ଭାରତର ଶତ୍ରୁକୁ ଘଂଟ ଘୋଡାଉଛି ଆମେରିକା

ଯାହା ଜଣାଯାଉଛି, ଯୁକ୍ତରାଷ୍ଟ୍ର ଆମେରିକା ପ୍ରଶାସନ ଭାରତର ଚିରଶତ୍ରୁ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ଗୋଷ୍ଠୀଙ୍କ ପ୍ରତି ଅଧିକ ଅନୁକମ୍ପା ଦେଖାଉଛନ୍ତି । ଆତଙ୍କୀ ସଂଗଠନ ଅଲ କାଇଦା ପ୍ରତିଷ୍ଠାତା ଓସାମା ବିନ୍‌ ଲାଡେନକୁ ପାକିସ୍ତାନ ଆଶ୍ରୟ ଦେଇଥିବାର ଜାଣିବା ପରେ ଆମେରିକା ଲୁଚିଛପି ପାକିସ୍ତାନରେ ପଶି ଲାଡେନକୁ ମାରିଦେଲା ।

ସାରା ଦୁନିଆ ଆମେରିକାର ତକ୍ରାଳୀନ ରାଷ୍ଟ୍ରପତି ଓବାମାଙ୍କୁ ପ୍ରଶଂସାରେ ପୋତି ପକାଇଲା । ମାତ୍ର ଭାରତ ବିରୋଧୀ ଖଲିସ୍ତାନୀ ସଂଗଠନର କୁଖ୍ୟାତ ଆତଙ୍କୀ ଗୁରପତବନ୍ତ ସିଂ ପନ୍ନୁନଙ୍କୁ ଆମେରିକା ମାଟିରେ ମାରିବା ପାଇଁ ଭାରତ ଉଦ୍ୟମ କରୁଛି ବୋଲି ବାଇଡେନ୍‌ ପ୍ରଶାସନ ଅଭିଯୋଗ କରିଛି ।

କେବଳ ଅଭିଯୋଗ ନୁହେଁ, ଆମେରିକା ପୁଲିସ ନିଖିଲ ଗୁପ୍ତା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ଜେଲକୁ ପଠାଇଛି । ୫୨ ବର୍ଷୀୟ ନିଖିଲ ଭାରତର କୌଣସି ଜଣେ ସରକାରୀ ତଦନ୍ତକାରୀ ଅଧିକାରୀଙ୍କ ପରାମର୍ଶ ମୁତାବକ ପନ୍ନୁନଙ୍କୁ ହତ୍ୟା ଯୋଜନା କରୁଥିଲା ।

ଏଠାରେ ଜଣାଇ ଦିଆଯାଉଛି ଯେ ପନ୍ନୁନ ଆମେରିକାର ନାଗରିକ । ଆମେରିକାରେ ବସବାସ କରିବା ସହିତ ପନ୍ନୁନ ଖଲିସ୍ତାନୀ ଆତଙ୍କୀ ସଂଗଠନ ‘ଶିଖ ଫର୍‌ ଜଷ୍ଟିସ୍‌’ ଗଠନ କରିଛି ।
ପନ୍ନୁନ ନ୍ୟୁୟର୍କ ସିଟିରେ ରହୁଛି; ଭାରତକୁ ଖୋଲାଖୋଲି ଧମକ ଦେଉଛି । ଆମେରିକା ପ୍ରଶାସନ ସବୁ ଜାଣିବା ପରେ ମଧ୍ୟ ପନ୍ନୁନର ଭାରତ ବିରୋଧୀ ହରକତକୁ ବନ୍ଦ କରୁନି । ଆମେରିକାର ମତିଗତି କିଛି ଠିକ୍‌ ଲାଗୁନି ।