ବିଜେପି ଷଡ଼ଯନ୍ତ୍ରରୁ ଛତିଶଗଡ଼ କଂଗ୍ରେସ ବଂଚିଗଲା

କ୍ଷମତାସୀନ ଦଳକୁ ଫଟାଇ ଶାସନରେ ଅସ୍ଥିରତା ସୃଷ୍ଟି କରିବା ବିଜେପିର ସହଜାତ ଗୁଣ । ଛତିଶଗଡ଼ରେ କ୍ଷମତାସୀନ କଂଗ୍ରେସରେ ମତଭେଦ ସୃଷ୍ଟି କରି ଫାଇଦା ନେବାକୁ ଉଦ୍ୟମ କରୁଥିଲା ବିଜେପି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭାବେ ଭୂପେଶ ବଘେଲଙ୍କୁ ନିଯୁକ୍ତ କରାଯିବା ପରଠାରୁ ଦଳର ଅନ୍ୟତମ ଟାଣୁଆ ନେତା ଟିଏସ୍‌ ସିଂହଦେଓ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଉ ନଥିଲେ । ମୁଖ୍ୟମନ୍ତ୍ରୀ ଚଉକି ଉପରେ ସିଂହଦେଓଙ୍କ ଦୃଷ୍ଟି ଥିଲା । କିନ୍ତୁ ହାଇକମାଣ୍ଡ ବଘେଲଙ୍କ ମୁଣ୍ଡରେ ସୁନାକଳସ ଢାଢ଼ିବାରୁ ସିଂହଦେଓଙ୍କ ଗୋଷ୍ଠୀ ଏକପ୍ରକାର ଦୂରଛଡ଼ା ହୋଇ ରହୁଥିଲେ ।

ଆଗକୁ ଲୋକସଭା ନିର୍ବାଚନ ଥିବାରୁ ଛତିଶଗଡ଼ କଂଗ୍ରେସର ଆସନ୍ନ ବିଭାଜନକୁ ଟଳାଇ ଦିଆଯାଇଛି । ଅସନ୍ତୁଷ୍ଟ ନେତା ଟିଏସ୍‌ ସିଂହଦେଓଙ୍କୁ ଉପ-ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ୍‌ଗେ, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ବହୁ ବରିଷ୍ଠ ନେତାମାନେ ମିଳିତ ବୈଠକରେ ନିଷ୍ପତି ନେବା ପରେ ସିଂହଦେଓଙ୍କୁ ବଘେଲ ସରକାରରେ ସାମିଲ କରାଯାଇଛି ।

ଉପ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ପାଇଥିବାରୁ ସିଂହଦେଓ ବେଶ ଖୁସି ଅଛନ୍ତି । ଏକ ଟ୍ୱିଟ୍‌ ଜରିଆରେ ସେ ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖାଡ୍‌ଗେ, ମୁଖ୍ୟମନ୍ତ୍ରୀ ବଘେଲଙ୍କୁ ସାଧୁବାଦ ଜଣାଇଛନ୍ତି । ସିଂହଦେଓ ହେଉଛନ୍ତି ଛତିଶଗଡ଼ର ଜଣାଶୁଣା ରାଜ ପରିବାର ବଂଶଜ । ଲୋକସଭା ନିର୍ବାଚନରେ ବିଜେପିକୁ ହରାଇବାକୁ ହେଲେ ସିଂହଦେଓଙ୍କୁ ସନ୍ତୁଷ୍ଟ କରିବା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ ବଘେଲ କେନ୍ଦ୍ରୀୟ ନେତାଙ୍କୁ ଜଣାଇଥିଲେ ।