ଗାଈଙ୍କ ଲାଗି ଆମ୍ବୁଲାନ୍ସ ସେବା ଆରମ୍ଭ

ୟୁପି : ଗାଈଙ୍କ ପାଇଁ ୨୪ ଘଣ୍ଟିଆ ଆମ୍ବୁଲାନ୍ସ ସେବା ଆରମ୍ଭ କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଆହତ ଗାଈଙ୍କ ଚିକିତ୍ସା ପାଇଁ ଏହି ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଛି । ଏଣିକି ଉତ୍ତର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କ ଏହି ପ୍ରୟାସରେ ଗାଈଙ୍କର ଚିକିତ୍ସା ହେବ । ସହଜରେ ଆହତ ଗାଈମାନଙ୍କୁ ଭେଟେନାରୀ ହସ୍ପିଟାଲ ଆଣି ଚିକିତ୍ସା କରାଯାଇ ପାରିବ । ଗୋବଂଶ ଏବଂ ଗୋପାଳକଙ୍କୁ ପ୍ରୋତ୍ସାହନ ଦେବା ପାଇଁ ସରକାର ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଆସନ୍ତା ଡିସେମ୍ବର ମାସରୁ ଏହି ଯୋଜନା ଆରମ୍ଭ ହେବାକୁ ଯାଉଛି । ସୂଚନାନୁଯାୟୀ, ଏହି ଅଭିନବ ଆମ୍ବୁଲାନ୍ସ ସେବା ଯୋଜନାରେ ୫୧୫ଟି ଆମ୍ବୁଲାନ୍ସ ଚାଲିବ । ଏହି ଆମ୍ବୁଲାନ୍ସରେ ଜଣେ ପଶୁ ଚିକିତ୍ସକ ଏବଂ ୨ ଜଣ ଭେଟେନାରୀ ଷ୍ଟାଫ୍‌ ରହିବେ । ଏମାନେ ୨୪ ଘଣ୍ଟିଆ ଆମ୍ବୁଲାନ୍ସ ସେବାରେ ନିୟୋଜିତ ହେବେ । ଏହି ଅଭିନବ ଆମ୍ବୁଲାନ୍ସ ଯୋଜନାକୁ ସମ୍ପୂର୍ଣ୍ଣ ରୂପରେ ସଫଳ କରିବା ପାଇଁ ଏକ କଲ୍‌ ସେଣ୍ଟର ଆରମ୍ଭ କରାଯାଉଛି । ଏହି କଲ୍‌ ସେଣ୍ଟରରେ ଜଣେ ଫୋନ୍‌ କରି ସୂଚନା ଦେଲେ ୧୫ ମିନିଟ୍‌ ମଧ୍ୟରେ ତାଙ୍କ ନିକଟରେ ଆମ୍ବୁଲାନ୍ସ ପହଞ୍ଚି ଯିବ ।