ସବୁ ଜିଲ୍ଲାରେ ଗୋଟିଏ ଗୋଟିଏ ମେଡିକାଲ କଲେଜ ଜରୁରୀ

ଭୁବନେଶ୍ୱର, (ସାକ୍‌ସୀ ନ୍ୟୁଜ୍‌): ମେଡିକାଲ କଲେଜ ଦାବି କରି ପାଳିତ ହୋଇଯାଇଛି ଜଗତସିଂପୁର ବନ୍ଦ । ଗୁରୁବାର ସକାଳ ୫ଟାରୁ ଅପରାହ୍ଣ ୪ଟା ଯାଏ ବନ୍ଦ ପାଳନ କରାଯାଇଥିଲା । ବନ୍ଦ ପାଳନରେ ସାମିଲ ହୋଇଥିଲେ ଏକାଧିକ ରାଜନୈତିକ ଦଳ, ନବନିର୍ମାଣ କୃଷକ ସଂଗଠନ, ବଜାର କମିଟି ସମେତ ବହୁ ସାମାଜିକ ସଂଗଠନ ।

ଜଗତସିଂପୁର ଜିଲ୍ଲାର ଲୋକସଂଖ୍ୟା ପ୍ରତି ଦୃଷ୍ଟିପାତ କରି ରାଜ୍ୟ ସରକାର ଅନ୍ତତଃପକ୍ଷେ ଗୋଟିଏ ମେଡିକାଲ କଲେଜ ପ୍ରତିଷ୍ଠା କରିବା ଦରକାର ବୋଲି ବିକ୍ଷୋଭରେ ସାମିଲ ଲୋକମାନେ ମତାମତ ପ୍ରକାଶ କରିଥିଲେ ।

ବିଶେଷ କରି ଜଗତସିଂପୁର ସହରାଂଚଳର ରାସ୍ତାଘାଟ ଶୂନଶାନ ରହିଥିଲା । ଦୋକାନ ବଜାର ବନ୍ଦ ରହିଥିଲା । ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ଥିଲା । ଦାବି ପୂରଣ ନହେବା ଯାଏ ବିକ୍ଷୋଭ ଜାରି ରହିବ ବୋଲି ବହୁ ସଂଗଠନ କହିଛନ୍ତି ।

ଲୋକଙ୍କ ମତାମତକୁ ପ୍ରାଥମିକତା ଦେଇ ରାଜ୍ୟ ପଛୁଆ ବର୍ଗ ସଂଗଠନ ଆବାହକ ସୀତାରାମ ବେହେରା କହିଛନ୍ତି, ରାଜ୍ୟ ସରକାର ସବୁ ଜିଲ୍ଲାରେ ଗୋଟିଏ ଗୋଟିଏ ମେଡିକାଲ କଲେଜ ପ୍ରତିଷ୍ଠା କରିଦେଲେ ସବୁ ଅଡୁଆର ସମାଧାନ ହୋଇଯିବ ।