ଅଭିନେତା ଅମୀର ଖାନଙ୍କ ମୁଣ୍ଡରେ ଧାର୍ମିକ ଚୋଟ

ହିନ୍ଦୁଧର୍ମ ସହ ଖେଳିବାକୁ ମନାକଲେ ମଧ୍ୟପ୍ରଦେଶ ମନ୍ତ୍ରୀ…..

ନୂଆଦିଲ୍ଲୀ : ବେଶ ଲମ୍ବା ସମୟ ଧରି ଭାରତର ସଂଖ୍ୟାଗରିଷ୍ଠ ପରିବାରଙ୍କ ଧାର୍ମିକ ଭାବନା ସହିତ ବଲିଉଡ୍‌ ଖେଳୁଛି ବୋଲି ସାଧାରଣରେ ଆଲୋଚନା ଚାଲିଥିବା ବେଳେ ଏବେ ଅମୀର ଖାନଙ୍କ ଏକ ବିଜ୍ଞାପନ ଆଉ ଏକ ଅଭିଯୋଗର ସମ୍ମୁଖୀନ ହୋଇଛି । ଚଳଚ୍ଚିତ୍ର ‘ଆଦିପୁରୁଷ’ ବିରୋଧରେ ବହୁ ସଂଗଠନ ରାସ୍ତାକୁ ଓହ୍ଲାଇ ହିନ୍ଦୁଧର୍ମର ଭାବନାକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଥିଲେ । ଏକ ଘରୋଇ ବ୍ୟାଙ୍କର ବିଜ୍ଞାପନରେ ଅମୀର ଖାନ ଓ କିଆରା ଆଡ଼ଭାନୀ କାମ କରିଛନ୍ତି ।

ବିଜ୍ଞାପନକୁ ଦେଖିବା ପରେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତମ ମିଶ୍ର ମଧ୍ୟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରି ଅମୀର ଖାନଙ୍କୁ ତାଗିଦ କରିଛନ୍ତି । ହିନ୍ଦୁମାନଙ୍କ ଧାର୍ମିକ ଭାବନା ସହିତ ବାରମ୍ବାର ନଖେଳିବା ପାଇଁ ଅମୀରଙ୍କୁ ପରାମର୍ଶ ଦେଇଛନ୍ତି । ମନ୍ତ୍ରୀ ନରୋତମ କହିଛନ୍ତି, ବିଜ୍ଞାପନରେ ଅମୀର ଖାନ ଗୃହ ପ୍ରବେଶ ସମୟରେ ଯେଉଁ ସଂଳାପ କହିଛନ୍ତି; ତାହା ହିନ୍ଦୁ ପରିବାରର ଧାର୍ମିକ ଭାବନା ସହ ଖେଳିବା ଭଳି ଲାଗୁଛି । ହିନ୍ଦୁ ପରମ୍ପରା ଓ ରୀତିନୀତି ଉପରେ ଅମୀର ସିଧା ପ୍ରହାର କରିଛନ୍ତି ।

ବିଜ୍ଞାପନରେ ଅମୀରଙ୍କ ବିବାଦୀୟ ସଂଳାପ ସଂପର୍କରେ ମୋର ଦୃଷ୍ଟି ଆକର୍ଷଣ କରାଯିବାରୁ ମୁଁ ଅମୀରଙ୍କୁ ପରାମର୍ଶ ଦେବାକୁ ବାଧ୍ୟ ହୋଇଛି । ସେ ବିଜ୍ଞାପନ ଓ ଚଳଚ୍ଚିତ୍ରରେ ଅଭିନୟ କରନ୍ତୁ; ମୋର କିଛି ପ୍ରତିବାଦ କରିବାର ନାହିଁ । ମାତ୍ର ହିନ୍ଦୁଧର୍ମର ପରମ୍ପରା ଓ ରୀତିନୀତି ସଂସ୍କାର ଉପରେ ଧ୍ୟାନ ରଖନ୍ତୁ । ହିନ୍ଦୁ ପରିବାରର ଧାର୍ମିକ ଭାବନାକୁ ପ୍ରହାର କଲେ, ପରିଣତି ଠିକ୍‌ ହେବନି । ଅତୀତରେ ବହୁ ଚଳଚ୍ଚିତ୍ରରେ ଅଭିନୟ କରି ସେ ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଆଘାତ ପହଂଚାଇଛନ୍ତି ।

