ଭୋଟରଙ୍କୁ ସହିବାକୁ ହେବ ବହୁତଳ ପାର୍କିଂ ଛାଟ

ଭୁବନେଶ୍ୱର: ଦିଅ ଭଲ କରି ବିଜେଡିକୁ ଭୋଟ ଦିଅ । ଦୀର୍ଘ ୨୩ ବର୍ଷ ଧରି ବିଜେଡି ମୁଖିଆଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଛ । ତା’ର ପରିଣାମ ରାଜଧାନୀ ଭୋଟର ଭୋଗିବେ ନାହିଁ ତ ଆଉ କିଏ ଭୋଗିବେ? ବିଜେଡିରେ ଯୋଗ୍ୟନେତାଙ୍କ ଅଭାବ ଥିବାରୁ ଭୁବନେଶ୍ୱରର ତିନିଥର ମେୟର ହେବାପରେ ବି ଯୋଉ ନେତାକୁ ଭୁବନେଶ୍ୱର ଛାତିରୁ ଜିତାଇ ବିଧାୟକ କରାଯାଇଛି । ସେଭଳି ନେତାକୁ ବିଧାୟକ କରିଥିବା ମୁଖିଆଙ୍କ ମଗଜର କମାଲ ରାଜଧାନୀ ଭୋଟରଙ୍କୁ ଦେଖିବା ବାକି ଥିଲା ବୋଲି ବିଜୁବାବୁଙ୍କୁ ଅତି ନିକଟରୁ ଦେଖିଥିବା ଲୋକମାନେ କୁହାକୁହି ହେଉଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ରାଜ୍ୟ ସଚିବାଳୟ ସାମ୍ନାରେ ଥିବା ବିରାଟ ଖୋଲା ମଇଦାନକୁ ଇନ୍ଦିରା ଗାନ୍ଧୀ ପାର୍କ କରିଦେବାରୁ ତକ୍ରାଳୀନ ଜନତା ଦଳ ମୁଖିଆ ବିଜୁ ପଟ୍ଟନାୟକ ରାଜଧାନୀ ଭୋଟରଙ୍କ ଆଗରେ ମୁହଁତୋଡ଼ ଦେଖାଇ କହିଥିଲେ ଯେ ସେ ମୁଖ୍ୟମନ୍ତ୍ରୀ ଆସନକୁ ଯିବାପରେ ଇନ୍ଦିରା ଗାନ୍ଧୀ ପାର୍କକୁ ପୁଣି ପରେଡ୍‌ ପଡ଼ିଆ କରିଦେବେ ।

୧୯୯୦ ବିଧାନସଭା ନିର୍ବାଚନରେ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ଜନତା ଦଳ ୧୨୩ଟି ଆସନ ଜିତିଲା । ବିଜୁବାବୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାପରେ ରାଜ୍ୟଟାକୁ ଇସ୍ପାତର ଏନ୍ତୁଡ଼ିଶାଳ କରିବା ଚକ୍କରରେ ମେସ୍କୋ ରାଣୀ ରୀତା ସିଂହଙ୍କ ମାୟାରେ ପଡ଼ିଗଲେ । ଯାଜପୁରର କଳିଙ୍ଗନଗର ଇଲାକା ହସିଲା ସିନା ହେଲେ ଇନ୍ଦିରା ପାର୍କ ଆଉ ପରେଡ୍‌ ପଡ଼ିଆ ରୂପକୁ ଫେରିଲାନି । ସେହି ବିଜୁବାବୁଙ୍କ ପୁଅ ନବୀନବାବୁ ଏବେ ରାଜ୍ୟର ବିକାଶ ମଙ୍ଗ ଧରିଛନ୍ତି । ରାଜଧାନୀ ଭୋଟର ଯଦି ଏତିକି କଷ୍ଟ ସହିବେନି ତେବେ ଭୁବନେଶ୍ୱର ସ୍ମାର୍ଟନଗରୀ ହେବ କେମିତି? ରାଜଧାନୀ ବାସିନ୍ଦା ହାଇଫାଇ ସେବା ପାଇବେ କେମିତି? ଚବିଶି ଘଂଟିଆ ବିଜୁଳି ସେବା ପାଇବେ କେମିତି? ଚବିଶି ଘଂଟିଆ ପାଇପ ପାଣି ପାଇବେ କେମିତି?

