କୋଭିଡ୍ ରେ ପିତାମାତାଙ୍କୁ ହରାଇଛନ୍ତି ୧.୯ ନିୟୁତ ଶିଶୁ

ନୂଆଦିଲ୍ଲୀ : କୋଭିଡ୍ ମହାମାରୀ ସାରା ବିଶ୍ୱକୁ ଦେଇଛି ଅନେକ ଦୁଃଖ ଓ ଯନ୍ତ୍ରଣା । ଆର୍ଥିକ, ସାମାଜିକ, ସାଂସ୍କୃତିକ ତଥା ବିଭିନ୍ନ କ୍ଷେତ୍ରରେ ଭୟଙ୍କର ପ୍ରଭାବ ପକାଇଛି । ‘ଦ ଲାନ୍‌ସେଣ୍ଟ ଚାଇଲ୍‌ଡ ଆଣ୍ଡ୍ ହେଲ୍‌ଥ ଜର୍ଣ୍ଣାଲ୍‌’ରେ ପ୍ରକାଶିତ ଏକ ତଥ୍ୟ ବାସ୍ତବିକ୍ ହୃଦୟ ବିଦାରକ । ୨୦ଟି ଦେଶରେ କରାଯାଇଥିବା ଏହି ସର୍ଭେରୁ ଜଣାପଡ଼ିଛି ଯେ ବୈଶ୍ୱିକସ୍ତରରେ ପାଖାପାଖି ୧.୯ ନିୟୁତ ଶିଶୁ କରୋନା ଯୋଗୁଁ ଅନାଥ ହୋଇଛନ୍ତି । ଏହି ଶିଶୁମାନେ କୋଭିଡ୍‌ରେ ନିଜ ପିତାମାତା କିମ୍ବା ଅଭିଭାବକଙ୍କୁ ହରାଇଛନ୍ତି । ସର୍ଭେ ଅନୁସାରେ କୋଭିଡ୍‌ର ପ୍ରଥମ ଲହର ଅର୍ଥାତ୍ କୋଭିଡ୍ ମହାମାରୀର ଆବିର୍ଭାବର ପ୍ରଥମ ୧୪ ମାସ ତୁଳନାରେ ୧, ମେ’ ୨୦୨୧ରୁ ୩୧, ଅକ୍ଟୋବର ୨୦୨୧ ମଧ୍ୟରେ ଅର୍ଥାତ୍ ୬ ମାସ ମଧ୍ୟରେ ଏପରି ଶିଶୁଙ୍କ ସଂଖ୍ୟା ଦୁଇଗୁଣା ବୃଦ୍ଧି ପାଇଛି । ଅପରପକ୍ଷରେ ବୈଶ୍ୱିକ ସ୍ତରରେ ଅନାଥ ହୋଇଥିବା ପ୍ରତି ତିନିଜଣ ଶିଶୁଙ୍କ ମଧ୍ୟରେ ଦୁଇଜଣଙ୍କ ହାରାହାରି ବୟସ ୧୦ରୁ ୧୭ ବର୍ଷ ରହିଛି । କ୍ଷୋଭର ସହିତ ରିପୋର୍ଟ ପ୍ରକାଶ କରିଛି ଯେ ଏହି ସରକାରୀ ଭାବେ ପ୍ରକାଶିତ ସଂଖ୍ୟା ତୁଳନାରେ ଏହି ସଂଖ୍ୟା ଅଧିକ । ଅଧିକ ସର୍ଭେ ପରେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଜାନୁଆରୀ ୨୦୨୨ ସୁଦ୍ଧା ଏହି ସଂଖ୍ୟା ୬.୭ ମିଲିୟନ୍‌ରେ ପହଞ୍ଚିବାର ସମ୍ଭାବନା ରହିଛି ବୋଲି ରିୟଲ୍ ଟାଇମ୍ ଡାଟାରୁ ଜଣାପଡ଼ିଛି । ବର୍ତ୍ତମାନର ଅଧ୍ୟୟନ ୩୧, ଅକ୍ଟୋବର ପର୍ଯ୍ୟନ୍ତ ତଥ୍ୟ ଉପରେ ଆଧାରିତ । ମହାମାରୀ ଏବେ ମଧ୍ୟ ବିଶ୍ୱରେ ନିଜ ଉପସ୍ଥିତି ଜାରିରଖିଛି । ଆଗାମୀ ସମୟରେ ଏହି ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ସର୍ଭେ ଅନୁସାରେ ପ୍ରଭାବିତ ହୋଇଥିବା ଶିଶୁଙ୍କ ସଂଖ୍ୟା ଜର୍ମାନୀରେ ୨,୪୦୦ ହୋଇଥିବା ବେଳେ ଭାରତରେ ୧୯ ଲକ୍ଷରୁ ଅଧିକ ରହିଛନ୍ତି । ହାରାହାରି ମାମଲାରେ ଏହି ସଂଖ୍ୟା ପେରୁ ଓ ଦକ୍ଷିଣ ଆଫ୍ରିକାରେ ସର୍ବାଧିକ ରହିଛି । ସେଠାରେ ପ୍ରତ୍ୟେକ ୧୦ ଶିଶୁଙ୍କ ମଧ୍ୟରେ ୮ କିମ୍ବା ୭ ଶିଶୁ ପ୍ରଭାବିତ ହୋଇଛନ୍ତି ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ସମସ୍ତ ଦେଶରେ ଶିଶୁଙ୍କ କ୍ଷେତ୍ରରେ ମାତାଙ୍କ ତୁଳନାରେ ପିତାଙ୍କୁ ହରାଇବା ମାମଲା ଅଧିକ ରହିଛି । ଏହାବ୍ୟତୀତ ଶିଶୁଙ୍କ ତୁଳନାରେ କିଶୋରଙ୍କ ସଂଖ୍ୟା ଅଧିକ ରହିଛି।