ଆଜିଠୁ କଳିଙ୍ଗରେ ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍

ଭୁବନେଶ୍ୱର : ଶନିବାରଠାରୁ କଳିଙ୍ଗ ଷ୍ଟାଡିୟମ୍‌ସ୍ଥିତ ହକି କମ୍ପେ୍ଲକ୍ସଠାରେ ଏଫ୍‌ଆଇଏଚ୍ ହକି ପ୍ରୋ ଲିଗ୍ ମ୍ୟାଚ୍ ଆରମ୍ଭ ହେବ । ପ୍ରଥମେ ଭାରତର ଉଭୟ ପୁରୁଷ ଓ ମହିଳା ଦଳ ସ୍ପେନ୍ ସହ ମୁକାବିଲା କରିବେ । ଶନିବାର ଓ ରବିବାର ଏହି ମ୍ୟାଚ୍ ଦୁଇଟି ଖେଳାଯିବ । ଇତିମଧ୍ୟରେ ଭାରତ ଓ ସ୍ପେନ୍‌ର ପୁରୁଷ ଓ ମହିଳା ଦଳ ଏଠାରେ ପହଞ୍ଚି ପରିବେଶ ସହ ନିଜକୁ ଖାପ ଖୁଆଇବା ସକାଶେ ଭରପୂର ଅଭ୍ୟାସ କରିଛନ୍ତି ।

ମ୍ୟାଚ୍ ସମ୍ପର୍କରେ ଭାରତୀୟ ପୁରୁଷ ଦଳର ଅଧିନାୟକ ମନପ୍ରୀତ୍ ସିଂହ କହିଛନ୍ତି, ଗତ ଟୋକିଓ ଅଲିମ୍ପିକ୍ସରେ ଆମେ ସ୍ପେନ୍ ସହ ଖେଳିଥିଲୁ । ଏହି ଦଳକୁ ଆମେ କଦାପି ହାଲକା ଭାବେ ନେଇପାରିବୁ ନାହିଁ ।  ସେହିପରି ଦୀର୍ଘ ୨ ବର୍ଷ ପରେ କଳିଙ୍ଗକୁ ଫେରିବା ନେଇ ମନପ୍ରୀତ୍ କହିଛନ୍ତି, ଏଠାରେ ଖେଳିବା ସକାଶେ ଆମେ ସବୁବେଳେ ଉତ୍କଣ୍ଠାର ସହ ଅପେକ୍ଷା କରିଥାଉ । କାରଣ ଏଠାକାର ହକି ପରିବେଶ ଅନ୍ୟ ସ୍ଥାନ ତୁଳନାରେ ଯଥେଷ୍ଟ ସ୍ୱତନ୍ତ୍ର ।

