ପୋଖରୀରେ ଜାଲ ପକାଇ ତିମି ଖୋଜୁଛି ପୁଲିସ

ବ୍ରାଉନ୍‌ସୁଗାର ଧରପଗଡ଼ ଧର୍ମକୁ ଆଖିଠାର

ଭୁବନେଶ୍ୱର: ବସ୍ତିକୁ ଚାଲ, ପୁଲିସ ମିତ୍ର ଅଭିଯାନ ଜରିଆରେ ପୁଲିସ କେବଳ ଛୋଟଛୋଟ ବ୍ରାଉନ୍‌ ସୁଗାର ବେପାରୀଙ୍କୁ ଧରିପାରିବ । ବଡ଼ବଡ଼ ବ୍ରାଉନ୍‌ ସୁଗାର ବେପାରୀଙ୍କୁ ଧରିବାକୁ ହେଲେ ପୁଲିସ ନିକଟରେ ବିଜୁ ଜନତା ଦଳର ମୁଖିଆଙ୍କୁ ଜେରା କରିବାର ସତ୍‌ସାହସ ଥିବା ଦରକାର । ଗଭୀର ସମୁଦ୍ରରେ ରହୁଥିବା ବିଶାଳକାୟ ମାଛକୁ ଧରିବା ଆଶାରେ କୂଅ ପୋଖରୀରେ ଜାଲ ପକାଇବା କେବଳ ଲୋକହସାର କାମ ବୋଲି ବୁଦ୍ଧିଜୀବୀ ମହଲ କୁହାକୁହି ହେଉଛନ୍ତି । ପୁଲିସର ଗୁପ୍ତଚର ସୂଚନା ଭବନ, ଇନ୍ଦିରା ପାର୍କ, ଫରେଷ୍ଟ ପାର୍କ, ଏକାମ୍ର କାନନ ଭଳି ଅଂଚଳ ଓ ତା’ର ଆଖପାଖ ଅଂଚଳ ଉପରେ ନିଘା ରଖିଲେ ଆରାମରେ ସବୁ ଗୋପନୀୟ ଖବର ପାଇପାରିବେ ।

ଭରତପୁର, ସାଲିଆସାହି, ହଳଦିପଡ଼ିଆ, ଖଣ୍ଡଗିରି ବାରି ଭଳି ବସ୍ତି ଅଂଚଳକୁ ତଲାସ କଲେ ଖାଲି କେରାଣ୍ଡି, ମହୁରାଳି ଧରାପଡ଼ିବେ । ବ୍ରାଉନ୍‌ ସୁଗାରର ବଡ଼ ବେପାରୀଙ୍କ ଠିକଣା ଶାସକ ଦଳ ବିଜେଡିର ତୁଙ୍ଗନେତାଙ୍କ ନିକଟରେ ରହିଛି । କିନ୍ତୁ ରାଜ୍ୟର ଗୃହ ବିଭାଗଟି ଖୋଦ୍‌ ବିଜେଡି ମୁଖିଆଙ୍କ ହସ୍ତମୁଦି ମାହାଲ ହୋଇଥିବାରୁ ବିଜେଡି ନେତାଙ୍କୁ ଜେରା କରିବା ପାଇଁ ପୁଲିସ ମନରେ ଦମ୍ଭ ନାହିଁ । ଏମିତି ବି ହୋଇପାରେ, ପୁଲିସ ପାଖରେ ବଡ଼ବଡ଼ ବ୍ରାଉନ୍‌ ସୁଗାର ବେପାରୀଙ୍କ ଠିକଣା ଥିଲେ ମଧ୍ୟ ଗଣମାଧ୍ୟମ ଆଗରେ କିଛି ଜାଣି ନଥିବାର ଅଭିନୟ କରୁଛି ।
କଥା କ’ଣ କି, ଦୈନିକ ‘ସମ୍ବାଦ’ରେ ପ୍ରକାଶ ପାଇଛି ଯେ ଗତବର୍ଷ ୭ କିଲୋ ବ୍ରାଉନ୍‌ ସୁଗାର ଜବତ କରାଯାଇଥିଲା ବେଳେ ଚଳିତ ବର୍ଷ ମାତ୍ର ୨ କିଲୋ ବ୍ରାଉନ୍‌ ସୁଗାର ନିକଟରେ ପୁଲିସ ପହଂଚି ପାରିଛି । କମିଶନରେଟ୍‌ ପୁଲିସ ହାତରେ ଖାଲି କୁଜି ବେପାରୀ ଧରାପଡୁଛନ୍ତି । ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଭଳି ଟାଣୁଆ ଆଇପିଏସ୍‌ଙ୍କ ହାତରେ ଯଦି କୁଜି ବେପାରୀ ଧରାପଡ଼ିବେ, ତାହାଠାରୁ ବଳି ଲଜ୍ଜାଜନକ ଖବର ଆଉ କ’ଣ ହୋଇପାରେ?

କୁଖ୍ୟାତ ଅପରାଧୀ ହାଇଦରକୁ ଏନ୍‌କାଉଂଟର କରି ଯୋଉ ରାଜ୍ୟର ପୁଲିସ ରାଜ୍ୟର ଟାଣୁଆ ଗ୍ୟାଙ୍ଗଷ୍ଟରଙ୍କ ଛାତିରେ ଛନକା ପୁରାଇ ଦେଇପାରିଛି । ସେହି ପୁଲିସ ହାତରୁ ବଡ଼ବଡ଼ ବ୍ରାଉନ୍‌ ସୁଗାର ବେପାରୀମାନେ ଖସି ଯାଉଛନ୍ତି ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇଲେ, କିଏ ସହଜରେ ବିଶ୍ୱାସ କରିବ କୁହନ୍ତୁ ତ? ପୁଲିସର ଏସ୍‌ଟିଏଫ୍‌ ଯୋଉ ବଡ଼ବଡ଼ ବ୍ରାଉନ୍‌ ସୁଗାର ବେପାରୀଙ୍କୁ ଧରିଛି ସେହିମାନଙ୍କୁ ଭଲ କରି ଜେରା କରାଗଲେ ରାଜଧାନୀର ହୃତ୍‌ପିଣ୍ଡରେ ବିଳାସମୟ କୋଠାରେ ରହୁଥିବା ଏକନମ୍ବର ବ୍ରାଉନ୍‌ ସୁଗାର ବେପାରୀ ନିଶ୍ଚିତ ଭାବେ ଧରାପଡ଼ିବ ବୋଲି ଜୟଦେବ ଭବନ ସାମ୍ନାରେ ଚା’ ଦୋକାନ ଖଟିରୁ ଶୁଣିବାକୁ ମିଳୁଛି ।