ଉପନିର୍ବାଚନ: ରାଜ୍ୟ ବିଜେପିର ପରିଚାଳନା ଟିମ୍ ଚୂଡ଼ାନ୍ତ

ଭୁବନେଶ୍ୱର(ଏସ୍ ନ୍ୟୁଜ): ଆସନ୍ତା ନଭେମ୍ବର ୩ ତାରିଖରେ ରାଜ୍ୟରେ ଖାଲି ପଡ଼ିଥିବା ଦୁଇ ବିଧାନସଭା ଆସନ ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ନିର୍ବାଚନୀ ପରିଚାଳନା ପାଇଁ ରାଜ୍ୟ ବିଜେପି ପ୍ରସ୍ତୁତ କରିଛି ଦୁଇଟି ଟିମ୍। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ଦଳର ବହୁ ହେଭିୱେଟ୍ ଏଥିରେ ସ୍ଥାନ ପାଇଛନ୍ତି।

ବାଲେଶ୍ୱର ସଦର ପାଇଁ ଗଠିତ ହୋଇଥିବା ପରିଚାଳନା ସମିତିରେ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ମୟୁରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ(ରାଷ୍ଟ୍ରୀୟ ସଂପାଦକ), ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ରଘୁନାଥ ମହାନ୍ତି, ପଦ୍ମଲୋଚନ ପଣ୍ଡା, ବିଧାୟକ ମୋହନ ମାଝୀ, ସୁକାନ୍ତ ନାୟକ, ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ଗୋଲକ ମହାପାତ୍ର, କାଳନ୍ଦୀ ସାମଲ, ଟଙ୍କଧର ତ୍ରିପାଠୀଙ୍କ ପରି ମୋଟ ୧୬ ଜଣ। ଏଥିରେ ଉଭୟ ବରିଷ୍ଠ ଏବଂ ଯୁବ ନେତୃତ୍ୱଙ୍କୁ ଦାୟିତ୍ୱ ମିଳିଛି।

ସେହିଭଳି ତିର୍ତ୍ତୋଲ ଟିମରେ ରହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ(ରାଷ୍ଟ୍ରୀୟ ମୁଖପାତ୍ର), ପୃଥ୍ୱୀରାଜ ହରିଚନ୍ଦନ, ପୂର୍ବତନ ମନ୍ତ୍ରୀ ସମୀର ଦେ, ନୟନ ମହାନ୍ତି, ପ୍ରକାଶ ମିଶ୍ର, ଭୃଗୁ ବକ୍ସିପାତ୍ର, ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଜୟନ୍ତ ଷଡ଼ଙ୍ଗୀ, ବରିଷ୍ଠ ମହିଳା ନେତ୍ରୀ ପ୍ରଭାତି ପରିଡ଼ା, ଯୁବମୋର୍ଚ୍ଚା ସଭାପତି ଇରାସିଶ ଆଚାର୍ଯ୍ୟ, ସାରଦା ପ୍ରଧାନ, ପୂର୍ବତନ ସାଂସଦ ବିଭୁ ତରାଇ, ବାବୁ ସିଂ, ଭୁବନମୋହନ ଜେନା, ପ୍ରକାଶ ବେହେରା, ଆଶ୍ରୀତ ପଟ୍ଟନାୟକଙ୍କ ଭଳି ମୋଟ ୨୩ ଜଣ। ଏହି ଟିମରେ ଅଧିକାଶଂ ଯୁବ ନେତୃତ୍ୱଙ୍କୁ ସ୍ଥାନ ମିଳିଛି।

ବାଲେଶ୍ୱର ଅପେକ୍ଷା ତିର୍ତ୍ତୋଲକୁ ଅଧିକା ପ୍ରାଧାନ୍ୟ ଦେଇଛି ରାଜ୍ୟ ବିଜେପି। ଏକଥା ତାଲିକାରୁ ସ୍ପଷ୍ଟ ହୋଇଛି। ଏହାର କାରଣ ହେଲା ବାଲେଶ୍ୱର ସଦରରେ ଏଥର ବିଜେପି ଟିକେଟରୁ ମଦନମୋହନ ଦତ୍ତ ଜିତିଥିଲେ। ଦୁର୍ଭାଗ୍ୟକୁ ତାଙ୍କର ଅକାଳ ବିୟୋଗ ହୋଇଛି। ତାଙ୍କ ଅବର୍ତ୍ତମାନରେ ମଧ୍ୟ ଦଳୀୟ ସଂଗଠନ ସେଠାରେ ସୁଦୃଢ଼ ରହିଛି। ହେଲେ ଏପଟେ ତିର୍ତ୍ତୋଲ ବିଜେଡିର ମଜବୁତ ଗଡ଼ ଭାବରେ ଜଣା। ଏଣୁ ଶଙ୍ଖ କ୍ଷେତ୍ରରେ ପଦ୍ମ ଫୁଟାଇବାକୁ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ୨୩ ଜଣିଆ ଟିମ୍ ଗଢ଼ିଛି ରାଜ୍ୟ ବିଜେପି।