ଭଣ୍ଡୁର ହୋଇଯିବ ବିଜେପିକୁ ହଟାଇବାର ମହାଉଦ୍ୟମ!

କେନ୍ଦ୍ରରୁ ବିଜେପିକୁ ହଟାଇବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମହାଉଦ୍ୟମ କ୍ରମେ ଭଣ୍ଡୁର ହେବାକୁ ଯାଉଛି। ୨୩ ତାରିଖରେ ଅନୁଷ୍ଠିତ ହେବାର ଥିଲା ମହା ଗଠବନ୍ଧନର ପ୍ରଥମ ବୈଠକ। ଦିନକ ପୂର୍ବରୁ ଆମ୍‌ ଆଦ୍‌ମୀ ପାର୍ଟି କଂଗ୍ରେସକୁ ଏପରି ଘଣାରେ ପକାଇଛି ଯାହା ଏବେ ନୀତୀଶଙ୍କ ନିଦ ହଜାଇ ଦେଇଛି। ଦିଲ୍ଲୀ ଅଧ୍ୟାଦେଶକୁ କଂଗ୍ରେସ ସମର୍ଥନ ନକଲେ, ମହାବୈଠକରେ ଆପ୍‌ ଯୋଗଦେବ ନାହିଁ ବୋଲି ସଫା ସଫା ଜଣାଇ ଦେଇଛି।

କଥା କ’ଣ କି, କ୍ଷମତା ଓ ଅଧିକାରକୁ କେନ୍ଦ୍ର କରି ମୋଦି ସରକାର ଓ ଦିଲ୍ଲୀ ସରକାର ମଧ୍ୟରେ ଲମ୍ବା ଯୁଦ୍ଧ ଚାଲିଛି। ଉପରାଜ୍ୟପାଳ ବନାମ କେଜରିୱାଲ ସରକାର ବିବାଦର ବିଚାର କରି ସୁପ୍ରିମକୋର୍ଟ କେଜରିୱାଲ ସରକାର ସପକ୍ଷରେ ରାୟ ପ୍ରଦାନ କରିଛନ୍ତି। ଉକ୍ତ ରାୟରେ ସରକାରୀ ଅଧିକାରୀଙ୍କ ନିଯୁକ୍ତି ଓ ବଦଳି କ୍ଷମତା ନିର୍ବାଚିତ ସରକାରଙ୍କୁ ଦିଆଯାଇଛି। ସୁପ୍ରିମକୋର୍ଟଙ୍କ ରାୟକୁ ଅକାମି କରିବା ପାଇଁ କେନ୍ଦ୍ର ସରକାର ‘ରାଷ୍ଟ୍ରୀୟ ରାଜଧାନୀ ସିଭିଲ ସେବା ପ୍ରାଧିକରଣ’ ଗଠନ ପାଇଁ ଅଧ୍ୟାଦେଶ ଜାରି କରିଛନ୍ତି। ଉକ୍ତ ଅଧ୍ୟାଦେଶ ବିରୋଧରେ ବିରୋଧୀଙ୍କୁ ଏକଜୁଟ କରିବାର ଆଶା ରଖି କେଜରିୱାଲ ଦେଶସାରା ବୁଲି ସବୁ ବିରୋଧୀ ନେତାଙ୍କୁ ଭେଟୁଛନ୍ତି।

ଅଧ୍ୟାଦେଶ ଲାଗୁ କରାଯିବାର ୬ ମାସ ଭିତରେ ତାହା ସଂସଦର ଅନୁମୋଦନ ଲାଭ କରିବା ଜରୁରୀ। ଲୋକସଭାରେ ବିଜେପି ୩୦୩ ଆସନ ମାଡ଼ି ବସିଥିବାରୁ ଅଧ୍ୟାଦେଶଟି ସହଜରେ ପାସ୍‌ ହୋଇଯିବ। କେଜରିୱାଲ ରାଜ୍ୟସଭା ଉପରେ ଗଭୀର ଆଶା ରଖିଛନ୍ତି। ବିପକ୍ଷ ଦଳଗୁଡ଼ିକ ଚାହିଁଲେ ରାଜ୍ୟସଭାରେ ମୋଦି ସରକାରଙ୍କ ଅଧ୍ୟାଦେଶ ଅନୁମୋଦନ ବାଟରେ କଂଟା ହୋଇପାରିବେ।

ଖାସ୍‌ ସେଇଥିପାଇଁ କେଜରିୱାଲ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ୍‌ଗେଙ୍କୁ ଅଲଟି ମେଟମ୍‌ ଦେଇଛନ୍ତି। କେଜରିୱାଲଙ୍କ ଗୋଟିଚାଳନା ନୀତୀଶଙ୍କ ମହାଉଦ୍ୟମକୁ କାଳ ହୋଇଛି। ମାତ୍ର କେଜରିୱାଲଙ୍କୁ ବାଦ ଦେଲେ ନୀତୀଶଙ୍କ ମହାଯୋଗାଡ଼ ଫସର ଫାଟିଯିବ।