ଗଭୀର ସମୁଦ୍ରରେ ହଜିଗଲେ ୫ ଜଣ କୋଟିପତି

ଗଭୀର ସମୁଦ୍ର ଭିତରେ ବୁଡ଼ି ରହିଥିବା ବହୁ ଚର୍ଚ୍ଚିତ ବିଶାଳ ଟାଇଟାନିକର ପରିତ୍ୟକ୍ତ ଅଂଶକୁ ଦେଖିବା ପାଇଁ ଗତ ରବିବାର ସମୁଦ୍ରକୁ ଓହ୍ଲାଇଥିବା ବୁଡ଼ାଜାହାଜ ଟାଇଟନ୍‌ ଏବେ ନିଖୋଜ ହୋଇଯାଇଛି । ସବୁଠାରୁ ଆଲୋଚନାର ବିଷୟ, ନିଖୋଜ ଟାଇଟନରେ ଯାତ୍ରୀ ଅଛନ୍ତି ୫ ଜଣ କୋଟିପତି । ଚିନ୍ତାର ବିଷୟ ହେଉଛି, ବୁଡ଼ାଜାହାଜରେ ମହଜୁଦ ଅମ୍ଳଜାନ ମାତ୍ର ୯୬ ଘଂଟା ପାଇଁ ରହିବ । ତେଣୁ ବୁଡ଼ାଜାହାଜରେ ଫସି ରହିଥିବା ଯାତ୍ରୀଙ୍କର ବଂଚିବାର ଆଶା କ୍ଷୀଣ ।

ନିଖୋଜ ଟାଇଟନଟି ବହୁତ ଛୋଟ ବୁଡାଜାହାଜ ଯୋଉଥିରେ ସର୍ବାଧିକ ୫ ଜଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ । ଟାଇଟନ ବୁଡ଼ାଜାହାଜରେ ଲମ୍ବ ୬.୭ ମିଟର, ଓସାର ୨.୮ ମିଟର ଓ ଉଚ୍ଚତା ୨.୫ ମିଟର । ସେଥିରେ ମହଜୁଦ ଅମ୍ଳଜାନ ସର୍ବାଧିକ ୯୬ ଘଂଟା ପାଇଁ । ଟାଇଟନରେ ବସିବା ପାଇଁ ଆସନ ନାହିଁ, କେବଳ ମାତ୍ର ଗୋଟିଏ ସପାର୍ଟ ଫର୍ଶ ଯୋଉଥିରେ ୫ ଜଣ ଲୋକ ବସିପାରିବେ ।

୨୧ ଫୁଟ ଲମ୍ବବିଶିଷ୍ଟ ବୁଡ଼ାଜାହାଜ ଭିତରେ ଗୋଡ଼ ହଲାଇବା ପାଇଁ ମଧ୍ୟ ସୁବିଧା ନାହିଁ । ଅଧିକାରୀଙ୍କ ମତରେ ବୁଡ଼ାଜାହାଜର ୫ ଯାତ୍ରୀଙ୍କ ପାଇଁ ସୀମିତ ପରିମାଣର ଖାଦ୍ୟ ଓ ପାନୀୟ ଥିଲା । ବୁଡ଼ାଜାହାଜ ଭିତରୁ ସମୁଦ୍ରର ଶୋଭାରାଜି ଦେଖିବା ପାଇଁ ମାତ୍ର ୨୧ ଇଂଚ ବ୍ୟାସର ଖିଡ଼ିକିଟିଏ ରହିଛି । ଗଭୀର ସମୁଦ୍ର ଭିତରେ ପ୍ରାୟ ୧୨ ହଜାର ୫୦୦ ଫୁଟ ତଳେ ଟାଇଟାନିକର ଭଙ୍ଗାଟୁକୁଡ଼ା ଅଂଶ ରହିଛି ଯାହା ନିକଟରେ ପହଂଚିବା ୨ ଘଂଟା, ବୁଲି ଦେଖିବା ପାଇଁ ଚାରିଘଂଟା ଓ ଫେରିବା ପାଇଁ ୨ ଘଂଟା ଲାଗିବ ବୋଲି ପୂର୍ବରୁ ଜଣାଇ ଦିଆଯାଇଥିଲା ।

ପୋଲାର ପ୍ରିନ୍ସ ନାମକ ଜାହାଜଟି ନିଖୋଜ ବୁଡ଼ାଜାହାଜ ଟାଇଟନକୁ ସମୁଦ୍ରରେ ଛାଡ଼ିଥିଲା । ସମୁଦ୍ର ତଳକୁ ଯିବାର ୧ ଘଂଟା ୪୫ ମିନିଟ୍‌ ପରେ ଜାହାଜ ସହିତ ବୁଡ଼ାଜାହାଜର ସଂପର୍କ ବିଚ୍ଛିନ୍ନ ହୋଇଯାଇଥିଲା । ଆମେରିକା ଉପକୂଳ ନିକଟରୁ ପୂର୍ବ ଆଡ଼କୁ ପ୍ରାୟ ୯୦୦ ନଟିକାଲ ମାଇଲ ଦୂର କେପ୍‌ କୋଡ୍‌ ନିକଟରେ ବୁଡ଼ାଜାହାଜ ଟାଇଟନ୍‌ ନିଖୋଜ ହୋଇଯାଇଛି । ଖବର ପାଇ ଆମେରିକା ତଟରକ୍ଷୀ ବାହିନୀ ପକ୍ଷରୁ ବଡ଼ ଧରଣର ତଲାସ ଅଭିଯାନ ଆରମ୍ଭ ହୋଇଛି । ଆମେରିକା ଓ କାନାଡ଼ାର ବଡ଼ବଡ଼ ଜାହାଜ କମ୍ପାନୀ ଖୋଜିବା କାମରେ ସାମିଲ ହୋଇଛନ୍ତି । ଏକାଧିକ ରୋବଟ ମଧ୍ୟ ଗଭୀର ସମୁଦ୍ରକୁ ଯାଇ ବୁଡ଼ାଜାହାଜଟିକୁ ଖୋଜୁଛନ୍ତି ।

ନିଖୋଜ ବୁଡ଼ାଜାହାଜଟିରେ ଓସନୋଗେଟ୍‌ ସିଇଓ ଷ୍ଟାକଟନ୍‌ ରଶ ଅଛନ୍ତି । ରଶ ବୁଡ଼ାଜାହାଜଟିର ପାଇଲଟ୍‌ ଅଛନ୍ତି । ୨୦୨୧ରେ ଷ୍ଟାକଟନ୍‌ କହିଥିଲେ ଯେ ସେ ଟାଇଟନ୍‌ ତିଆରି କରିବାରେ ସେ କିଛି ନିୟମକୁ ଅଣଦେଖା କରିଥିଲେ ।