ଏପ୍ରିଲ ବଦଳରେ ମେ’ରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବ

ଭୁବନେଶ୍ୱର: ଏପ୍ରିଲ ନୁହେଁ ମେ ମାସରୁ ଛାତ୍ରଛାତ୍ରୀଙ୍କ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବ । ଏଥିସହ ପିଲାମାନଙ୍କର ଗ୍ରୀଷ୍ମଛୁଟି ମଧ୍ୟ ହ୍ରାସ କରାଯିବ । ପୂର୍ବରୁ ପ୍ରତ୍ୟେକ ବର୍ଷ ମେ’ରୁ ଜୁନ୍ ୧୭ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକରେ ଗ୍ରୀଷ୍ମ ଛୁଟି ହେଉଥିଲା । ମାତ୍ର ଗତ ଦୁଇବର୍ଷ ହେଲା କୋଭିଡ୍-୧୯ କାରଣରୁ ପିଲାମାନଙ୍କର ପାଠପଢ଼ା ବହୁଳ ମାତ୍ରାରେ ବ୍ୟାହତ ହୋଇଥିଲା । ସ୍କୁଲ ନ ଖୋଲିବାରୁ ପିଲାମାନଙ୍କର ଭବିଷ୍ୟତ ଏକପ୍ରକାର ଅନ୍ଧକାର ମଧ୍ୟକୁ ଚାଲିଯାଇଥିଲା ।

ନୂତନ ଶିକ୍ଷାବର୍ଷରେ ପ୍ରତ୍ୟେକ ଛାତ୍ରଛାତ୍ରୀ ଯେପରି ଠିକଭାବେ ଶିକ୍ଷା ଗ୍ରହଣ କରିପାରିବେ, ସେଥିପାଇଁ ଧ୍ୟାନ ଦେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏ ବାବଦରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ନୂତନ ଶିକ୍ଷାବର୍ଷରେ ଦଶମ ଓ ଯୁକ୍ତଦୁଇ ପରୀକ୍ଷା, ନାମଲେଖା, ଗ୍ରୀଷ୍ମଛୁଟି ଆଦି ବିଷୟରେ ବୈଠକରେ ଆଲୋଚନା ହୋଇଥିଲା । ଗତ ଦୁଇବର୍ଷ ଧରି ପିଲାଙ୍କର ଶିକ୍ଷା ବାଧାପ୍ରାପ୍ତ ହୋଇଥିବାରୁ ସେମାନଙ୍କୁ ପୂର୍ବସ୍ଥିତିକୁ ଫେରାଇ ଆଣିବା ପାଇଁ ବିଭାଗ ପକ୍ଷରୁ ଉଦ୍ୟମ ହୋଇଛି । ଦେଢ଼ ମାସ ବଦଳରେ ଏବେ ଗ୍ରୀଷ୍ମ ଛୁଟିକୁ ୧୬ ଦିନକୁ ହ୍ରାସ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି । ଜୁନ ପହିଲାରୁ ୧୬ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମଛୁଟି କରାଯିବା ସହ ମେ ମାସ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବ । ଗ୍ରୀଷ୍ମଛୁଟି ହ୍ରାସ ସହ ସ୍କୁଲ ଟାଇମିଂକୁ ନେଇ ମଧ୍ୟ କିଛି ପରିବର୍ତ୍ତନ କରିବାକୁ ବିଭାଗ ପକ୍ଷରୁ ସ୍ଥିର କରାଯାଇଛି । ଏ ବାବଦରେ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣେ ବିଭାଗୀୟ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।