ମାଡ୍ରାସ ହାଇକୋର୍ଟରେ ୧୬ ଘଂଟା ଶୁଣାଣି

ତାମିଲନାଡୁର ଶକ୍ତି ଓ ଅବକାରୀ ମନ୍ତ୍ରୀ ଭି ସେନ୍‌ଥିଲ ବାଲାଜୀଙ୍କ ରାତିଅଧିଆ ଗିରଫଦାରୀ ସଂପର୍କୀତ ଆଗତ ଏକ ମାମଲାର ରୋଚକପୂର୍ଣ୍ଣ ଶୁଣାଣି ଦେଖିବାକୁ ମିଳିଥିଲା ମାଡ୍ରାସ ହାଇକୋର୍ଟରେ। ସୋଲିସିଟର ଜେନେରାଲ ତୁଷାର ମେହେଟା ଓ ପୂର୍ବତନ ଆଟର୍ଣ୍ଣି ମୁକୁଲ ରୋହତଗୀଙ୍କ ମଧ୍ୟରେ ଚାଲିଥିବା କଥା କଟାକଟି ଓ ଯୁକ୍ତିକୁ ବେଶ ଧ୍ୟାନର ସହିତ ଶୁଣିଥିଲେ ମୁଖ୍ୟ ବିଚାରପତି ମହୋଦୟ। ଦୀର୍ଘ ୧୬ ଘଂଟାରୁ ଅଧିକ ସମୟ ଧରି ଯୁକ୍ତିତର୍କ ଚାଲିଥିଲା। ଉଭୟଙ୍କ ଯୁକ୍ତିକୁ ଉପଭୋଗ କରିଥିଲେ ବହୁ ଆଇନଜୀବୀ।

ତାମିଲନାଡୁରେ ସରକାରୀ ଚାକିରି ମହାଦୁର୍ନୀତିର ଚେର ବାଲାଜୀଙ୍କ ଘର ପର୍ଯ୍ୟନ୍ତ ଲମ୍ବିଥିବା ଦେଖି ପ୍ରବର୍ତନ ନିର୍ଦ୍ଦେଶାଳୟ ତାଙ୍କ ଘର ଉପରେ ଚଢ଼ଉ କରିଥିଲା। ଜୁନ ୧୪ ତାରିଖରେ ପ୍ରବର୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଔପଚାରିକ ଭାବେ ଗିରଫ କରିଥିଲା ଯାହାକୁ ନେଇ ତାମିଲନାଡୁ ରାଜନୀତିରେ ବେଶ ତୁମ୍ବିତୋଫାନ ଆରମ୍ଭ ହୋଇଯାଇଥିଲା। ଜଣେ ମନ୍ତ୍ରୀଙ୍କ ଘରେ ଅଚାନକ ପଶି ପ୍ରବର୍ତନ ନିର୍ଦ୍ଦେଶାଳୟ ଦୀର୍ଘ ୧୮ ଘଂଟା କାଳ ତଲାସି କରିବା ଓ ଗିରଫଦାରିକୁ ସବୁ ସ୍ତରରେ ନିନ୍ଦା କରାଯାଇଥିଲା।

ଇଡି ଗିରଫଦାରି ପରେ ବାଲାଜୀ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ସ୍ଥାନୀୟ ସରକାରୀ ଡାକ୍ତରଖାନାକୁ ନିଆ ଯାଇଥିଲା। ମେଡିକାଲ ପରୀକ୍ଷାରୁ ତାଙ୍କର ବାଇପାସ୍‌ ସର୍ଜରୀ ଜରୁରୀ ବୋଲି ଡାକ୍ତରମାନେ ପରାମର୍ଶ ଦେଇଥିଲେ। ବାଲାଜୀଙ୍କ ଅସୁସ୍ଥ ପାଇଁ ଇଡିକୁ ଦାୟୀ କରାଗଲା। ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଇ ବାଲାଜୀ ଲକ୍ଷାଧିକ ଟଙ୍କା ଲାଂଚ ଗ୍ରହଣ କରିଥିବାର ଅଭିଯୋଗ ରହିଛି। ବାଲାଜୀ ଏବେ ଚିକିତ୍ସାଧୀନ ଥିଲେ ମଧ୍ୟ ଇଡି ଦୃଷ୍ଟିରୁ ମୁକୁଳି ନାହାନ୍ତି।