ଏହାଛଡ଼ା ଗତ ଟୋକିଓ ଅଲିମ୍ପିକ୍ସରେ ଭାରତ ସ୍ପେନ୍ ବିପକ୍ଷରେ ୩-୦ରେ ବିଜୟୀ ହୋଇଥିବା ବେଳେ ଏହି ଧାରା କଳିଙ୍ଗରେ ବି ଜାରି ରହିବ ବୋଲି ଭାରତୀୟ ପୁରୁଷ ଦଳର ଉପଅଧିନାୟକ ହରମନପ୍ରୀତ୍ ସିଂହ କହିଛନ୍ତି । ସେ କହିଛନ୍ତି, ଟୋକିଓରେ ସ୍ପେନ୍ ଖେଳାଳିମାନେ ଆମକୁ କଡ଼ା ଟକ୍କର ଦେଇଥିଲେ । ତେଣୁ ପୁଣିଥରେ ଏହି ଟିମ୍‌କୁ ଭେଟିବା ସକାଶେ ଆମେ ଉତ୍କଣ୍ଠାର ସହ ଅପେକ୍ଷା କରିଛୁ । ଏଠାରେ ଅଭ୍ୟାସ ଅନୁସାରେ ଆମକୁ ପ୍ରଦର୍ଶନ କରିବାକୁ ପଡ଼ିବ । ରଣନୀତି ଅନୁସାରେ ପ୍ରଦର୍ଶନ କଲେ ଆମେ ନିଶ୍ଚିତ ଭାବେ ଟୋକିଓ ସଫଳତା ଏଠାରେ ଦୋହରାଇପାରିବୁ ବୋଲି ହରମନ୍‌ପ୍ରୀତ୍ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ଅନ୍ୟପକ୍ଷରେ ସ୍ପେନ୍ ପୁରୁଷ ଟିମ୍‌ର ମୁଖ୍ୟ କୋଚ୍ କାଲଡାସ୍ କହିଛନ୍ତି, ଆମେ ପ୍ରତି ମ୍ୟାଚ୍‌ରେ ଉନ୍ନତ ପ୍ରଦର୍ଶନ ପାଇଁ ଆଶାବାଦୀ। ଟୁର୍ଣ୍ଣାମେଣ୍ଟ୍ ଆଗକୁ ବଢ଼ିବା ସହ ଦଳର ଖେଳାଳିମାନେ ନିଜର ପ୍ରଦର୍ଶନକୁ ସୁଧାରିବା ପାଇଁ ଉଦ୍ୟମ କରୁଛନ୍ତି। ଦଳ ସହ ନୂଆ କରି ଯୋଗ ଦେଇଥିବାରୁ ସମସ୍ତଙ୍କ ସହ ଉନ୍ନତ ସମ୍ପର୍କର୍ ସ୍ଥାପନ ପାଇଁ ପ୍ରଚେଷ୍ଟା ଚଳାଇଛି। ମ୍ୟାଚ୍‌ରେ ଆମର ରଣନୀତିକୁ ଖେଳାଳିମାନେ ସଠିକ୍ ସମୟରେ ଉପଯୋଗ କରିବେ ବୋଲି ଆଶା ରଖିଛି। ପ୍ରତିପକ୍ଷ ଭାରତ ପାଖରେ ଯୁବ ଓ ଅଭିଜ୍ଞ ଖେଳାଳିଙ୍କ ଉତ୍ତମ ସମନ୍ୱୟ ରହିଥିବା ବେଳେ ମୁଖ୍ୟ କୋଚ୍ ଗ୍ରାହାମ୍ ରିଡ୍ ସେମାନଙ୍କୁ ବେଶ୍ ଭଲ ଭାବେ ପ୍ରସ୍ତୁତ କରିଛନ୍ତି। ତଥାପି ଅନ୍ତର୍ଜାତୀୟ ର‌୍ୟାଙ୍କିଙ୍ଗରେ ଯଥେଷ୍ଟ ଉପରେ ରହିଥିବା ଏହି ଟିମ୍‌କୁ ଆମ ଦଳର ଖେଳାଳିମାନେ ଚାଲେଞ୍ଜ୍ ଦେଇପାରିବେ ବୋଲି କାଲଡାସ୍ ଆଶା ପ୍ରକାଶ କରିଛନ୍ତି। ସେହିପରି ଅଧିନାୟକ ମାର୍କ ମିରେଲ୍ସ ଏଠାକାର ଆତିଥ୍ୟକୁ ପ୍ରଶଂସା କରିବା ସହ ଏହା ସେମାନଙ୍କୁ ଟ୍ରେନିଂରେ ଫୋକସ୍ କରିବାର ସୁଯୋଗ ଦେଇଥିବା କହିଛନ୍ତି । ସକାରାତ୍ମକ ଭାବନା ନେଇ ମ୍ୟାଚ୍‌କୁ ଓହ୍ଲାଇବା ପରେ ଭାରତ ବିପକ୍ଷରେ ତାଙ୍କ ଟିମ୍ ବିଜୟୀ ହେବା ନେଇ ମଧ୍ୟ ମାର୍କ ଆଶାବାଦୀ ଥିବା କହିଛନ୍ତି ।