ଶ୍ରୀଲଙ୍କା ସରକାରଙ୍କ ଜାଣତରେ ଭଙ୍ଗାଯାଉଛି ହିନ୍ଦୁ ମନ୍ଦିର

ତାମିଲଙ୍କ ପ୍ରତି ପକ୍ଷପାତ ନୀତିକୁ ଛାଡୁନି ଶ୍ରୀଲଙ୍କା

କଲମ୍ବୋ: ଶ୍ରୀଲଙ୍କାର ପୂର୍ବ ଓ ଉତରାଂଚଳରେ ତାମିଲ ଜନତାଙ୍କ ସଂଖ୍ୟା ଅଧିକ । ଶ୍ରୀଲଙ୍କା ସରକାର ସେମାନଙ୍କ ପ୍ରତି ପକ୍ଷପାତ କରୁଛନ୍ତି । ତା’ ସହିତ ସିଂହଳି ଓ ବୌଦ୍ଧ ଧର୍ମାବଲମ୍ବୀ ପରିବାର ଥଇଥାନ ପ୍ରତି ପ୍ରାଥମିକତା ଦେଇ ଆସୁଛନ୍ତି । ମୁଖ୍ୟତଃ ଶ୍ରୀଲଙ୍କା ସରକାରଙ୍କ ତାମିଲ ବିରୋଧୀ ନୀତିକୁ ବିରୋଧ କରି ଏଲଟିଟିଇ ସଂଗଠନ ଜନ୍ମଲାଭ କରିଥିଲା । ଦୀର୍ଘ ୩୦ ବର୍ଷ ଧରି ଶ୍ରୀଲଙ୍କା ସରକାରଙ୍କ ବିରୋଧରେ ଏଲଟିଟିଇ ନେତା ପ୍ରଭାକରନ ଅସ୍ତ୍ର ଧାରଣ କରିଥିଲେ ।

ପ୍ରଭାକରନକୁ ମାରି ଦିଆଗଲା । ଏଲଟିଟିଇ ସଂଗଠନକୁ ଲୋପ କରି ଦିଆଯାଇଛି ବୋଲି ଶ୍ରୀଲଙ୍କା ସରକାର ପ୍ରଚାର କଲେ । କିନ୍ତୁ ସତ କଥା ହେଉଛି, ଆଜି ମଧ୍ୟ ଶ୍ରୀଲଙ୍କାରେ ବସବାସ କରୁଥିବା ତାମିଲ ପରିବାର ସେମାନଙ୍କର ହକ୍‌ ପାଇଁ ଅଦାଲତରେ ଲଢୁଛନ୍ତି ।

ଆଜକୁ ୩୦ ବର୍ଷ ତଳେ ପ୍ରଭାକରନ ତାମିଲ ପରିବାରଙ୍କ ସ୍ୱାର୍ଥରକ୍ଷା ପାଇଁ ସ୍ୱୟଂଶାସିତ ରାଜ୍ୟ ଦାବି କରିବା ଦୋଷାବହ ନଥିଲା । ତାମିଲ ପରିବାରଙ୍କ ଅଧିକାର ପାଇଁ ଲଢ଼ି ପ୍ରଭାକରନ ମଲେ । ପ୍ରଭାକରନ ନିରପେକ୍ଷ ବିଚାର ଚାହୁଁଥିଲେ । ବୌଦ୍ଧ ଧର୍ମାବଲମ୍ବୀଙ୍କ ପ୍ରତି ଶ୍ରୀଲଙ୍କା ସରକାରଙ୍କ ଦରକାରଠାରୁ ଅଧିକ ଅନୁକମ୍ପା ତାମିଲ ପରିବାରକୁ ତଳିତଳାନ୍ତ କରୁଛି ।

