ଭାରତରେ ପ୍ରତି ଘଂଟାରେ ନିଖୋଜ ୫ ମହିଳା

ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର କଳଙ୍କିତ ଶାସନର ଉଦାହରଣ ଭାବେ ଆମେ ଦେଶରେ ନିଖୋଜ ମହିଳା ଅବା ନାବାଳିକାଙ୍କ ସଂଖ୍ୟାକୁ ଧରିନେବା । ବିଗତ ୩ ବର୍ଷ ଭିତରେ ଦେଶରେ ପ୍ରାୟ ୧୦ ଲକ୍ଷ ମହିଳା ଅବା ନାବାଳିକା ନିଖୋଜ ହୋଇଥିବାର ତଥ୍ୟ ସାମ୍ନାକୁ ଆସିଛି । ଏହି ତଥ୍ୟ ଅନ୍ୟ କୌଣସି ଘରୋଇ ସଂସ୍ଥା ପକ୍ଷରୁ ପ୍ରକାଶ କରାଯାଇଥିଲେ ହୁଏତ ମୋଦୀ ସରକାର ତାକୁ ବିରୋଧୀଙ୍କ କାରସାଦି କହି ଏଡ଼ାଇ ପାରିଥାନ୍ତେ । ମାତ୍ର କେନ୍ଦ୍ର ସରକାରଙ୍କ ଅପରାଧିକ ରେକର୍ଡ ସୂତ୍ରରୁ ଏହି ସ୍ପର୍ଶକାତର ସୂଚନା ଦିଆଯାଇଛି ।

ସୂଚନା ମୁତାବକ ୨୦୧୯ରୁ ୨୦୨୧ ଭିତରେ ନିଖୋଜ ମହିଳା ଓ ନାବାଳିକାଙ୍କ ଭିତରୁ କେବଳ ୨୦୨୧ରେ ନିଖୋଜ ହୋଇଛନ୍ତି ୩ ଲକ୍ଷ ୭୫ ହଜାର ମହିଳା । ସବୁ ନିଖୋଜଙ୍କର ବୟସ ୧୮ ବର୍ଷରୁ ଅଧିକ । ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ସର୍ବାଧିକ ମହିଳା ଓ ନାବାଳିକା ନିଖୋଜ ହୋଇଛନ୍ତି । ୨୦୨୧ରେ ଦେଶରେ ମୋଟ ୯୦ ହଜାର ନାବାଳିକା ନିଖୋଜ ହୋଇଛନ୍ତି ।

କେବଳ ପଶ୍ଚିମବଙ୍ଗରୁ ୧୩ ହଜାର ୨୭୮ ଜଣ ନାବାଳିକା ନିଖୋଜ ହୋଇଛନ୍ତି । ବିଜେପି ମେଂଟ ଶାସନ କାଳରେ ଏତେ ସଂଖ୍ୟକ ମହିଳା ଓ ନାବାଳିକା ନିଖୋଜ ହେବା ଘଟଣା ପ୍ରତି ପ୍ରଧାନମନ୍ତ୍ରୀ ମୋଦୀ ସାମାନ୍ୟ ଚିନ୍ତା ପ୍ରକଟ କରିନାହାନ୍ତି । ମଂଚ ଉପରେ ‘ବେଟି ପଢ଼ାଓ ବେଟି ବଚାଓ’ ପ୍ରତି ଗୁରୁତ୍ୱ ଦେଉଥିବା ପ୍ରଧାନମନ୍ତ୍ରୀ ମଂଚରୁ ଓହ୍ଲାଇ ଆସିବା ପରେ ଦେଶର ମହିଳା ଓ ନାବାଳିକାଙ୍କ ସୁରକ୍ଷା ପ୍ରତି ଯତ୍ନବାନ ନୁହନ୍ତି । ଏହି ତଥ୍ୟ ଜାଣିବା ପରେ ସାଧାରଣ ଲୋକେ କୁହାକୁହି ହେଉଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ କୁହାମୁଣ୍ଡା କପିଳା । ଅପରାଧ କ୍ଷେତ୍ରରେ ଉପା ଶାସନକୁ ବଳିଗଲା ବିଜେପି ମେଂଟ ।