ପାକ୍‌ ଆତଙ୍କୀ ସଂଗଠନର ଗୁଣଗାନ କରି ୫ ବର୍ଷ ଜେଲ

୨୫ ହଜାର ଟଙ୍କା ଜୋରିମାନା ନଚେତ୍‌ ୬ ମାସ ଜେଲ

ବେଙ୍ଗାଲୁରୁ: ୨୦୧୯ ପୁଲୱାମା ଆତଙ୍କୀ ନରସଂହାରକୁ ଫେସବୁକ୍‌ରେ ପରିବେଷଣ କରି ବେଙ୍ଗାଲୁରୁର ଜଣେ ଇଞ୍ଜିନିୟରିଂ ଛାତ୍ର ୫ ବର୍ଷ ଜେଲ ଓ ୨୫ ହଜାର ଟଙ୍କା ଜୋରିମାନା ଆଦେଶ ପାଇଛନ୍ତି । ଜୋରିମାନା ରାଶି ପଇଠ ନକଲେ ଆସାମୀକୁ ଅତିରିକ୍ତ ୬ ମାସ ଜେଲ ଭୋଗିବାକୁ ବାଧ୍ୟ ରହିବେ । ଏନ୍‌ଆଇଏ ଓ ବେଆଇନ କାର୍ଯ୍ୟକଳାପ ଆଇନ ଆଧାରିତ ସ୍ୱତନ୍ତ୍ର ଅଦାଲତର ବିଚାରପତି ସିଏମ୍‌ ଗଙ୍ଗାଧର ଏହି ଦଣ୍ଡାଦେଶ କରିଛନ୍ତି । ଆସାମୀ ଜଣକ ବେଙ୍ଗାଲୁରୁସ୍ଥିତ କଚାରକାନାହାଲି ବାସିନ୍ଦା ଫୈଜ ରଶିଦ ।

୨୦୧୯ ଫେବୃଆରୀ ୧୪ ତାରିଖରେ ଜୈଶ-ଇ-ମହମ୍ମଦ ଆତଙ୍କୀ ସଂଗଠନରେ ଜଣେ ଆତ୍ମଘାତୀ ବୋମାଧାରୀ ଏକ ବିସ୍ଫୋରକ ଭର୍ତି ଯାନ ଧରି ସିଆରପିଏଫ୍‌ ଯବାନଙ୍କୁ ଧରି ଯାଉଥିବା ବସ୍‌କୁ ପିଟିଥିଲା । ପରିଣାମ ସ୍ୱରୂପ ୪୦ ଜଣ ଯବାନ ସହିଦ ହୋଇଥିଲେ । ଏହି ହୃଦୟ ବିଦାରକ ଘଟଣାଟି ପୁଲୱାମାର ଲେଥାପୁରାରେ ଘଟିଥିଲା । ପୁଲୱାମା ଘଟଣା ଘଟିବାର ତିନିଦିନ ପରେ ବେଙ୍ଗାଲୁରୁ ପୁଲିସ ରଶିଦକୁ ଗିରଫ କରି କୋର୍ଟଚାଲାଣ କରିଥିଲେ । କୋର୍ଟଙ୍କ ଅନୁମତି କ୍ରମେ ଅଭିଯୁକ୍ତ ରଶିଦକୁ ଜେଲ ପଠାଯାଇଥିଲା । ସେହିଦିନଠାରୁ ରଶିଦ ଜେଲରେ ଅଛି । ରଶିଦ ଇଲେକ୍‌ଟ୍ରୋନିକ୍ସ ଆଣ୍ଡ୍‌ କମୁନିକେସନ୍‌ ବିଭାଗର ତୃତୀୟ ବର୍ଷର ଛାତ୍ର ।

ଜେଲରେ ତା’ର ଆଚରଣ ଓ ଉଚ୍ଚାରଣକୁ ଦୃଷ୍ଟିରେ ରଖି ମୁକ୍ତ କରିଦେବା ପାଇଁ ଆଗତ ଏକ ପିଟିସନର ବିଚାର କରି ବିଚାରପତି କହିଥିଲେ ଯେ ଅଭିଯୁକ୍ତ ଛାତ୍ର ଜଣେ ସାଧାରଣ ଅଶିକ୍ଷିତ ଲୋକ ନୁହନ୍ତି ଯେ ତାଙ୍କ ପ୍ରତି କୋହଳ ଆଭିମୁଖ୍ୟ ପୋଷଣ କରାଯିବ । ଅଭିଯୁକ୍ତ ଜଣକ ଜଣେ ଇଞ୍ଜିନିୟରିଂ ଛାତ୍ର । ପୁଲୱାମାର ବର୍ବରୋଚିତ ଆତଙ୍କୀ ଘଟଣାରେ ମର୍ମାହତ ଦେଶବାସୀ ଆତଙ୍କୀ ସଂଗଠନର ହୀନ କାର୍ଯ୍ୟକୁ କଡ଼ା ସମାଲୋଚନା କରି ସହିଦ ଯବାନଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ପ୍ରାର୍ଥନା କରୁଥିବା ବେଳେ ଅଭିଯୁକ୍ତ ରଶିଦ ସଂପୂର୍ଣ୍ଣ ଓଲଟା ପ୍ରତିକ୍ରିୟା ପ୍ରକାଶ କରିଥିଲେ ।
ଆତଙ୍କୀ ସଂଗଠନର କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରି ଅଭିଯୁକ୍ତ ରଶିଦ ପୁଲୱାମା ଘଟଣାର ଛବିଗୁଡ଼ିକୁ ତାଙ୍କ ଫେସବୁକ୍‌ ଆକାଉଂଟରେ ପ୍ରସାରିତ କରିଥିଲେ । ତା’ ସହିତ ମନର ଖୁସିକୁ ଲେଖା ମାଧ୍ୟମରେ ପ୍ରକାଶ କରିଥିଲେ ଯାହା ତାଙ୍କୁ ଭାରତର ନାଗରିକ ଭାବେ ପ୍ରତିପାଦିତ କରି ନଥିଲା । ଅଭିଯୁକ୍ତ ରଶିଦକୁ ଦେଶଦ୍ରୋହୀ ଭାବେ ଅଭିହିତ କରି ଆଇପିସି ଧାରା ୧୫୩ଏ (ବିଭିନ୍ନ ସଂଗଠନ ମଧ୍ୟରେ ଶତ୍ରୁତା ପାଇଁ ଉତ୍ସାହିତ କରିବା) ଓ ୨୦୧ (ଦୋଷ ଘୋଡ଼ାଇବାର ପ୍ରଚେଷ୍ଟା) ଓ ୟୁଏପିଏ ଧାରା ୧୩ (ବେଆଇନ କାର୍ଯ୍ୟକଳାପ ପାଇଁ ଦଣ୍ଡ ବିଧାନ) ଆଧାରରେ ରାୟ ପ୍ରକାଶ କରିଥିଲେ ।