ଆତଙ୍କୀ କବଳରୁ ସବୁ ସେନାଧିକାରୀ ଉଦ୍ଧାର

ପାକ୍‌ସେନା ଗୁଳିରେ ୩୩ ଆତଙ୍କୀ ନିପାତ…..

ଇସଲାମାବାଦ: ପାକିସ୍ତାନର ଖୈବର ପଖତୁନଖ୍ୱା ଅଂଚଳରେ ସକ୍ରିୟ ଆତଙ୍କ ସଂଗଠନ ତେହେରିକ୍‌-ଇ-ତାଲିବାନ ପାକିସ୍ତାନକୁ ମୁହଁତୋଡ୍‌ ଜବାବ ଦେଇଛି ପାକ୍‌ସେନା । ଦୀର୍ଘ ୫୦ ଘଂଟାର ସେନା ଅପରେସନ୍‌ ସଫଳ ହୋଇଛି । ଆତଙ୍କୀ ସଂଗଠନ କବଳରୁ ଅଟକ ସବୁ ସେନାଧିକାରୀଙ୍କୁ ଉଦ୍ଧାର କରାଯାଇଛି । ପାକ୍‌ସେନା ଗୁଳିରେ ଅନ୍ୟୁନ ୩୩ ଜଣ ଆତଙ୍କୀ ପ୍ରାଣ ହରାଇଛନ୍ତି । ସେହିଭଳି ଆତଙ୍କୀ ଗୋଷ୍ଠୀର ପ୍ରାଣମୂର୍ଚ୍ଛା ହମ୍‌ଲାରେ ୨ ଜଣ ସେନା କମାଣ୍ଡୋ ନିହତ ହୋଇଛନ୍ତି ।

ଆତଙ୍କୀ ସଂଗଠନକୁ ମନାଇବା ପାଇଁ ଯାବତୀୟ ଉଦ୍ୟମ କରି ବିଫଳ ହେବାପରେ ହମ୍‌ଲା ଛଡ଼ା ପାକ୍‌ସେନା ନିକଟରେ ଆଉ ବିକଳ୍ପ କିଛି ନଥିଲା । ସୂଚନା ମୁତାବକ ପାକିସ୍ତାନର ପଶ୍ଚିମାଂଚଳରେ ଅବସ୍ଥିତ ବନ୍ନୁ ଆତଙ୍କୀ ନିରାକରଣ କେନ୍ଦ୍ରରେ ଅଟକ ଜଣେ ଟିଟିପି ଆତଙ୍କୀଠାରୁ ତଥ୍ୟ ଓଗାଳିବା ପାଇଁ ଜଣେ ସେନାଧିକାରୀ ଉଦ୍ୟମ କରୁଥିଲେ । ଦୈବାତ୍‌ କ୍ରମେ ସଂପୃକ୍ତ ଆତଙ୍କୀ ସେନାଧିକାରୀଙ୍କ ହାତରୁ ଏକେ-୪୭ ଛଡ଼ାଇ ନେଇ ପାଲଟା ଆକ୍ରମଣ କରିଥିଲା ।

ବନ୍ଧୁକ ମୂନରେ ସେନା ନିକଟରେ ଅଟକ ଆହୁରି କିଛି ଆତଙ୍କୀ ସହକର୍ମୀଙ୍କୁ ମୁକୁଳାଇବାକୁ ସକ୍ଷମ ହୋଇଥିଲା । ପରେପରେ ସବୁ ଆତଙ୍କୀ ହାତରେ ଏକେ-୪୭ ଧରି କିଛି ସେନାଧିକାରୀ ଓ ପୁଲିସ କର୍ମଚାରୀଙ୍କୁ ବନ୍ଧକ ରଖିଥିଲେ । ଅକସ୍ମାତ୍‌ ଏଭଳି ଘଟିବ ବୋଲି କଳ୍ପନା କରି ନଥିଲା ସେନାବାହିନୀ । ଆତଙ୍କୀ ଗୁଳିରେ କିଛି ପୁଲିସ ଅଧିକାରୀ ନିହତ ହୋଇଥିଲେ । ଆତଙ୍କୀ କବଳରୁ ସଂପୃକ୍ତ ଅଫିସ ଓ ସେନାଧିକାରୀଙ୍କ ସମେତ ପୁଲିସ ଅଧିକାରୀଙ୍କୁ ମୁକ୍ତ କରିବା ପାଇଁ ପାକିସ୍ତାନକୁ ବହୁତ ମେହେନତ କରିବାକୁ ପଡ଼ିଛି ।