ସ୍କୁଲକୋଠାରୁ ତଳକୁ ଡେଇଁଲେ ଅଷ୍ଟମ ଶ୍ରେଣୀ ଛାତ୍ର

ସଂପୂର୍ଣ୍ଣ ଘଟଣାକ୍ରମଟି ସିସିଟିଭିରେ କଏଦ ହୋଇଛି….

ଆଲିଗଡ଼: ୟୁପିର ଆଲିଗଡ଼ ଅଂଚଳରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ବିଦ୍ୟାଳୟର ଦ୍ୱିତୀୟ ମହଲାରୁ ତଳକୁ ଡେଇଁ ପଡ଼ିଛନ୍ତି । ମୁଣ୍ଡରେ ଶକ୍ତ ଆଘାତ କାରଣରୁ ସଂପୃକ୍ତ ଛାତ୍ରଟି ଏବେ ଡାକ୍ତରଖାନାରେ ମୃତ୍ୟୁ ସହିତ ସଂଘର୍ଷ କରୁଛନ୍ତି । ସ୍କୁଲ ନିର୍ଦ୍ଦେଶକ ଏସ୍‌ଏନ୍‌ ସିଂହ କହିଛନ୍ତି ଯେ ପିଲାଟି କିଛିଦିନ ତଳେ ସହପାଠୀଙ୍କ ସହ ମିଶି ଗୁଲିଖଟି କରୁଥିଲା । ହୋମ୍‌ ୱାର୍କ ସାରି ନଥିବାରୁ ଶିକ୍ଷକ ଜଣକ ସଂପୃକ୍ତ ଛାତ୍ରଙ୍କୁ ଦଣ୍ଡ ସ୍ୱରୂପ ତଳେ ବସାଇ ଦେଇଥିଲେ ।

ଉକ୍ତ ଘଟଣାରେ ପିଲାଟି ଗଭୀର ଭାବେ ମାନସିକ ଆଘାତ ପାଇଥିଲା । ଘଟଣା ଦିନ ମଧ୍ୟ ପିଲାଟି ହୋମ୍‌ ୱାର୍କ ଶେଷ ନକରି ସ୍କୁଲକୁ ଆସିଥିଲା । ଦ୍ୱିତୀୟବାର ଦଣ୍ଡ ପାଇବା ଅପମାନରୁ ରକ୍ଷା ପାଇଁ ସେ ହଠାତ୍‌ ଶ୍ରେଣୀକକ୍ଷରୁ ବାହାରକୁ ଯାଇ ତଳକୁ କୁଦି ପଡ଼ିଲା । ଘଟଣାଟି ଗୁରୁବାର ଦିନ ଇଂଗ୍ରାହମ୍‌ ସ୍କୁଲରେ ଘଟିଥିଲା ବେଳେ ଶୁକ୍ରବାର ପର୍ଦ୍ଦାଫାସ ହୋଇଥିଲା । ସଂପୂର୍ଣ୍ଣ ଘଟଣାକ୍ରମଟି ସିସିଟିଭିରେ କଏଦ ହୋଇଛି । ସିସିଟିଭି ଯାଂଚ କରିବାରୁ ଦେଖିବାକୁ ମିଳିଛି, ଶିକ୍ଷକ ପିଲାମାନଙ୍କର ହୋମ୍‌ ୱାର୍କ ଚେକ୍‌ କରୁଥିଲା ବେଳେ ପିଲାଟି ଶ୍ରେଣୀ ବାହାରକୁ ଦଉଡ଼ି ଯାଇ ତଳକୁ ଡେଇଁ ପଡୁଛି ।

ସଂପୃକ୍ତ ପିଲାଟିର ମୟଙ୍କ । ପିଲାଟି କୁଦିବାର ଦେଖି ଶ୍ରେଣୀରେ ହାହାକାର ପଡ଼ିଗଲା । ପିଲାମାନେ ରେଲିଂ ନିକଟକୁ ଧାଇଁ ଯାଇଥିଲେ । ଦୁର୍ଘଟଣାର ଶିକାର ଛାତ୍ରଟି ଜେଏନ୍‌ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅଛି । ମୟଙ୍କର ବାପା ସ୍କୁଲର କିଛି ବରିଷ୍ଠ ଛାତ୍ର ଓ ଶିକ୍ଷକଙ୍କୁ ଦାୟୀ କରି କହିଛନ୍ତି, ସ୍କୁଲରେ ଖେଳକୁଦ ପ୍ରତିଯୋଗିତା ପାଇଁ ପିଲାମାନଙ୍କର ମନୋନୟନ ଚାଲିଥିଲା । ମୟଙ୍କ ମନୋନୀତ ହେବାରୁ କିଛି ବରିଷ୍ଠ ଛାତ୍ର ଓ ଶିକ୍ଷକ ଗଭୀର ଅସନ୍ତୁଷ୍ଟ ହୋଇଥିଲେ । ଦୌଡ଼ ପ୍ରତିଯୋଗିତାରୁ ଓହରି ଯିବା ପାଇଁ ସେମାନେ ମୟଙ୍କ ଉପରେ ଚାପ ପକାଉଥିଲେ । ଉପର ଶ୍ରେଣୀର ପିଲା ଓ ଶିକ୍ଷକଙ୍କ ଚାପରେ ମାନସିକ ଆଘାତ ପାଇ ପୁଅ ଆତ୍ମହତ୍ୟା ଉଦ୍ୟମ କରିଛି ।