ହାଣମୁହଁରୁ ଖସିଲେ ମହରମ୍‌ରେ ନାଚିବା: ଖାଡ୍‌ଗେ

କଂଗ୍ରେସ ଅଧ୍ୟକ୍ଷ ପାଇଁ ଅକ୍ଟୋବର ୧୭ ତାରିଖରେ ମତଦାନ ଗ୍ରହଣ କରାଯିବ…….

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦବୀ ପାଇଁ ପ୍ରାର୍ଥୀ ହୋଇଛନ୍ତି ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାଡ୍‌ଗେ । ମଧ୍ୟପ୍ରଦେଶର କଂଗ୍ରେସ ନେତାଙ୍କ ଭୋଟ ପାଇବାର ଆଶା ରଖି ଖାଡ୍‌ଗେ ଗୁରୁବାର ଭୋପାଳ ପହଂଚିଛନ୍ତି । ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ପଚାରିଲେ , କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଆପଣ ହେବାର ଅଛି କି? ଖାଡ୍‌ଗେ ଚଟାପଟ୍‌ ଜବାବ ଦେଲେ, ବକ୍ରିଦରୁ ବଂଚିବା ପରେ ମହରମରେ ନାଚିବା କଥା ବିଚାର କରିବି ।

ଖାଡ୍‌ଗେ ଏପରି କହିବାର ମାନେ ହେଉଛି, ଏବେ ସେ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ଲଢୁଛନ୍ତି । ଅଧ୍ୟକ୍ଷ ନିର୍ବାଚନରେ ଜିତିବା ପରେ ପ୍ରଧାନମନ୍ତ୍ରୀ କଥା ବିଚାର କରିବେ । ଖାଡ୍‌ଗେ କହିଛନ୍ତି, କଂଗ୍ରେସ ଏକମାତ୍ର ରାଜନୈତିକ ଦଳ ଯୋଉଠି ଗଣତାନ୍ତ୍ରିକ ପ୍ରକ୍ରିୟାରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ କରାଯାଉଛି । ଅଧ୍ୟକ୍ଷ ନିର୍ବାଚନରେ ଜିତିବାର ଆଶା ନେଇ ସେ ମଧ୍ୟପ୍ରଦେଶ କଂଗ୍ରେସ ନେତାଙ୍କଠାରୁ ଭୋଟ ମାଗିବାକୁ ଆସିଛନ୍ତି ।

ସେ ପୁଣି କହିଛନ୍ତି, ତାଙ୍କୁ ପ୍ରଥମେ ସଂଗଠନ ଦାୟିତ୍ୱ ପ୍ରଦାନ କରିଥିଲେ ଇନ୍ଦିରା ଗାନ୍ଧୀ । ଛାତ୍ରନେତାରୁ ରାଜ୍ୟସଭା ସଭ୍ୟ ପର୍ଯ୍ୟନ୍ତ ତାଙ୍କର ଲମ୍ବାଯାତ୍ରା ବେଶ ସଂଘର୍ଷପୂର୍ଣ୍ଣ ଥିଲା ଓ ଆଗକୁ ସଂଘର୍ଷ ଜାରି ରହିବ । ରାଜନୈତିକ ଜୀବନରେ ସେ ଯାହା ଆଶା କରୁଥିଲେ; କଂଗ୍ରେସ ତାଙ୍କୁ ତାହାଠାରୁ ଯଥେଷ୍ଟ ସମ୍ମାନ ଓ ପ୍ରତିଷ୍ଠା ଦେଇଛି ।

ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ଖାଡ୍‌ଗେଙ୍କ ସପକ୍ଷରେ ଭୋଟ କାମନା କରି କହିଛନ୍ତି ଯେ ଖାଡ୍‌ଗେ ହିଁ ଏକମାତ୍ର ନେତା ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଖିରେ ଆଖି ମିଳାଇ ପ୍ରଶ୍ନ ପଚାରନ୍ତି । ଖାଡ୍‌ଗେ କୌଣସି ନିର୍ବାଚନ ହାରିନାହାନ୍ତି । କଂଗ୍ରେସ ଅଧ୍ୟକ୍ଷ ପାଇଁ ଅକ୍ଟୋବର ୧୭ ତାରିଖରେ ମତଦାନ ଗ୍ରହଣ କରାଯିବ । ୧୯ ତାରିଖରେ ଫଳାଫଳ ଘୋଷଣା କରାଯିବ ।