ସ୍ୱାମୀଙ୍କ ଲାଗି ପ୍ରିୟଙ୍କାଙ୍କୁ ସମାଲୋଚନା କଲେ ଅଦିତି ସିଂହ

ୟୁପି: ଉତ୍ତରପ୍ରଦେଶର ରାୟବରେଲି ସଦର ଆସନର ବିଧାୟକ ଅଦିତି ସିଂଙ୍କ ସ୍ୱାମୀ ଅଙ୍ଗଦ ସିଂଙ୍କୁ ଏଥର କଂଗ୍ରେସ ଟିକେଟ୍‌ ଦେଇନାହିଁ । ଏହି ଘଟଣାରେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବାକୁ ଆସିଥିବା ଅଦିତି ଏହି ପ୍ରସଙ୍ଗରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ।

ସେ କହିଛନ୍ତି ଯେ ପ୍ରିୟଙ୍କା ତାଙ୍କ ପରିବାରକୁ ହଇରାଣ କରବା ସହ ତାଙ୍କ ସ୍ୱାମୀଙ୍କ ଟିକେଟ୍‌ କାଟିଦେଇଛନ୍ତି । ସେ କହିଛନ୍ତି ଯେ, ତାଙ୍କ ସ୍ୱାମୀ ଅଙ୍ଗଦଙ୍କୁ ଟିକେଟ୍‌ ଦିଆଯିବାର କଂଗ୍ରେସ ପକ୍ଷରୁ ସ୍ଥିର ହୋଇଥିଲା । କିନ୍ତୁ ଏକ ସର୍ତ୍ତ ରଖାଯାଇଥିଲା । ଏହି ସର୍ତ୍ତ ହେଲା ଯେ, କେବଳ ମୋ ବିରୁଦ୍ଧରେ ପ୍ରଚାର କରିବା । ସେ ଆହୁରି କହିଛନ୍ତି ପ୍ରିୟଙ୍କା ଗାନ୍ଧି ହିଁ ମୋ ସ୍ୱାମୀଙ୍କ ଟିକେଟ କାଟିଛନ୍ତି । ଏପରି ଅନେକ ସ୍ୱାମୀ-ସ୍ତ୍ରୀ ଅଛନ୍ତି ପରିବାର ସଦସ୍ୟ ଅଛନ୍ତି, ଯେଉଁମାନେ ବିଭିନ୍ନ ପାର୍ଟିରେ ଯୋଗ ଦେଉଛନ୍ତି । ସେହିପରି ସେ କହିଛନ୍ତି ଯେ, ଯଦି ପ୍ରିୟଙ୍କାଙ୍କର ଝିଅମାନଙ୍କର ଆତ୍ମସମ୍ମାନ ଉପରେ ବିଶ୍ୱାସ ଅଛି ତେବେ ସେ ଏପରି କରିନଥାନ୍ତେ । ଯଦି ପ୍ରିୟଙ୍କା ମହିଳା ସଶକ୍ତିକରଣର ଉପରେ ଚିନ୍ତା କରୁଥାନ୍ତେ ତେବେ ପଞ୍ଜାବ-ଉତ୍ତରାଖଣ୍ଡ ଓ ଗୋଆରେ ଏତେ କମ୍‌ ମହିଳାଙ୍କୁ କାହିଁକି ଟିକେଟ୍‌ ଦେଇଛନ୍ତି ବୋଲି ଅଦିତି ପ୍ରଶ୍ନ କରିଛନ୍ତି । ସୂଚନାଯୋଗ୍ୟ ଯେ, ବିଧାନସଭା ନିର୍ବାଚନ ପୂର୍ବରୁ ଅଦିତି ବିଜେପିରେ ଯୋଗ ଦେଇଥିଲେ । ଏଥର ସେ ବିଜେପି ଟିକେଟରେ ନିର୍ବାଚନ ଲଢୁଛନ୍ତି ।