ଶ୍ରୀଲଙ୍କାର ଜାଫନା ଇଲାକାରେ ପ୍ରଭାକରନଙ୍କ ରାଜୁତି ଚାଲିଥିଲା । ତାଙ୍କୁ ମାରିବା ପରେ ଶ୍ରୀଲଙ୍କା ସେନା ଜାଫନା ସହରକୁ ମଶାଣି ପ୍ରାୟ କରିଦେଲେ । ଏଲଟିଟିଇ ଗରିଲାଙ୍କୁ ସାମୁହିକ ହତ୍ୟା କରାଯିବା ପରେ ସେମାନଙ୍କ ମୃତଦେହକୁ ଜାଫନାର ବିଭିନ୍ନ ଅଂଚଳରେ ପୋତି ଦିଆଗଲା । ଆଜି ମଧ୍ୟ ହଜାର ହଜାର ତାମିଲ ନିଖୋଜ ଅଛନ୍ତି । ଶ୍ରୀଲଙ୍କାର ଜଣେ ଇଂରାଜୀ ପ୍ରଫେସର ତିରୁବନଙ୍ଗନଙ୍କ ସୂଚନା ମୁତାବକ ଜାଫନାଠାରୁ ପ୍ରାୟ ୧୨୫ କିଲୋମିଟର ଦୂର ମୁଲ୍ଲଇତିଭୁରେ ଭୀଷଣ ଯୁଦ୍ଧ ହୋଇଥିଲା । ଏବେ ଯୋଉ ଅଂଚଳକୁ ସିଂହଳିମାନେ ମାଡ଼ି ବସିଛନ୍ତି, ସେଠାରେ ମାଟି ଖୋଳିବା ମାତ୍ରେ ଖାଲି ନରକଙ୍କାଳ ମିଳୁଛି ।

ପ୍ରଫେସରଙ୍କ ମତରେ ଉକ୍ତ କଙ୍କାଳଗୁଡ଼ିକ ଏଲଟିଟିଇ ସଂଗଠନରେ ସାମିଲ ବିଦ୍ରୋହୀଙ୍କର । ୨୦୨୩ ଜୁଲାଇ ୮ ତାରିଖରେ ମୁଲ୍ଲଇତିଭୁର କୋକୁତୁଡୁଇ ଗାଁରେ ପାଇପ ଲାଇନ ପାଇଁ ମାଟି ଖୋଳା ଚାଲିଥିଲା ବେଳେ ୧୪ଟି କଙ୍କାଳ ଉଦ୍ଧାର କରାଯାଇଥିଲା ।

ଜାଫନାରେ ବହୁ ହିନ୍ଦୁ ମନ୍ଦିରକୁ ଭାଙ୍ଗି ଦିଆଯାଇଛି । ସରକାରଙ୍କ ପ୍ରୋତ୍ସାହନରେ ନିର୍ମାଣ କରାଯାଇଛି ବହୁ ବୌଦ୍ଧ ମନ୍ଦିର । ୨୦୦୯ ମାର୍ଚ୍ଚ ୧୮ ତାରିଖରେ ପ୍ରଭାକରନଙ୍କୁ ମାରି ଦିଆଗଲା । ପ୍ରଭାକରନ ମରିବାର ୧୪ ବର୍ଷ ବିତିଯିବା ପରେ ପ୍ରଥମ ଥର ପାଇଁ ଭାରତର ଗଣମାଧ୍ୟମ ତାଙ୍କ ଦଦରା ବାସଭବନରେ ପହଂଚିଥିଲା । ଜାଫନାକୁ ଯିବା ସହଜ ନୁହେଁ । ଆଜି ମଧ୍ୟ ଶ୍ରୀଲଙ୍କା ସେନାର ଅନୁମତି କ୍ରମେ ଜାଫନାରେ ପ୍ରବେଶ କରନ୍ତି ବିଦେଶୀ ଅତିଥି । ଭାରତୀୟ ଗଣମାଧ୍ୟମ ପ୍ରଭାକରନଙ୍କ ବହୁ ପଡୋଶୀଙ୍କୁ ଭେଟି ପ୍ରଭାକରନଙ୍କ ପ୍ରତି ସେମାନଙ୍କ ମନକଥା ଜାଣିବାକୁ ଚେଷ୍ଟା କରି ବିଫଳ ହୋଇଥିଲା ।