ଏହି ରାଜ୍ୟରେ ୧୫ରୁ ହଟିବ ସମସ୍ତ କଟକଣା

ଡିସପୁର : ଦେଶରେ କୋଭିଡ-୧୯ ମାମଲା ଦ୍ରୁତ ଗତିରେ ହ୍ରାସ ପାଇବା ସହ ଭୟାବହତା ମଧ୍ୟ ଅନେକ ମାତ୍ରାରେ ହ୍ରାସ ପାଇଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ସରକାର କୋଭିଡ କଟକଣା ପର୍ଯ୍ୟାୟକ୍ରମେ କୋହଳ କରୁଥିବା ଜଣାପଡିଛି । ଏହା ଭିତରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏକ ବଡ ଘୋଷଣା କରିଛନ୍ତି । ଆସାମରେ କୋଭିଡ-୧୯ ମାମଲା କମୁଥିବାରୁ ଚଳିତମାସ ୧୫ରୁ ସମସ୍ତ କୋଭିଡ କଟକଣାକୁ ହଟାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ଆସାମ ସରକାର ।

ଏକ ସାମ୍ବାଦିକ ସମ୍ମିଳନରେ ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଗକୁ ସ୍କୁଲ ବୋର୍ଡ ପରୀକ୍ଷା, ମ୍ୟୁନିସିପାଲିଟି ନିର୍ବାଚନ ଏବଂ ମାଜୁଲି ବିଧାନସଭା କ୍ଷେତ୍ରରେ ଉପନିର୍ବାଚନ ହେବାକୁ ଯାଉଛି ।

ସେହିପରି ସମସ୍ତ ପ୍ରକାର ଅଫିସ କୋଭିଡ ଗାଇଡଲାଇନ ସହ ପୂର୍ଣ୍ଣ କ୍ଷମତାରେ ଚାଲିବ । ଏହା ସହ ବୋର୍ଡ ପରୀକ୍ଷା ମଧ୍ୟ କୋଭିଡ କଟକଣା ମଧ୍ୟରେ ଆରମ୍ଭ ହେବ । ସେହିପରି ବୋର୍ଡ ପରୀକ୍ଷା ଦେବାକୁ ଥିବା ସମସ୍ତ ଛାତ୍ରଛାତ୍ରୀମାନେ କୋଭିଡ ଟିକା ନେଇଥିବା ବାଧ୍ୟତାମୂଳକ କରାଯିବା ସହ ନାଇଟ୍‌ କର୍ଫ୍ୟୁ, ମଲ୍‌-ସିନେମା ହଲ୍‌ ଶତ ପ୍ରତିଶତରେ ଖୋଲିବା ସହ ବିବାହ କାର୍ଯ୍ୟକ୍ରମରେ କୌଣସି କଟକଣା ରହିବ ନାହିଁ । ତେବେ ବିବାହ କାର୍ଯ୍ୟରେ ଯୋଗଦେଇଥିବା ଅତିଥି କୋଭିଡର ଉଭୟ ଡୋଜ ନେଇଥିବା ନିହାତି ଆବଶ୍ୟକ । ସେହିପରି କୋଭିଡ ଗାଇଡଲାଇନା ଅନୁସରଣ କରିବା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି ଆସାମ ସରକାର ।