ଗାନ୍ଧୀଙ୍କ ବେଶରେ କୋଭିଡ଼୍ ଟେଷ୍ଟ!

ରାଜକୋଟ: ଦେଶବ୍ୟାପୀ କରୋନା ସଂକ୍ରମଣ ବଢ଼ିଚାଲିଥିବା ବେଳେ କିଭଳି ଅଧିକରୁ ଅଧିକ ନମୂନା ପରୀକ୍ଷା କରାଯିବ ଏନେଇ ଚିନ୍ତାରେ ସରକାର। ଇତିମଧ୍ୟରେ ନିଆରା ଶୈଳୀରେ ଜନ ସଚେତନତା ସୃଷ୍ଟି କରିଛନ୍ତି ଗୁଜରାଟର ଜଣେ ୧୦ ବର୍ଷର ବାଳକ। ସେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ବେଶ ଧାରଣ କରି ଆଜି ନିଜର କୋଭିଡ଼୍ ଟେଷ୍ଟ କରାଇଛନ୍ତି। ତାଙ୍କର ଏହି ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ଖବର ସରବରାହ ସଂସ୍ଥା ଏଏନଆଇ ଏହି ଫଟୋ ନିଜ ଟ୍ୱିଟର ପୃଷ୍ଠାରେ ପୋଷ୍ଟ କରିଛି। ଯେଉଁଥିରେ ୧୦ ବର୍ଷର ବାଳକ ଜଣଙ୍କ ଗାନ୍ଧୀଜୀଙ୍କ ବେଶଭୁଷାରେ ନଜର ଆସୁଛନ୍ତି। ସେ ଧଳା ଧୋତି ପିନ୍ଧିବା ସହ ଦେହରେ ଧଳା ସାଲ୍ ପକାଇଛନ୍ତି। ଗାନ୍ଧୀଜୀଙ୍କ ପରି ଗୋଲ ଚଷମା ସାଙ୍ଗକୁ ହାତରେ ଠେଙ୍ଗା ମଧ୍ୟ ଧରିଛନ୍ତି। ଅବିକଳ ଗାନ୍ଧୀଜୀଙ୍କ ବେଶ ଧାରଣ କରି ଏହି ବାଳକ ଜଣକ ନିଜର କରୋନା ପରୀକ୍ଷା କରାଉଥିବା ଫଟୋରେ ଦେଖିବାକୁ ମିଳିଛି।

ଏନେଇ ସେ କହିଛନ୍ତି, ମୋର ସ୍ୱାବ୍ ନମୁନା କରୋନା ଭାଇରସ୍ ପରୀକ୍ଷା ପାଇଁ ନିଆଯାଇଛି। ଲୋକମାନେ ପରୀକ୍ଷା ବିଷୟରେ ଭୟଭୀତ ହେବା ଉଚିତ୍ ନୁହେଁ। ଆମେ ସହଯୋଗ କଲେ ହିଁ ଆମ ଦେଶ ସୁସ୍ଥ ରହିବ। ସୂଚନାଯୋଗ୍ୟ, ଭାରତରେ କରୋନା ସଂକ୍ରମଣ ୬୨ ଲକ୍ଷ ପାର୍ କରିସାରିଛି। ଗତ ୨୪ ଘଣ୍ଟାରେ ୧୧୭୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତକଙ୍କ ସଂଖ୍ୟା ୯୭ ହଜାର ୪୯୭ରେ ପହଞ୍ଚିଛି। ଏବେ ୯ ଲକ୍ଷ ୪୦ ହଜାର ୪୪୧ଟି ସକ୍ରୀୟ ମାମଲା ରହିଛି।