ଅନାସ୍ଥା ଆଲୋଚନା: ପରିଣାମ ଜାଣି ମଇଦାନକୁ ଓହ୍ଲାଇଛି କଂଗ୍ରେସ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନର ପନ୍ଦରତମ ଦିବସ । ମଣିପୁର ପ୍ରସଙ୍ଗକୁ ଅସ୍ତ୍ର କରି କଂଗ୍ରେସ ଗୋଠ ପକ୍ଷରୁ ଆଗତ ଅନାସ୍ଥା ପ୍ରସ୍ତାବ ସଂପର୍କରେ ଲୋକସଭାରେ ଆଲୋଚନା ବେଶ ସରଗରମ ହୋଇଛି । କଂଗ୍ରେସ ସାଂସଦ ଗୌରବ ଗୋଗୋଇ ଅବିଶ୍ୱାସ ପ୍ରସ୍ତାବ ସପକ୍ଷରେ ୩୫ ମିନିଟ୍‌ ବକିଲେ । ମଣିପୁର ହିଂସାକାଣ୍ଡଠାରୁ ଆରମ୍ଭ କରି ବିଦେଶ ନୀତି ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗ ଉପରେ ବାକ୍ୟବାଣ ଚଳାଇଲେ । ଏତେଗୁଡ଼ାଏ ବାଣ ଏକାଥରକେ ମାରିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ମୌନବ୍ରତ ଭାଙ୍ଗିବା । ହେଲେ ସେପରି କିଛି ଘଟିଲାନି । ବିଜେପି ପକ୍ଷରୁ ସାଂସଦ ନିଶିକାନ୍ତ ଦୁବେ ଠିଆ ହୋଇ ଗୋଗୋଇଙ୍କ ଆଡ଼କୁ ବାଣ ଚଳାଇଲେ । ସୋନିଆ ଗାନ୍ଧୀଙ୍କ ଭିତିରିଆ ଅଭିଳାଷକୁ ଟାର୍ଗେଟ୍‌ କରି ଦୁବେ କହିଲେ, ରାହୁଲଙ୍କ ବୁଡ଼ି ଯାଉଥିବା ରାଜନୀତି ଡଙ୍ଗାକୁ କୂଳରେ ଲଗାଇବା ଓ  କଚେରୀ ମାମଲାରୁ ଜାମାତାଙ୍କୁ ଉଦ୍ଧାର କରିବା ଏବେ ସୋନିଆଙ୍କ ପାଇଁ ପ୍ରଧାନ କାମ । କଂଗ୍ରେସ ଦଳକୁ ମଜଭୁତ କଲେ ସିନା ଉଭୟ ପୁଅ ଓ ଜ୍ୱାଇଁ ସୁରକ୍ଷିତ ରହିବେ ।

କଂଗ୍ରେସ ନେତା ଗୋଗୋଇ କହିଲେ ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମାନିବାକୁ ପଡ଼ିବ ଯେ ତାଙ୍କର ଡବଲ ଇଞ୍ଜିନ ସରକାର ମଣିପୁରରେ କାମ କଲାନି । ତେଣୁ ୧୫୦ରୁ ଅଧିକ ମୁଣ୍ଡକୁ ବଳି ପକାଇ ଦିଆଯାଇଛି । ରାଜ୍ୟ ମୁଖ୍ୟମନ୍ତ୍ରୀ ମଇଦାନକୁ ଆସି ଦଙ୍ଗାକାରୀଙ୍କୁ ଶାନ୍ତ କରିବା ଦରକାର ପଡୁଥିଲା । ମାତ୍ର ସେ ସେଭଳି କିଛି କଲେନାହିଁ । ପରିଣାମ ସ୍ୱରୂପ ଆଜି ମଧ୍ୟ ମଣିପୁର ଅଶାନ୍ତ । ମଣିପୁର ରକ୍ତପାତ ମାମଲାର ସରଳ ସମାଧାନ କରିବା ପାଇଁ ସୁପ୍ରିମକୋର୍ଟଙ୍କ ମହିଳା କମିଟି ଗଠନ କେନ୍ଦ୍ର ସରକାରଙ୍କୁ ଅପମାନ । କେନ୍ଦ୍ର ସରକାର ଚାହିଁଥିଲେ ଆପଣା ଆଡୁ ଦଙ୍ଗା ପୀଡ଼ିତଙ୍କୁ ଥଇଥାନ କରିପାରିଥାନ୍ତା । ମଙ୍ଗଳବାର ସକାଳ ୧୧ଟାରେ ଲୋକସଭାର ଅଧିବେଶନ ଆରମ୍ଭ ହେବା ମାତ୍ରେ ତାକୁ ଦିନ ୧୨ଟା ପର୍ଯ୍ୟନ୍ତ ସ୍ଥଗିତ କରି ଦିଆଗଲା । ଅଗଷ୍ଟ ୧୦ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ମୌନବ୍ରତ ଭାଙ୍ଗିବା ସୁନିଶ୍ଚିତ ।