ବିଜେଡିର ମୁହଁ ଇସ୍ପାତ_ସନ୍ନିପାତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାର ପ୍ରତି ବିଜେଡି ଆସ୍ଥା ପ୍ରକଟ। ପୂର୍ବରୁ ମୋଦି ସରକାରଙ୍କ ପ୍ରତିଟି ବିଲକୁ ବିଜେଡି ନିରବ ସମର୍ଥନ କରିଆସିଛି । ଏବେ ଅନାସ୍ଥା ପ୍ରସ୍ତାବ ବିରୋଧରେ ଭୋଟ ଦେଇ ବିଜେଡି ବିଜେପି ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରିଛି । ବିଜେଡି ସାଂସଦ ପିନାକୀ ମିଶ୍ର ବହୁ ଆଗରୁ ବିଜେଡିର ଆଭିମୁଖ୍ୟକୁ ଜଣାଇ ସାରିଛନ୍ତି । ବିଜେପିର କେନ୍ଦ୍ରୀୟ ନେତାଙ୍କ ଚାଲକୁ ରାଜ୍ୟ ବିଜେପି ନେତାଗଣ ଠଉରାଇ ପାରୁନାହାନ୍ତି । କି ଲୀଳା ଚାଲିଛି? ଏମିତି ଏକ ଅଜଣା ପ୍ରଶ୍ନ ସବୁ ନେତାଙ୍କୁ ଘାରିଛି ।

କିନ୍ତୁ ଅନାସ୍ଥା ପ୍ରସ୍ତାବକୁ କାଟ କରିବା ଛଡ଼ା ବିଜେଡି ପାଖରେ ବିକଳ୍ପ ନାହିଁ । ବିଜେପିକୁ ସମର୍ଥନ ନକଲେ ବିଜେଡିର ବହୁ ତୁଙ୍ଗନେତା ସିବିଆଇ ହାତରେ ବନ୍ଧା ହୋଇଯିବେ । ଶତାଧିକ କୁଳାଙ୍ଗାର ପୁଅଙ୍କ ଦୋଷ ଘୋଡ଼ାଇବାକୁ ଯାଇ ବାପା ଯାହା କରିଥାନ୍ତି, ଏବେ ନବୀନ ସେଇଆ କରିବାକୁ ଯାଉଛନ୍ତି । ୮୦ରୁ ଅଧିକ ଦାଗୀ ବିଧାୟକଙ୍କ ଦୋଷ ଘୋଡ଼ାଇବାକୁ ଯାଇ ଖୋଦ ନବୀନ ପଟ୍ଟନାୟକ ଅପରାଧ ଜଗତରେ ପାଦ ଦେଇ ସାରିଲେଣି । ଏ କଥା ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଜଣା ନାହିଁ ।

ନବୀନ ପଟ୍ଟନାୟକଙ୍କ ବିଶ୍ୱାସୀ ମହଲ ଭିତରୁ କେହି ଜଣେ ଏପରି କାମ କରିଥିବା କଥା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଜଣେ ଅଧିକାରୀ କହିଛନ୍ତି । ନବୀନ ପଟ୍ଟନାୟକ ମୂଳରୁ ଗୋଟିଏ ନୀତିକୁ ଆଦରି ଚାଲିଛନ୍ତି । ସେ ସବୁବେଳେ କେନ୍ଦ୍ର ସରକାରଙ୍କ ଅବହେଳାକୁ ଦାୟୀ କରିଛନ୍ତି ମାତ୍ର କୋଉଠି ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁ ଧରି ପଦୁଟେ କହିନାହାନ୍ତି । ତାଙ୍କର ଏହି ଗୁଣଟି ବିଜେପିର କେନ୍ଦ୍ରୀୟ ନେତାଙ୍କ ମନକୁ ଛୁଇଁପାରିଛି । ସୂଚନାଯୋଗ୍ୟ, କେବଳ ବିଜେଡି ନୁହେଁ ଆନ୍ଧ୍ରପ୍ରଦେଶର ଶାସକ ଦଳ ୱାଇଏସଆର କଂଗ୍ରେସ, ତେଲେଙ୍ଗାନାର ଶାସକ ଦଳ ବିଆରଏସ ଭଳି ଦଳଗୁଡ଼ିକ ମଧ୍ୟ ମୋଦି ସରକାରଙ୍କ ସପକ୍ଷରେ ଭୋଟ ଦେବାକୁ ଘୋଷଣା କରିଛନ୍ତି ।