ଦ୍ୱାବିଂଶ ତମ ଗୁରୁ – ସର୍ପ

ମହାତ୍ମା ଦତ୍ତାତ୍ରେୟ କହୁଛନ୍ତି ହେ ରାଜନ୍ ମୋର ଦ୍ୱାବିଂଶତମ ଗୁରୁ ହେଉଛନ୍ତି – ସର୍ପ । ମୁଁ ତାଙ୍କ ଠାରୁ ସଙ୍ଗ ମେଳରେ ନ ରହି ଏକାନ୍ତ ବିଚରଣ କରିବା , ନିବାସ ପାଇଁ ମଠ ଇତ୍ୟାଦି ନିର୍ମାଣ ନ କରିବା ,ଗୁମ୍ଫା ପ୍ରଭୃତିରେ ରହିବା , ଏକ ସ୍ଥାନରେ ନ ରହିବା ଓ ଅଳ୍ପ କଥା କହିବା ଶିଖିଛି ।

ସର୍ପ ନିଜେ ଗାତ ନ ଖୋଳି ଅନ୍ୟ ପଶୁ ପକ୍ଷୀ କୀଟ ଆଦି କରିଥିବା ବାସ ସ୍ଥାନରେ ରହିବା ପରି ବୈରାଗୀ ସନ୍ନ୍ୟାସୀମାନେ ସଂସାରୀ ଲୋକମାନେ ତିଆରି କରିଥିବା ଘରେ , ଅଥବା ପରିତ୍ୟକ୍ତ ଘରେ ଓ ଗଛ ମୂଳେ ରହିଥାନ୍ତି । ସାପ ନିଜ କାତି ଛାଡିଲା ପରି ମୃତ୍ୟୁ ସମୟରେ ସମ୍ପୂର୍ଣ୍ଣ ସଜାଗ ହୋଇ , ନିଜର ମୂଳ ସ୍ୱରୂପରେ ମନୋନିବେଶ ପୂର୍ବକ ପୁରୁଣା ବସ୍ତ୍ରକୁ ପରିତ୍ୟାଗ ପୂର୍ବକ ନୂଆ ବସ୍ତ୍ର ପରିଧାନ କଲାପରି ପୁରୁଣା ଶରୀର ପରିତ୍ୟାଗ କରି ନୂତନ ଶରୀରରେ ପ୍ରବେଶ କରନ୍ତି ।

ତେଣୁ ଭାଗବତରେ କୁହାଯାଇଛି :

ଏକା ମୁଁ ଭ୍ରମଇ ସଂସାର
ମୋହର କାହିଁ ନାହିଁ ଘର।
ଅଳ୍ପ ଭାଷଣ ମୁନି ପ୍ରାୟେ
ମୁହିଁ ରହଇ ସ୍ଥିର ଦେହେ ।
ବିଫଳ ଅନିତ୍ୟ ଦେହର
ଗୃହ ଆରମ୍ଭ ଦୁଃଖ ଘୋର।
ଏ ଘେନି ଗୃହାରମ୍ଭ ଛାଡି
ଦେହର ରକ୍ଷା ମାତ୍ର ଲୋଡି ।

ଶରୀର ରଖଇ ନିରୋଳେ
ସର୍ପ ଯେସନେ ନାନା ବିଳେ।