ଦେଶରେ ୧୫୦କୋଟି ଟପିଲା କୋଭିଡ ଟିକାକରଣ

ନୂଆଦିଲ୍ଲୀ: କରୋନା ଲଢେଇରେ ଭାରତ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ଦେଶରେ ୧୫୦କୋଟି ଟପିଲା କୋଭିଡ ଟିକାକରଣ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ସୂଚନା ଅନୁଯାୟୀ ଦେଶରେ ୧୫୦କୋଟି ୨ ଲକ୍ଷ ୯୭ ହଜାର ୨୫୯ କୋଭିଡ ଟିକା ଦିଆସରିଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି, ୧୫ରୁ ୧୮ ବର୍ଷ କିଶୋରଙ୍କ ଟିକାକରଣରୁ ଦେଶ ନୂଆ ବର୍ଷର ଆରମ୍ଭ କରିଥିଲା ।

ସେହିପରି ଭାରତ ୧୫୦ କୋଟି ଭ୍ୟାକସିନ ପ୍ରଦାନ କରି ଐତିହାସିକ ସଫଳତା ହାସଲ କରିଛି । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତର ଜନସଂଖ୍ୟାର ୯୦ ପ୍ରତିଶତରୁ ଅଧିକ ଲୋକେ କରୋନା ଟିକା ନେଇଛନ୍ତି । ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ମୋଦି ବିଶେଷ କରି ଦେଶର ବୈଜ୍ଞାନିକ, ଟିକା ନିର୍ମାତା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ର ସହ ଜଡିତ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।