଼ିଆଣି

ଦତ୍ତାତ୍ରେୟଙ୍କର ୨୪ ଗୁରୁ ପ୍ରସଙ୍ଗରେ ବିଂଶତମ ଗୁରୁ - ଉର୍ଣ୍ଣନାଭ ବା ବୁଢ଼ିଆଣି

ମହାତ୍ମା ଦତ୍ତାତ୍ରେୟ କହୁଛନ୍ତି ହେ ରାଜନ୍ ! ମୋର ବିଂଶତମ ଗୁରୁ ହେଉଛନ୍ତି – ବୁଢ଼ିଆଣି । ସର୍ବଶକ୍ତିମାନ ପରମାତ୍ମା ଏହି ଜଗତକୁ ସ୍ଵକୀୟ ମାୟା ବଳରେ ନିଜଠାରୁ ସୃଷ୍ଟି କରି ପୁନଃ ଉପସଂହାର କରିନିଅନ୍ତି । ଏକମାତ୍ର ସେ ହିଁ ଏ ଜଗତର ଆଧାର , କିନ୍ତୁ ତାଙ୍କର କେହି ଆଧାର ନାହିଁ ବୋଲି ବୁଢ଼ିଆଣି ଠାରୁ ମୁଁ ଶିକ୍ଷା କଲି ବୋଲି କହୁଛନ୍ତି ।

ବୁଢ଼ିଆଣି ନିଜେ ଜାଲ ତିଆରି କରେ କିନ୍ତୁ ନିଜ ଜାଲରେ ହିଁ ନିଜେ ସାରା ଜୀବନ ବନ୍ଦୀ ହୋଇ ରହିଥାଏ ବୋଲି ସେ ଜାଣି ନ ଥାଏ । ସେମିତି ମନୁଷ୍ୟ ନିଜ ବିଚାରର ମାୟାଜାଲରେ ନିଜେ ବନ୍ଦୀ ହୋଇ ନିଜର ମୂଳ ସ୍ୱରୂପକୁ ପାସୋରି ପକାଏ । ଉର୍ଣ୍ଣନାଭ ଆଉ ଏକ ଶିକ୍ଷା ମଧ୍ୟ ଦେଇଥାଏ ।

ପରମାତ୍ମା ହେଉଛନ୍ତି ଏହି ଜଗତର ମୂଳ ତତ୍ତ୍ୱ। ସେ ଏହି ଜଗତର ସୃଷ୍ଟି, ସ୍ଥିତି ଓ ବିଲୟର କାରଣ ଅଟନ୍ତି। ତାଙ୍କ ବ୍ୟତୀରେକେ ଏହି ଜଗତର ପରିକଳ୍ପନା କରାଯାଇ ପାରେନା। ଏହି ଜଗତର ସୃଷ୍ଟି ପୂର୍ବରୁ କେବଳ ସେ ହିଁ ଥିଲେ ,ଜଗତ ଥିବା ବେଳେ ସେ ହିଁ ଅଛନ୍ତି ଏବଂ ଜଗତର ବିଲୟ ପରେ ମଧ୍ୟ କେବଳ ସେ ହିଁ ରହିବେ।ବୁଢିଆଣୀ ଜାଲ ନିର୍ମାଣ କରିବା ସଦୃଶ ସେହି ଇଚ୍ଛାମୟ ଲୀଳା ବିହାରୀ ପ୍ରଭୂ ଲୀଳା ଖେଳା କରିବା ପାଇଁ ନିଜର ଯୋଗମାୟା ବଳରେ ନିଜ ଭିତରୁ ଏହି ଜଗତକୁ ନିର୍ମାଣ କରନ୍ତି ,ନିଜେ ସେହି ଜଗତକୁ ପାଳନ ବା ରକ୍ଷା କରନ୍ତି ଏବଂ ଶେଷରେ ନିଜ ଭିତରେ ତାକୁ ବିଲୀନ କରି ଦିଅନ୍ତି।

ଏ ପ୍ରସଙ୍ଗରେ ଏକାଦଶ ସ୍କନ୍ଧର ଦଶମ ଅଧ୍ୟାୟ ଏବଂ ଦ୍ଵିତୀୟ ସ୍କନ୍ଧର ନବମ ଅଧ୍ୟାୟ ମଧ୍ୟ ପ୍ରଣିଧାନ ଯୋଗ୍ୟ। ଯଥା –

ସେ ମାୟା ବଳେ ନାରାୟଣ । ଜଗତ କରେ ପୁଣ ପୁଣ ।। ତା ମଧ୍ୟେ ଜୀବରୂପ ଧରି । ବିହରେ ନାନା କ୍ରୀଡା କରି ।।
ଯେସନେ କୀଟ ଉର୍ଣ୍ଣନାଭ। ନିଜ ବଦନୁ ସୂତ୍ରଭାବ।। ଜାଲ ନିର୍ମାଇ ରାତ୍ରମୁଖେ। ମଧ୍ୟେ ବିହରେ ମନସୁଖେ ।।
ଏକାନ୍ତେ ରାତ୍ରେ କ୍ରୀଡା କରେ । ସୂର୍ଯ୍ୟ ଉଦୟେ ତା ସଂହରେ ।। ଏ ରୂପେ ସୃଷ୍ଟି ଲୀଳା କରି । ସଂସାରେ ଖେଳେ ନରହରି ।।
ଯେ ମାୟା ଯୋଗେ ସୃଷ୍ଟି କରୁ । ନାନା ପ୍ରକାରେ ଶକ୍ତି ଧରୁ ।। ଏ ସୃଷ୍ଟି ସ୍ଥିତି ସଂହାରଣ । ଯେମନ୍ତେ ହେଉ ତୁ କାରଣ ।।
ସ୍ଵତନ୍ତ୍ର ସୂତ୍ରେ ଉର୍ଣ୍ଣନାଭି । କ୍ରୀଡଇ ଯେହ୍ନେ ମନେ ଭାବି ।।