ଥରେ ଅଧେ ଏଭଳି ଭୁଲ କରିଦେଲେ ଚଳିବ; ମାତ୍ର ବାରମ୍ବାର ଭୁଲ କରିବା ବିରାଟ ଅପରାଧ । ସୂଚନାଯୋଗ୍ୟ, ଘରୋଇ ବ୍ୟାଙ୍କ ବିଜ୍ଞାପନରେ ଅମୀର ଖାନ ଓ କିୟାରା ଆଡ଼ଭାନୀଙ୍କୁ ପତି-ପତ୍ନୀ ଚରିତ୍ରରେ ଦେଖିବାକୁ ମିଳିଛି । ଦୁହେଁ ବିବାହ ପରେ ଘରକୁ ଯାଉଛନ୍ତି । କିନ୍ତୁ ବିଡ଼ମ୍ବନାର ବିଷୟ ଏହିକି, କିୟାରାଙ୍କ ବଦଳରେ ଅମୀରଙ୍କୁ ତାଙ୍କ ପରିବାରଠାରୁ ମେଲାଣି ନେବାକୁ ପଡୁଛି । କାହାଣୀର ପୃଷ୍ଠଭୂମି ଅନୁସାରେ କନ୍ୟାର ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ ।

ତେଣୁ ଅମୀର ଶଶୁରଙ୍କ ଘରେ ରହି ଶଶୁରଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବାକୁ କିୟାରାଙ୍କ ସହ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି । କିୟାରାଙ୍କ ଘରେ ଅମୀରଙ୍କୁ ବନ୍ଦାପନା କରି ଘର ଭିତରକୁ ନିଆଯାଉଛି । ତା’ପରେ ଅମୀରଙ୍କୁ ଗୋଟିଏ ବ୍ୟାଙ୍କ ଭିତରେ ଦେଖିବାକୁ ମିଳୁଛି । ବ୍ୟାଙ୍କରେ ଅମୀର କହିଛନ୍ତି, ଶତାବ୍ଦୀ ଶତାବ୍ଦୀ ଧରି ଗୋଟିଏ ପରମ୍ପରାକୁ ଆଜି ଯାଏ ପାଳନ କରାଯିବାର ମାନେ କ’ଣ? ତେଣୁ ଆମେ ବ୍ୟାଙ୍କିଙ୍ଗ ପରମ୍ପରା ପ୍ରତି ପ୍ରଶ୍ନ ଉଠାଉଛୁ ।

ଅମୀରଙ୍କ ଏ ପ୍ରକାର ଟିପ୍ପଣୀକୁ ସୋସିଆଲ ମିଡିଆରେ ସମାଲୋଚନା କରାଯାଇଛି । କିଛି ସୋସିଆଲ ମିଡ଼ିଆ ଉପଭୋକ୍ତା ଅମୀରଙ୍କ ଉପରେ ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ‘ଦି କଶ୍ମୀର ଫାଇଲ୍ସ’ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଟ୍ୱିଟ୍‌ କରିଛନ୍ତି ଯେ ଆମେ ବୁଝିପାରିଲୁନି ସାମାଜିକ ଓ ଧାର୍ମିକ ପରମ୍ପରା ଭାଙ୍ଗିବା କାମରେ ବ୍ୟାଙ୍କ କୋଉଦିନଠାରୁ ଜଡ଼ିତ ହେଲାଣି?