ଆଇପିଏଲ: ଆଜି ରାଜସ୍ଥାନକୁ ଭେଟିବ କୋଲକାତା

ଦୁବାଇ: ଆଜି ଖେଳାଯିବ ଚଳିତ ଆଇପିଏଲର ଦ୍ୱାଦଶ ମ୍ୟାଚ୍। ଏଥିରେ ପରସ୍ପରକୁ ଭେଟିବେ ରାଜସ୍ଥାନ ରୟାଲ୍ସ(ଆରଆର) ଏବଂ କୋଲକାତା ନାଇଟ ରାଇଡର୍ସ(କେକେଆର)। ଏହି ମ୍ୟାଚକୁ ଜିତିଲେ ରାଜସ୍ଥାନ ହାଟ୍ରିକ୍ ବିଜୟ ହାସଲ କରିବ।

ପୂର୍ବରୁ ରାଜସ୍ଥାନ ଦୁଇଟି ମ୍ୟାଚ୍ ଖେଳି ଉଭୟକୁ ଜିତିସାରିଛି। ପ୍ରଥମେ ଦଳ ଚେନ୍ନାଇ ସୁପର କିଙ୍ଗ୍ସକୁ ହରାଇଥିବା ବେଳେ ଦ୍ୱିତୀୟ ମୁକାବିଲାରେ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ମାତ୍ ଦେଇଥିଲା। ୨୭ ତାରିଖ ପଞ୍ଜାବ ବିପକ୍ଷ ମ୍ୟାଚରେ ଦଳ ୨୨୩ ରନର ପିଛା କରି ୩ଟି ବଲ୍ ବାକି ଥାଇ ଏହି ଲକ୍ଷ ହାସଲ କରିଥିଲା। ଯାହାକି ଆଇପିଏଲ ଇତିହାସରେ ସବୁଠୁ ସଫଳ ରନ ଚେଜର ମାନ୍ୟତା ପାଇଛି। ସେଲଡନ୍ କଟ୍ରେଲଙ୍କ ଗୋଟିଏ ଓଭରରେ ୫ଟି ଛକା ମାରି ବାଜି ପରିବର୍ତ୍ତନ କରିଦେଇଥିଲେ ରାହୁଲ ତେୱାଟିଆ। ଆଜି ତାଙ୍କ ଉପରେ ସମସ୍ତଙ୍କ ନଜର ରହିବ।

ଅନ୍ୟପଟେ ଚଳିତ ସିଜିନରେ ଦୁଇଟି ମ୍ୟାଚ୍ ଖେଳି ଗୋଟିଏ ଜିତିଛି କେକେଆର। ୨୩ ତାରିଖରେ ଖେଳିଥିବା ପ୍ରଥମ ମ୍ୟାଚରେ ଦଳ ୪୯ ରନ ବ୍ୟବଧାନରେ ମୁମ୍ବାଇଠୁ ହାରିଥିଲା। ତେବେ ୨୬ ତାରିଖ ଦିନ ଦ୍ୱିତୀୟ ମ୍ୟାଚରେ ବାଜି ମାରିଥିଲା ଦିନେଶଙ୍କ ଦଳ। ୭ ୱିକେଟରେ ହାଇଦ୍ରାବାଦକୁ ହରାଇଥିଲା କୋଲକାତା। ଏଥିରେ ଭଲ ପ୍ରଦର୍ଶନ କରିଥିଲେ ଶୁବମନ ଗିଲ୍ ଏବଂ ସ୍ପିନର ବରୁଣ ଚକ୍ରବର୍ତ୍ତୀ। ତେବେ ଷ୍ଟାର ଅଲରାଉଣ୍ଡର ଆଣ୍ଡ୍ରେ ରସେଲଙ୍କ ହାତ ଏପର୍ଯ୍ୟନ୍ତ ଫିଟି ପାରିନି। ଯାହା ଦଳ ପାଇଁ ଚିନ୍ତାର କାରଣ।