ବିଜେଡିର କିଛି ଟାଣୁଆ ନେତାଙ୍କ ବଳରେ ଠିକା ସଂସ୍ଥା ବିଏମ୍‌ସି ଧାର୍ଯ୍ୟ ପାର୍କିଂ ଫି’ ବଦଳରେ ଆପଣା ଇଛା ମୁତାବକ ପାର୍କିଂ ଫି ଆଦାୟ କରୁଛି । ସ୍ମାର୍ଟସିଟି ପରିଚାଳକ ଓ କମିଶନରେଟ୍‌ ପୁଲିସର ମିଳିତ ସାହସ ବଳରେ ଠିକା ସଂସ୍ଥା ରାଜଧାନୀ ଭୋଟରଙ୍କ ଉପରେ ଦାଉ ସାଧିବାକୁ ବସିଛି । ରାସ୍ତାକଡ଼ରେ ଗାଡ଼ିମୋଟର ରଖିଲେ ପୁଲିସ ଅପହରଣ କରିବ ନଚେତ୍‌ ଜୋରିମାନା ଆଦାୟ କରିବ । ପୁଲିସର ଜୋରିମାନାକୁ ଭୟ କରି ଲୋକମାନେ ବହୁତଳ ପାର୍କିଂକୁ ଗଲେ ସେଠାକାର ଦାୟିତ୍ୱରେ ଥିବା ଠିକା ସଂସ୍ଥା ପୁଲିସର ଜୋରିମାନା ରାଶିଠାରୁ ଟିକେ ହାଲୁକା କରି ଫି’ ଆଦାୟ କରୁଛି । ତାକୁ ଯଦି ରାଜଧାନୀ ଭୋଟର ବରଦାସ୍ତ କରିବେନି, ସଂସ୍ଥା ଚାଲିବ କେମିତି?

ବହୁତଳ ପାର୍କିଂ ଫି’ ବିଏମ୍‌ସି ପାର୍କିଂ ଫି’ଠାରୁ ଯଥେଷ୍ଟ ଅଧିକା ରହିଛି ମାତ୍ର ପୁଲିସର ଜୋରିମାନା ରାଶିଠାରୁ ଯଥେଷ୍ଟ କମ୍‌ ଅଛି ।
କାର ଏକଘଂଟା ପାର୍କିଂ ଫି’ ୪୦ ଟଙ୍କା, ଦୁଇଘଂଟାକୁ ୬୦ ଟଙ୍କା ଓ ଚାରିଘଂଟାରୁ ଅଧିକ ସମୟ ପାଇଁ ସର୍ବୋଚ୍ଚ ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ସେହିଭଳି ବାଇକ୍‌ ଘଂଟାଏ ପାଇଁ ୨୦ ଟଙ୍କା, ଦୁଇଘଂଟା ପାଇଁ ୪୦ ଟଙ୍କା ଓ ଚାରିଘଂଟାରୁ ଅଧିକ ସମୟ ରହଣି ପାଇଁ ସର୍ବୋଚ୍ଚ ୮୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଏତେ ପରିମାଣର ପାର୍କିଂ ଫି’ ଆଦାୟ କରିବା ଆଦୌ ଯୁକ୍ତିଯୁକ୍ତ ନୁହେଁ ବୋଲି ବହୁ ନାଗରିକ କହୁଛନ୍ତି । ମାତ୍ର ଭୁବନେଶ୍ୱରକୁ ବିକାଶର ମୁଖ୍ୟସ୍ରୋତରେ ସାମିଲ କରିବା କ’ଣ ମୁଖ୍ୟମନ୍ତ୍ରୀ ମହୋଦୟଙ୍କର ବଡ଼ ଅପରାଧ?